ମାଁ ସାବିତ୍ରୀ ଗୋ ମାଁ ସାବିତ୍ରୀ
ଜଗତ ର ମାଁ ଦେବୀ ଅଧିଷ୍ଠାତ୍ରୀ
ତୁମରି ମହିମା ଶୁଣିଛି ବହୁତ
କର ନାହିଁ ପରା କେବେ ପକ୍ଷପାତ
ମୋ ପାଇଁ କାହିଁ ହୋଇଲୁ ବିମୁଖ
ସେଥିରେ ମୋର ତିଳେ ନାହିଁ ଦୁଃଖ
କହିଦେ ଥରେ ମୋର ଅପରାଧ
କେଉଁ ଦଣ୍ଡ ରେ ମୁଁ ହେଲି ଦଣ୍ଡିତ
ସ୍ଵାମୀ ,ଶାଶୂ ଶଶୁର ,ଦିଅର ନଣନ୍ଦ
ସଭିଙ୍କ ସେବାରେ ହୋଇଥିଲି ଅନ୍ଧ
ଭୂଲି ଯାଇଥିଲି ନିଜ ଅସ୍ତିତ୍ଵ
ଭୂଷଣ ଥିଲା ମୋର ସଦା ସତୀତ୍ୱ
ଅତିଥି ସେବା ଥିଲା ମୋ ଧର୍ମ
ବିବେକ ଇଙ୍ଗିତରେ କରୁଥିଲି କର୍ମ
ବାର ମାସେ ତେର ପରବ କଲି
ସ୍ଵାମୀ ଛାୟା ହୋଇ ପାଦ ସେବିଲି
ଦାନ ଧର୍ମେ ସଦା ଥିଲି ତତ୍ପର
ନିତି ସେବୁଥିଲି ଗୁରୁଜନ ପୟର
ନିଃସ୍ଵାର୍ଥପର ସେବାରେ ମଜ୍ଜି
ନିଜକୁ ଭୂଲିଥିଲି ସେବିକା ସାଜ୍ଜି
କେଉଁ ଦୋଷର ଏତେ ବଡ଼ ଦଣ୍ଡ
ସୈାଭାଗ୍ୟ ମୋର ହେଲା ଖଣ୍ଡ ଖଣ୍ଡ
ଅଲୋଡା ଟିଏ ମୁଁ ହେଲି ସଭିଙ୍କର
ସବୁ କାଟିଲେ ମମତା ର ଡୋର
ଉଡିଗଲା ଆଜି ମୋଠାରୁ ଶିରୀ
ଅଶୁଭ ହେଲି ମୁଁ ଭାଗ୍ୟ ଆଦରି
ସୁଖ ରେ ସଭିଏଁ,ଦୁଃଖେ ନୁହେଁ କେହି
ଭାଗ୍ୟଚକ୍ରର ବିଡମ୍ବନା ଏହି
ମୋ ପରି ଥିବେ ଅସଂଖ୍ୟ ନାରୀ
ଦୁଃଖ ରେ କାଟନ୍ତି ବ୍ରତ ସାବିତ୍ରୀ
ମାଗୋ, ସେମାନେ କାହା ସନ୍ତାନ ?
ତାଙ୍କ ପାଇଁ କାହିଁ ସବୁ ଆନ ?
ଚରଣେ ଶରଣ ଦେଇ ,ଘଣ୍ଟ ଘୋଡାଇ
ମୋକ୍ଷ ପଥେ ନିଅ ,ପଥ କଡାଇ ।
କଲ୍ୟାଣୀ ହୋତା
ଜୟପୁର, କୋରାପୁଟ




0 Comments