ଅଳଙ୍କାର - ବାସନ୍ତୀ ଲତା ଜେନା


   

         

ପ୍ରକୃତିର ଶୋଭା ଅଳଙ୍କାର ପୂର୍ଣ୍ଣ
ଗଛ ଲତା ବନ ଭୂଇଁ
ଜୀବ ନିର୍ଜୀଵକୁ ସାଇତି ରଖିଛି
ସୃଷ୍ଟିର ସୌନ୍ଦର୍ଯ୍ୟ ପାଇଁ        l୧l

ଅଳଙ୍କାର ଶୋଭା ନାରୀ ଦେହେ ଥିଲେ
ସୁନ୍ଦରତା ଭରି ଯାଏ
ହିରା ନୀଳା ମୋତି ସୁନା ରୂପା ଯେତେ
ଅଳଙ୍କାର ଗଢ଼ା ହୁଏ        l୨l

ଅଳଙ୍କାର ବିନା ରମଣୀ ଦିଶଇ
ଶ୍ରୀହିନା ସଦୃଶ ଜାଣ
ଦେବା ଦେବୀ ଯେତେ ଅଳଙ୍କାର ପ୍ରିୟ
ସୌନ୍ଦର୍ଯ୍ୟ କରେ ବର୍ଦ୍ଧନ      l୩l

ନୈତିକତା ଗୁଣ  ସଂସାରେ ମହାନ
ସେତ ବଡ଼ ଅଳଙ୍କାର
ସତ୍ୟ ଦୟା କ୍ଷମା ଅହିଂସା ସଂଯମ
ନିଃସ୍ୱାର୍ଥ ଭାବ ପ୍ରେମର        l୪l

ଏ ଗୁଣରେ ନର ଭୂଷିତ ହୋଇଲେ
ଶ୍ରେଷ୍ଠ ଅଳଙ୍କାର ହୁଏ
ନମ୍ରତା ବିନୟୀ ସୁଶୀଳ ଗୁଣରେ
ହୃଦୟକୁ ଜିଣି ଯାଏ          l୫l

ମାନବ ହୁଅଇ ମହାମାନବ ସେ
ଅନ୍ୟ କଥା ଚିନ୍ତା କରେ         
ସମୟ ତାହାକୁ ଶ୍ରେଷ୍ଠ କରି ଦିଏ 
ଉଚ୍ଚାସନ ପାଇବାରେ          l୬l

ଭକ୍ତି ଅଳଙ୍କାର ଜୀବନର ପଥ
ବିଭୁ ନାମ ଜପେ ଯିଏ
ଦିବ୍ୟ ଭାବନାରେ ଜୀବନ ତାହାର
ମୁକ୍ତି ପଥ ମିଳି ଯାଏ           l୭l

ବିଦ୍ୟାର୍ଥୀର ବିଦ୍ୟା ଅଳଙ୍କାର ହୁଏ
ଦିବ୍ୟ ଜ୍ୟୋତି ଆଲୋକର
ଭାଷା ସାହିତ୍ୟରେ ଅଳଙ୍କାର ଥିଲେ
ବାକ୍ୟ ହୁଏତ ସୁନ୍ଦର         l୮l

କର୍ତ୍ତା କର୍ମ କ୍ରିୟା ଅଵ୍ୟୟ ଯମକ
ପ୍ରକୃତି ପ୍ରତୟ ଜାଣ
ପୁଂଲିଙ୍ଗ ସ୍ତ୍ରୀଲିଙ୍ଗ ଦ୍ୱନ୍ଦ୍ୱ ବିଭକ୍ତିରେ
ରୂପର ପରିବର୍ତ୍ତନ          l୯l

ଅଳଙ୍କାର ନିଏ ଭିନ୍ନ ଭିନ୍ନ ରୂପ
ସ୍ଥାନ ବିଶେଷର ପରା
ସବୁ ଅଳଙ୍କାର ଆମର ତ ପ୍ରିୟ
ଗୁଞ୍ଜରିତ ବସୁନ୍ଧରା         l୧୦l


ବାସନ୍ତୀ ଲତା ଜେନା
ଗାନ୍ଧିନଗର,  ପୋଷ୍ଟ / ଜିଲ୍ଲା:  ନବରଙ୍ଗପୁର

Post a Comment

0 Comments