ପ୍ରଭାକରଙ୍କ ଅଜ୍ଞାନତା - ପ୍ରଶାନ୍ତ କୁମାର ହୋତା





ବହୁତ ଦିନ ପରେ ଗୁରୁଦତ୍ତ ତାଙ୍କ ଭଉଣୀ ରାନୁ ଓ ଭିଣୋଇ ପ୍ରଭାକର ଙ୍କ ନିକଟକୁ ଆସିଥାନ୍ତି। ଗୁରୁଦତ୍ତ ନିରାମିଷ ଖାଦ୍ୟ ଖାଆନ୍ତି ବୋଲି ପ୍ରଭାକର ସକାଳୁ ସକାଳୁ ଯାଇ ଭଲ ଅମୃତଭଣ୍ଡା, ବନ୍ତଳ କଦଳୀ, ଖମ୍ବ ଆଳୁ, ବନ୍ଧା କୋବି, ଗାଜର, ବିଟ, ମଟର ଛୁଇଁ, ଜହ୍ନି, ଶଂଖ ସାରୁ ଆଣି ଗଦା କରିଦେଇ ରାନୁକୁ କହିଲେ - ତମ ଭାଇଙ୍କ  ଲାଗି ଆଜି ଗୋଟାଏ ଭଲ ସାତ୍ତ୍ଵିକ ଭୋଜନ ପ୍ରସ୍ତୁତ କର।

ରାନୁ ହୋଉ ବୋଲି କହି ପଚାରିଲେ - ତମେ ଟିକିଏ ପରିବା ପତ୍ରରୁ ଚୋପା ଗୁଡାକ ଛଡେଇ ଦେବ କି?

ପ୍ରଭାକର ମନାକରି କହିଲେ - ମୋତେ ସେଗୁଡା କୁହନି। ଆଉ କଣ ବଜାରରୁ ଆଣି ଦେବି ଯଦି କୁହ ନେଇ ଆସିବି। ରାନୁଙ୍କ କଥାର ଗୁରୁତ୍ବ କୁ ନବୁଝି ହସି ଦେଇ କହିଲେ ଆମ ଦିଜଣଙ୍କ ପାଇଁ ଚାହା ଦି'ଟା ପଠାଅ। ବହୁତ ଦିନ ହେଲା ତମ ଭାଇଙ୍କ ସହ କିଛି ତର୍କ ହେଇ ନାହିଁ। ସେଇ ବାହାନାରେ କିଛି ଗୀତା ଜ୍ଞାନ ବି ମିଳିଯିବ।
ରାନୁ ମନେ ମନେ କହିଲେ ଗୀତା ଜ୍ଞାନ ରୁ କିଛି ସଂସାର ଜ୍ଞାନ ହେଲେ ୟାଙ୍କୁ ମିଳି ଯାଆନ୍ତା।

ପ୍ରଭାକର ଆସି ଗୁରୁଦତ୍ତଙ୍କ ପାଖରେ ବସି ପଡିଲେ। ଗୁରୁଦତ୍ତ ପ୍ରଭାକରଙ୍କ ହସହସ ମୁହଁକୁ ଦେଖି ପଚାରିଲେ, ଆଜି ବହୁତ ଖୁସି ଜଣା ପଡୁଛ। କଥା କଣ କି !
ପ୍ରଭାକର  ତର୍କ ଲାଗିବା ପାଇଁ ସୁଯୋଗ ଖୋଜୁଥିଲେ। ସୁଯୋଗ ପାଇଲା ପରି ଉତ୍ସାହ ରେ କହିଲେ- ଭାଇନା!  ଖୁସି ଜଣା ପଡିବାରେ ଆଶ୍ଚର୍ଯ୍ୟ ହେବାର କଣ ଅଛି। ସମସ୍ତେ ତ ଖୁସି ଜଣା ପଡିବା କଥା। ଆପଣ ବି ତ କାହିଁ ମୋତେ ଦୁଃଖୀ ଲାଗୁ ନାହାନ୍ତି। ଆପଣ ବି ଖୁସି ଜଣା ପଡୁଛନ୍ତି।

- ତମେ ଠିକ୍ କହିଲ। କିନ୍ତୁ ବେଳେ ବେଳେ ସ୍ଵାଭାବିକ ଠାରୁ ଅଧିକ ଅନୁଭବ ହେଲେ କିଛି କାରଣ ଥାଇପାରେ ବୋଲି ଜିଜ୍ଞାସା ର ଭାବ ଆସେ। ଯଦି ମୋର ସ୍ଵାଭାବିକ ଠାରୁ ଅଧିକ ଅନୁଭବ ହେଉଛି ଜିଜ୍ଞାସା ଅବଶ୍ୟ କରିବା ଉଚିତ୍। କାରଣ ମଣିଷ ଥରେ ଥରେ କୌଣସି କଥା କୁ କେହି ନ ପଚାରିଲେ ନିଜ ଆଡୁ ଉତ୍ଥାପନ କରେ ନାହିଁ। ସେ କାହାର ଜିଜ୍ଞାସା କୁ ଅପେକ୍ଷା କରି ଥାଏ। କାହାର ପ୍ରଶ୍ନ ର ଉତ୍ତର ଦେବାରେ ଯେଉଁ ଆନନ୍ଦ ତାହା କେବଳ ଔପଚାରିକ ଭାବେ ଉତ୍ତର ଦେବାରେ ନଥାଏ। ହୋଉ ଯଦି ମୋ କଥା ପଚାରୁଛ ମୋର ସେମିତି କିଛି ଖୁସି ହେବାର ନାହିଁ। ବହୁତ ଦିନ ପରେ ତମ ମାନଙ୍କ ପାଖକୁ ଆସିଛି ବୋଲି ଯଦି ଖୁସିର ଭାବଟା ହୁଏ ତ ପ୍ରକାଶ ପାଉଥିବ।
ଗୁରୁଦତ୍ତ କହିଲେ - ମୋର ମଧ୍ୟ ସେଇ ଏକା କଥା। ଆପଣଙ୍କ ସହିତ ଭେଟ ହେବା ଓ କଥାବାର୍ତ୍ତା କରିବାର ସୁଯୋଗ ବୋଧେ ମୋ ମନର ଖୁସି କୁ ବଢେଇ ଦେଇଛି। ନହେଲେ ସେମିତି କିଛି ଖାସ କାରଣ ନାହିଁ।
ହଁ ଭାଇନା। ଆପଣ ଟିକିଏ ବସି ଥାଆନ୍ତୁ। ମୁଁ ଟିକେ ଅଫିସ ଆଡୁ ପଳେଇ ଆସେ। ଆଜି ରବିବାର ହେଲେ ବି ଷ୍ଟାଫ୍ ଆମର ଆସିଥିବେ। ମୁଁ ଲଞ୍ଚ ପୂର୍ବରୁ ଫେରି ଆସିବି। ତାପରେ ବସିବା।

ପ୍ରଭାକର ଲଞ୍ଚ ପୂର୍ବରୁ ପହଞ୍ଚି ଗଲେ। ଖାଇ ସାରିବା ପରେ ପ୍ରଭାକର ରାନୁଙ୍କୁ କହୁଥିଲେ - ମୁଁ ଏତେ ପ୍ରକାର ପରିବା ଆଣିଲି ଅଥଚ ତମେ ଏଗୁଡା କଲ। ଭାଇନା ନିରାମିଷ ଲୋକ, ଏତେ ଦିନ ପରେ ଆସିଛନ୍ତି। କଣ ଭାବିବେ!
ଭାଇ କିଛି ଭାବିବେନି, ରାନୁ କହିଲା। ତାପରେ ମୁଁ ପୋଟଳ ତରକାରୀ କରିଛି ଟମାଟୋ ଖଟା କରିଛି, ବାଇଗଣ ପକୋଡା କରିଛି। ପଡିଶା ଘର ଯୋଉ ସଜନା ଶାଗ ଦେଇଥିଲେ ତାକୁ ମୁଗ ବଡି ପକେଇ କରିଛି ପାମ୍ପଡ ଦେଇଛି,। ଏତେ ଆଇଟମ ଦେଲା ପରେ କେହି କେବେ ଖରାପ ଭାବିବେ ନାହିଁ।
- ଆଇଟମ କଥା ଛାଡ। ମୁଁ ସକାଳୁ ଯାଇ ଯେଉଁ ପରିବା ଆଣିଲି, ତାର କିଛି ଇଜ୍ଜତ ରହିଲା ନାହିଁ। ମୁଁ ଭାଇଙ୍କ ପାଇଁ ଆଣିଥିବି ବୋଲି ବି ଟିକେ ଭାବିଲ ନାହିଁ। ପ୍ରଭାକର ଆହୁରି କଣ କହିବାକୁ ଯାଉଥିଲେ ଗୁରୁଦତ୍ତଙ୍କ ଡାକରେ ଚାଲି ଆସିଲେ।

ଗୁରୁଦତ୍ତ ପଚାରିଲେ - କଣ ସମସ୍ୟା। ତମ ମୁହଁ ରେ ଚିନ୍ତା ର ଝଲକ ଦିଶୁଛି।
- ଦିଶିବନି। ଏଇ ରାନୁ ପାଇଁ। ସକାଳେ ଏତେ ପରିବା ଆଣିଲି। ଅଥଚ ସେଇଥିରୁ କିଛି କରିନି। ମୁଁ ତାହେଲେ କଣ ପାଇଁ ଆଣିଥିଲି। ମୋତେ କହୁଛି ଭାଇ ସେତିକିରେ ସନ୍ତୁଷ୍ଟ। ଆପଣ ଭାତ ଡାଲମା ରେ  ସନ୍ତୁଷ୍ଟ ବୋଲି କଣ ଭାତ ଡାଲମା କରି ଜଣେ ଦେଇଦେବ। ନିଜର କିଛି ବିଚାର ନାହିଁ। ମୁଁ ଏତେ ପରିବା କଣ ପାଇଁ ଆଣିଲି ତ ଭାବିବା ଦରକାର।

ହୋଉ ବସ - ଏ ଘର ଜଞ୍ଜାଳ କଥା ଭୁଲିଯାଅ। ଏଇଟା ଜୀବନ ସାରା ଲାଗି ରହିଥିବ। ତମେ କେବଳ ଯାହା ଉଚିତ ତାହା କରି ଚାଲ। ନଚେତ୍ ଆମେ ଅଦରକାରୀ ବିଷୟରେ ଏତେ ଆଲୋଚନା କରିବା ଯେ ଭଗବାନଙ୍କ ନାମ ମଧ୍ୟ ନେଇ ପାରିବା ନାହିଁ। ତମେ ସକାଳୁ ଗୀତା ଆଲୋଚନା କରିବାକୁ କହୁଥିଲ,  ଏବେ ଦେଖ ଅପରାହ୍ନ ତିନିଟା ହେଲାଣି ଅଥଚ ଆମ ମନ କେମିତି କୁଆଡେ କୁଆଡ଼େ ବ୍ୟସ୍ତ ରହୁଛି।
- ନାଇ ଭାଇନା। ଖରାପ ଲାଗିଲା ବୋଲି କହିଦେଲି। ନହେଲେ ମନରେ ଘାଣ୍ଟି ହେଉଥାନ୍ତି। ଏବେ ଆମେ ଆଲୋଚନା ରେ ବସିବା। ମୁଁ କିନ୍ତୁ କୌଣସି ପ୍ରଶ୍ନ ମନରେ ଭାବିନି। ଆପଣ ନିଜେ କିଛି ଆରମ୍ଭ କରନ୍ତୁ ।

ଗୁରୁଦତ୍ତ ଆରମ୍ଭ କରି କହିଲେ -
*ମୂଢଗ୍ରାହେଣାତ୍ମନୋ ଯତପୀଡୟା କ୍ରିୟତେ ତପଃ*
*ପରସ୍ୟୋତ୍ସାଦନାର୍ଥଂ ବା ତତ୍ତାମସମୁଦାହୃତମ୍*

ଏହାର ଅର୍ଥ ଭାଇନା ମୁଁ କହୁଛି, ଭୁଲ ହେଲେ ମୋତେ କହିବେ- ଆଗ୍ରହ ପ୍ରକାଶ କରି ପ୍ରଭାକର କହିଲେ।
ଗୁରୁଦତ୍ତ ହସିଦେଇ କହିଲେ -କୁହ

ପ୍ରଭାକର କହିଲେ - ମୂଢତା ପୂର୍ବକ ବା ତାମସ ପ୍ରକୃତି ଦ୍ଵାରା ପରିଚାଳିତ ହୋଇ କିଛି ଲୋକ ନିଜ ଆଚରଣରେ ଶରୀରକୁ ଓ ମନକୁ କଷ୍ଟ ଦିଅନ୍ତି। ସେମାନେ କଷ୍ଟ ପାଉଥିବା ଦ୍ଵାରା ଭାବନ୍ତି ଯେ ସେମାନେ ତପ ଆଚରଣ କରୁଛନ୍ତି। ଆଉ ଗୋଟିଏ ଅର୍ଥରେ କିଛି ଲୋକ ଅନ୍ୟ ମାନଙ୍କୁ କଷ୍ଟ ଦେବା ଉଦ୍ଦେଶ୍ୟରେ ଯେଉଁ ତପ ଆଚରଣ କରନ୍ତି ତାକୁ ବି ତାମସ ତପ କୁହାଯାଏ।
- ଭାବାର୍ଥ ଏକଦମ୍ ଠିକ୍ କହିଛ। କିନ୍ତୁ ଯାହା କହିଲ ବର୍ତ୍ତମାନ ର ପରିପ୍ରେକ୍ଷୀରେ କେମିତି ବୁଝେଇବ।

- ଆପଣ କଣ କହିବାକୁ ଚାହୁଁଛନ୍ତି ମୁଁ ବୁଝି ପାରୁନି।

ଗୁରୁଦତ୍ତ କହିଲେ - ମନେକର ଆମେ ତମ କଥା ବିଚାରକୁ ନେବା ତାହେଲେ ତମେ କାର୍ଯ୍ୟରେ ତାମସ ତପ କରୁନ ବୋଲି କେମିତି ଜାଣିବା।
- କେମିତି ଜାଣିବା କଣ! ମୁଁ ତାମସ ତପ କରେ ନାହିଁ। ମୋ କହିବାଟା କଣ ଯଥେଷ୍ଟ ନୁହେଁ।
- ନା ନୁହେଁ। ତମେ ତ କର ନାହିଁ ମୁଁ ବି ଜାଣିଛି। କିନ୍ତୁ ଶ୍ଳୋକର ଭାବାର୍ଥ ଅନୁସାରେ ତମେ କରୁଛ କି କରୁନ କେମିତି ଜାଣିବା।କାରଣ ଅଜ୍ଞାତ ସାରରେ କରୁଥିବା କର୍ମ ଜ୍ଞାତ ସାରରେ କରୁଥିବା କର୍ମଠାରୁ ଭିନ୍ନ। 
- ଶ୍ଳୋକର ଭାବ ଅନୁସାରେ ମୁଁ କାହାକୁ କଷ୍ଟ ଦିଏ ନାହିଁ କି ମୁଁ ନିଜେ ଅଯଥା କଷ୍ଟ ସ୍ୱୀକାର କରି ଆଚରଣ କରେ ନାହିଁ। ସେତିକି କଣ କହିବା ଯଥେଷ୍ଟ ନୁହେଁ। ପ୍ରଭାକର ପଚାରିଲେ।
- ନା ନୁହେଁ। ଆମେ ନିଜେ ନିଜକୁ ତର୍ଜମା କରିବା ଆମକୁ ଭ୍ରମିତ କରାଏ।
- ଆପଣ ତର୍ଜମା କରି କଣ ମୋ କଥା ଭୁଲ ବୋଲି ପ୍ରମାଣିତ କରିଦେବେ।
-ହଁ କରିଦେବି। କିନ୍ତୁ ତମେ ଯଦି ନ ମାନିବ ବା ମୋ କଥାକୁ ଅବାନ୍ତର ବୋଲି କହିବ ତାହେଲେ -- -- ମୋର କହିବା ବୃଥା
- ନାଇଁ ମୁଁ ସେମିତି କେବେ କହିବିନି କିମ୍ବା ଆପଣ ମଧ୍ୟ ମୋତେ ଅବାନ୍ତର କିଛି କହିବେ ନାହିଁ ।
ଗୁରୁଦତ୍ତ କହିଲେ, ସୂକ୍ଷ୍ମ ଅର୍ଥରେ ଆମର ପ୍ରତ୍ୟକ କର୍ମ ଆମର ତପସ୍ୟା। କେବଳ ଗଛ ମୂଳରେ ବସି ଆଖି ବନ୍ଦ କରିବାକୁ ତପସ୍ୟା କୁହାଯାଏ ନାହିଁ। ଯେମିତି ତମେ ଆଜି ପରିବା ଆଣିବାକୁ ଗଲ ସେଇଟା ମଧ୍ୟ ତମର କର୍ତ୍ତବ୍ୟ କର୍ମ ବା ତପସ୍ୟା। ତମେ ନିଜକୁ ଅଳ୍ପ ହେଲେ ମଧ୍ୟ କଷ୍ଟ ଦେଇ ଏ ତପ ଆଚରଣ କଲ। କାରଣ ଭଲ ଜିନିଷ ପାଇଁ ବୁଲି ବୁଲି ଖୋଜିବାକୁ ପଡେ। ତାପରେ ଏହି ତପ ତମ ଅଜ୍ଞାତରେ ଆଉ ଜଣଙ୍କ କଷ୍ଟ ପାଇଁ ଉଦ୍ଦିଷ୍ଟ ଥିଲା।
-କାହାର କଷ୍ଟ! ମୁଁ ତ କାହାକୁ କଷ୍ଟ ଦେବା ଉଦ୍ଦେଶ୍ୟରେ ପରିବା ଆଣିନି।
ପ୍ରଭାକର ଆଶ୍ଚର୍ଯ୍ୟ ହେଇ କହିଲେ।

ଗୁରୁଦତ୍ତ ହସିଦେଇ କହିଲେ - ରାନୁ ର କଷ୍ଟ ତାହେଲେ ତମକୁ ଦିଶୁନି। ରାନୁର ଆଙ୍ଗୁଠି କାଲିଠାରୁ କଟିଯାଇ ଯନ୍ତ୍ରଣା ହେଉଛି। ସେଇଥିରେ ତମେ ଯେତେ ପରିବା ଆଣିଛ ସବୁ ଗୁଡିକରୁ ଚୋପା ନ ଛଡେଇଲେ କିଛି କରି ହେବନି। ତାକୁ କଷ୍ଟ ହେବ ବୋଲି ତମକୁ ସେ ଚୋପା ଛଡେଇବା ପାଇଁ ବି କହିଥିଲା। ତମେ କିନ୍ତୁ ମନାକଲ। ତେଣୁ ସେ ମୋ ହାତରେ ଅନ୍ୟ କିଛି ପରିବା ମଗେଇଲା। ଯାହା ବି ଆଇଟମ କଲା କୌଣସି ଥିରେ ଚୋପା ଛଡାଇବା ଆବଶ୍ୟକତା ନାହିଁ। ଯେମିତି ଆଳୁ ପୋଟଳ ବାଇଗଣ ପକୋଡା ଶାଗ ମୁଗ ପାମ୍ପଡ ଦହି। ଖାଇବାକୁ ମଧ୍ୟ ସୁଆଦିଆ ଥିଲା। ତେଣୁ ତାର ଆଚରଣରେ କୋଉଠି ଭୁଲ ରହିଲା କୁହ ? ତମର ପରିବା ଆଣିବାଟା ତାକୁ କଷ୍ଟ ଦେବା ଉଦ୍ଦେଶ୍ୟରେ ହେଲା କି ନାହିଁ କୁହ ।
ତେଣୁ ତମେ କରିଥିବା କର୍ମ ତମ ଅଜାଣତରେ ତାମସ କର୍ମ ହେଲା। କାର୍ଯ୍ୟ ଯେତେବେଳେ ମନମୁଖୀ ହୁଏ କର୍ମ ତାମସ ହୋଇଯାଏ ଓ ତାକୁ ମଧ୍ୟ ତାର ଫଳ ଭୋଗିବାକୁ ପଡେ। ନିଜ କର୍ମ କୁ ନିଜେ ସାତ୍ତ୍ଵିକ କହି ଧୃଷ୍ଟତା କଲେ ସେ ତାମସ ଅବସ୍ଥାରୁ କେବେ ମଧ୍ୟ ନିସ୍ତାର ପାଏ ନାହିଁ। ପ୍ରଭାକର ନିଜ ଅଜ୍ଞାନତାରେ କରିଥିବା ଭୁଲକୁ ବୁଝିପାରି ମନେ ମନେ ଅନୁତାପ କରୁଥିଲା। 
 

ପ୍ରଶାନ୍ତ କୁମାର ହୋତା
+91 94380 04191


Post a Comment

0 Comments