ନାରୀ ଏକ ଅନନ୍ୟତା - ପ୍ରଶାନ୍ତ କୁମାର ହୋତା



ବିଶ୍ଵାବସୁ ବିଷୋଇ ଙ୍କ ଦ୍ୱାରା ଲିଖିତ  "ନାରୀ" ଗଳ୍ପଟି ପଢି ସାରିଲା ମନେ ମନେ ସୂରଜ ବହୁତ ଉତକ୍ଷିପ୍ତ ହେଇ ଉଠୁଥିଲେ। ମନରେ ତାଙ୍କ ର ଅସଂଖ୍ୟ ବିଦ୍ରୋହ ଭାବ ଚିନ୍ତା ଧାରା କୁ ଆନ୍ଦୋଳିତ କରି ରଖିଥିଲା। କିନ୍ତୁ ଘର ଭିତରେ ସେ କାହାକୁ ନିଜ ମତାମତ ଶୁଣାଇବେ। ସ୍ତ୍ରୀ ସ୍ଵରୂପା ତାଙ୍କ ଘର କାମରେ ବ୍ୟସ୍ତ। ଡାକିଲେ ଦୁଇ ତିନି ମିନିଟ ପାଇଁ ଆସିବେ। ସବୁ କଥାରେ ଶୁଣି ବୁଝିଗଲା ପରି ହୁଁ ହୁଁ ମାରିବେ। କଥା ମଝିରେ ଧଡାସ କରି ଉଠି ପଳାଇବେ।
କୁଆଡ଼େ ଯାଉଛ ? ପଚାରିଲେ କହିବେ - ଵାସିଂ ମେସିନ ପାଣି ପୁରି ଗଲାଣି ବନ୍ଦ କରିବାକୁ ପଡିବ। ତାପରେ ପୁଣି କିଛି ସମୟ ପରେ ଉଠି ପଳେଇବେ। ପଚାରିଲେ କହିବେ। ଵାସିଂ ମେସିନର ଟାଇମର ଟା ଦେଇ ଦେଇ ଆସେ। ଗୋଟିଏ ପରେ ଗୋଟିଏ କାମ ତାଙ୍କର ମନେ ପଡି ଯାଉଥିବ।
ସୁରଜ ଙ୍କ କଥା ଅଧାରୁ ବନ୍ଦ ହେଇଗଲେ ବିରକ୍ତି ଆସେ। କହିବାର ଉତ୍ସାହ କମିଯାଏ, ଆଉ ଆଗ୍ରହ ରହେ ନାହିଁ। କିନ୍ତୁ ପତ୍ନୀ ସ୍ଵରୂପାଙ୍କୁ କହିବେ ବା କଣ। ସେ ତ ଖାଲିଟାରେ ଉଠିକି ଯାଉ ନାହାନ୍ତି। ଉଠିବାରେ ତାଙ୍କ ଘର କାମ ତାଙ୍କୁ ବାଧ୍ୟ କରୁଛି।
ଥରେ ଥରେ ସୁରଜ ସେଥିପାଇଁ ବିରକ୍ତିରେ କହି ଦିଅନ୍ତି, ଶୁଣିବାକୁ ଯଦି ସମୟ ଦେଇ ପାରିବ ନାହିଁ ତାହାଲେ ବସିବ କାହିଁକି। ଯାଅ ଯେତେବେଳେ ସମୟ ହେବ ବସିବ।
ସ୍ଵରୂପା ସୁରଜଙ୍କ ସ୍ଵଭାବ ଜାଣିଛନ୍ତି। ଫିକକିନା ହସି ଦେଇ କହିବେ - ମୁଁ କଣ କରିବି। ତମେ ତ ମୋତେ କାମ କଲାବେଳେ ବସିବା ପାଇଁ ଡାକୁଛ। କୋଉ କାମଟା ଛାଡି ଦେଇ ଆସି ପାରିବି କୁହ। ଵାସିଂ ମେସିନ କାମ ଅଧାରୁ ଆସି ପାରିବି କି, କାମଵାଲୀ ପଛରେ ଟିକେ ନ ବୁଲିଲେ ସେ ଖାଲି ଝାଡୁଟା ଧରି ଘରସାରା ବୁଲି ଆସିବ। ଚେୟାର ତଳ ଟେବୁଲ ତଳ ଧୁଳି ସବୁ ସେମିତି ରହିଯିବ। ମୋତେ ହିଁ ତ କରିବାକୁ ପଡିବ। ପାଟିକରି କାମବାଲୀ ଙ୍କୁ ତ କିଛି କହି ହେବନି। ସେଥିରେ କୁଆଡ଼େ ସେମାନଙ୍କ ର ସେଲଫ ରେସପେକ୍ଟ ନଷ୍ଟ ହେଇ ଯାଉଛି ବୋଲି ମୋତେ କହୁଥିଲା। ତାଙ୍କ ବିନା ବି ତ ଚଳି ହେବନି। ସେଥିପାଇଁ ତା ପଛେ ପଛେ ବୁଲିଲେ ରହିଯାଉଥିବା କାମକୁ ମନେ ପକେଇ କରିବାକୁ ହେବ।
ସ୍ଵରୂପାଙ୍କ କଥା ଶୁଣି ସୁରଜଙ୍କ ର ପାଲଟା ଉତ୍ତର କିଛି ନଥାଏ। ଏତେ ଗୁଡ଼ାଏ କାମ ଯେତେବେଳେ ମ୍ୟାନେଜ କରୁଛନ୍ତି ତାଙ୍କ କଥାକୁ କେମିତି ବା ଦୃଷ୍ଟି ଦେବେ। ତାଙ୍କ ଭିତରର ଦୟା ଭାବ ଜାଗ୍ରତ ହେଇ ଉଠେ ଓ ଦୟାଳୁ ସ୍ଵାମୀ ର ଲକ୍ଷଣ କୁ ଚିନ୍ତି, ସେହି ସଦଗୁଣକୁ ଆଦରି ପତ୍ନୀ ଙ୍କ କଥାକୁ ସମର୍ଥନ କରନ୍ତି ।
ସୁରଜଙ୍କ ର ତେଣୁ ଯେତେବେଳେ ଇଛା ହୁଏ ସେ ତୁରନ୍ତ ପତ୍ନୀ ଙ୍କୁ ପାଖକୁ ଡାକି ମନରେ ଆନ୍ଦୋଳିତ ହେଉଥିବା ବକ୍ତବ୍ୟ କୁ କହି ପାରନ୍ତିନି।
ଆଜି ବି ତାଙ୍କ ର ସେହି ଏକା ଅବସ୍ଥା। ନାରୀ ଗଳ୍ପଟା ପଢିଲା ପରେ ବିଦ୍ରୋହୀ ଭାବଟା ଅନେକ କିଛି ବ୍ୟକ୍ତ କରିବାକୁ ଚାହୁଁଥିଲା। ପତ୍ନୀଙ୍କୁ କାର୍ଯ୍ୟ ବ୍ୟସ୍ତ ଦେଖି ଡାକିବାକୁ ଇଛା ହେଲା ନାହିଁ। ଯିଏ ଆଗ୍ରହ ରେ ସମୟ ଦେଇ ଶୁଣି ପାରିବନି ତାକୁ ଡାକି ବା ଲାଭ କଣ। ତା ଅପେକ୍ଷା ଫୋନ କରି ବନ୍ଧୁ ସୋହନ ସହ କଥା ହେଇଗଲେ ବରଂ ଭଲ। ଫୋନରେ ବି ବିଷୟବସ୍ତୁ କୁ ଉତ୍ଥାପନ କରି ନିଜ ପକ୍ଷ ରଖିହେବ। ସୋହନ ରବିବାର ଟାରେ ନିଶ୍ଚୟ ଫ୍ରି ଥିବ ଭାବି ସୁରଜ ମୋବାଇଲ କାଢି କଲ୍ କଲା। ସାଙ୍ଗେ ସାଙ୍ଗେ ସାଙ୍ଗେ ରିଂ ବି ହେଲା। ସୋହନ ଫୋନ୍ ଉଠାଇ ନଥାଏ ଏତିକିବେଳେ ଘରର କଲିଂ ବେଲଟା ବାଜି ଉଠିଲା।
ସୁରଜଙ୍କ ର ଉଠିବାକୁ ଇଛା ନଥିଲେ ବି ଉଠିଲେ ଓ ପତ୍ନୀ ଙ୍କୁ ପଚାରିଲେ, ତମେ କାହାକୁ ଡାକିଥିଲ କି!
ପତ୍ନୀ ତୁରନ୍ତ ଉତ୍ତର ଦେଲେ -ନା
ତାହେଲେ ଏ ଅବେଳଟାରେ କିଏ ଆସିଲା। ଆପାର୍ଟମେଣ୍ଟ ରେ ମଣିଷ ଟିକେ ଶାନ୍ତି ରେ ରହିବ କଣ ଯିଏ ପାରି ସିଏ ପଶି ଆସୁଛନ୍ତି। ଏଇ ସିକ୍ୟୁରିଟି ଗାର୍ଡ ଗୁଡାକ କଣ କରୁଛନ୍ତି କେଜାଣି। କିଛି ନ ପଚାରି ମନ ଇଛା ଲୋକ ଙ୍କୁ ଛାଡି ଦେଉଥିବେ।
ସ୍ଵରୂପା ବାଲକୋନିରେ ଲୁଗା ଶୁଖାଉ ଶୁଖାଉ କହିଲେ - ବିରକ୍ତ ହେବା ଅପେକ୍ଷା ଆଗ ଦେଖ କିଏ। ତାପରେ କହିବ। ନହେଲେ ତମେ ବସ ମୁଁ ଯାଉଛି ।
- ମୁଁ ତ ଉଠିକି ଆସିଲିଣି ଆଉ ତମେ କାହିଁକି ଆସିବ।
-ହୋଉ ତାହେଲେ ଖୋଲିଦେଇ ଦେଖ, କଲିଂ ବେଲ ମାରିଥିବା ଆଗନ୍ତୁକ କିଏ। ଯଦି ବାହାର ଲୋକ ବିକିବା ବାଲା କିଏ ହେଇଥିବ ତେବେ ତମ ବିରକ୍ତି ଜାହିର କରି ପଚାରିବ। ନହେଲେ ସିକ୍ୟୁରିଟି ଗାର୍ଡକୁ ଡାକି ପ୍ରଶ୍ନ କରିବ।

ଏତେଗୁଡାଏ କାମ କରିବା ଅପେକ୍ଷା କବାଟ ଖୋଲି ଦେବାଟା ଭଲ କହି ସୁରଜ କବାଟ ଖୋଲି ଦେଲେ। ସୋହନ କବାଟ ପଛରେ ଠିଆ ହେଇ କହୁଥିଲେ - କବାଟଟା ଖୋଲିବାକୁ ଏତେ ସମୟ ଲାଗୁଛି ତୋତେ।
ସୁରଜ ହସି ଦେଇ କହିଲା - ଆରେ ମୁଁ ତୋତେ କଲ୍ କରୁଥିଲି। କଲିଂ ବେଲଟା ବାଜିଲାରୁ କିଏ ଡିଷ୍ଟର୍ବ କଲା ବୋଲି ଭାବୁଥିଲି।
- ମୋତେ କଣ ପାଇଁ। ସେଥିପାଇଁ ବୋଧେ ମୁଁ ଏଠିକି ସିଧା ଚାଲି ଆସିଲି। ହସିହସି ସୋହନ କହିଲେ ହୋଉ କଣ କହ

ତୁ ଆଗ ବସ ଟିକେ ମୁଁ କହିବି କହି ସୁରଜ ସ୍ଵରୂପାଙ୍କ ଆଡେ ଅନାଇଲେ।
ସ୍ଵରୂପା କହିଲେ - ହଁ ତମେ ଗପ ଆରମ୍ଭ କର। ମୁଁ କଫି ଆଣୁଛି।
ସୁରଜ ଏଥରକ ସନ୍ତୋଷ ରେ ସୋହନ ଆଡେ ମୁହଁ ବୁଲାଇ ଭଲ ମନ୍ଦ ପଚାରିଲେ।
ସୋହନ ହସି ଦେଇ କହିଲା - ଆରେ ଭଲ ମନ୍ଦ ଛାଡ ମ। ଆମର ତ ପ୍ରାୟ ଦେଖା ହେଉଛି ନହେଲେ ଆମେ ଫୋନରେ କଥା ହେଉଛୁ। ଆଉ କଣଟା ଅଜଣା ଯେ ପଚାରି ବୁଝିବୁ। ତୁ କଣ ପାଇଁ କଲ୍ କରିଥିଲୁ କହ।

ସୁରଜ ଅନ୍ୟ କୌଣସି କଥାକୁ ଆଶ୍ରୟ ନକରି ସିଧା ପଚାରିଲା - ତୁ ନାରୀ ଗଳ୍ପଟା ପଢିଲୁ।
- ହଁ ପଢିଲି। ଭଲ ବି ଲାଗିଲା। ସୁନ୍ଦର ପ୍ରସଙ୍ଗ ଉପରେ ଲେଖକ ତାଙ୍କ କଥା ରଖିଛନ୍ତି।
- ମୋତେ କିନ୍ତୁ ଭଲ ଲାଗିଲା ନାହିଁ
- କଣ ପାଇଁ। ତୁ ଜଣେ କବି ସାହିତ୍ୟିକ। ତୁ ଆମ ଅପେକ୍ଷା ଆଉଜଣେ ସାହିତ୍ୟିକ ର ଭାଷାକୁ ତ ଭଲ ଭାବରେ ବୁଝି ପାରୁଥିବୁ। ସେଥିରେ ଏମିତି କଣ ଅଛି ଯେ ଯାହା ତୋତେ ଭଲ ଲାଗିଲା ନାହିଁ। ମୋତେ ତ ଲାଗୁଛି ସେଥିପାଇଁ ବୋଧେ ତୁ ଅସ୍ଥିର ଅଛୁ।
- ଠିକ ଧରିଛୁ। ସେହି ବିଷୟରେ ତ ଆଲୋଚନା ପାଇଁ ମୁଁ ତୋତେ କଲ୍ କରିଥିଲି।
-ଏଥିରେ ଆଲୋଚନା କଣ। ସିଧା ବିଷୟଟା ତ। କିଛି ତ ବଙ୍କା ତେଢା ଲେଖା ହେଇନି ।
ସୁରଜ ହସି ଦେଇ କହିଲା ହୋଉ କହୁଛି।

ନାରୀ ବିଷୟରେ କୌଣସି କଥା କହିବା ପାଇଁ ଆମକୁ ପୁରା ସ୍ଵାଧୀନତା ମିଳିଗଲା ପରି ଆମେ କହି ପକାଉଛେ ନହେଲେ କାହାଣୀ ରେ ଅବତାରଣା କରି ଦେଉଛେ । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ନାରୀ ବିଷୟରେ ଘଟଣା ପ୍ରବାହ ର ବିଷଯକୁ ବାରମ୍ବାର ଉଠେଇ ଆମେ ସମସ୍ୟା କୁ ବଢାଉଛେ ସିନା ସମାଧାନ କରୁନାହୁଁ। ଏ ଗଳ୍ପରେ ଲେଖକ ନାରୀ ବିଷୟରେ ଯେଉଁ ପ୍ରସଙ୍ଗ ଟିକୁ ଉଠାଇଛନ୍ତି ତାହା ନାରୀ ବିରୋଧୀ ଓ ସମାଜକୁ ଏକ ଭୂଲ ବାର୍ତ୍ତା ଦେଉଛି। ଝିଅଟିଏ ବୋହୂ ହେଇଗଲେ ଶାଶୁଘରେ ସବୁ ଦାୟିତ୍ଵ ନେଇ ପାରିଲେ ତାର ସମ୍ମାନ ପାଇବ ନହେଲେ ନାହିଁ କହିବାଟା ଅଯଥାର୍ଥ। ଗଳ୍ପରେ ଲେଖା ଲେଖକଙ୍କ ପାଇଁ ଯେତିକି ମୂଲ୍ୟ ବହନ କରେ ତାଠାରୁ ଅଧିକ ମୂଲ୍ୟ ବହନ କରେ ପାଠକ। କାରଣ ପାଠକଙ୍କ ସଂଖ୍ୟା ଅସଂଖ୍ୟ। ବର୍ଯ୍ୟ ସାହିତ୍ୟ ଦ୍ଵାରା  ତାଙ୍କ ପାଖରେ ଯଦି କୌଣସି ଭୂଲ ବାର୍ତ୍ତା ପହଞ୍ଚି ଯାଏ ତାହେଲେ ସେମାନେ ସମାଜ ନଷ୍ଟ ହେବାର କାରଣ ହେବେ।

-- ଏତେବଡ କଥା ୟା ଭିତରେ ଅଛି। ମୁଁ ଜମା ଜାଣି ପାରିଲିନି। କିନ୍ତୁ ମୁଁ ବି ତ ଜଣେ ପାଠକ। ଯଦି ମୋ ମନରେ ସେମିତି କିଛି ବର୍ଯ୍ୟ ସାହିତ୍ୟ ଦୃଷ୍ଟି ହେଉନାହିଁ ତାହେଲେ ଅନ୍ୟମାନଙ୍କୁ ବି ହେଇ ନପାରେ। ଯେଉଁ ମାନଙ୍କୁ ସାହିତ୍ୟ ବର୍ଯ୍ୟ ବୋଲି ଲାଗିବ ସେ ଗ୍ରହଣ କରିବ କାହିଁକି। ବର୍ଯ୍ୟ ଭାବି ତ୍ୟାଗ କରି ଦେବ।
- ଏଠି ବର୍ଯ୍ୟ ସାହିତ୍ୟ କଥା ମୁଁ କହୁନି। ନାରୀକୁ ନେଇ ବର୍ଯ୍ୟ ବିଷୟବସ୍ତୁ କଥା କହୁଛି।
- ସେ ଗଳ୍ପରେ କଣ ତାହାଲେ ଏମିତି ବର୍ଯ୍ୟ ବିଷୟ ଅଛି ମୋତେ ବିସ୍ତାର କରି କହ। ମୋତେ ଗଳ୍ପଟି ବେଶ ଶିକ୍ଷଣୀୟ ଲାଗିଲା।
- ସେଇଥିପାଇଁ ତ ଡାକିଲି। କହୁଛି ଶୁଣ -
ସମାଜରେ ଯେତେ ନିୟମ, ଚଳଣି, ପରମ୍ପରା ଇତ୍ଯାଦି ସମାଜକୁ ପରିପୁଷ୍ଟ ତଥା ବଳିଷ୍ଠ ସମାଜ ସୃଷ୍ଟି କରିବାରେ ସାହାଯ୍ୟ କରେ । କିନ୍ତୁ ଏହା ମଧ୍ୟ ଜାଣି ରଖିବା ଉଚିତ ଯେ ନିୟମ ଓ ଚଳଣି ସମୟ ଅନୁଯାୟୀ ପରିବର୍ତ୍ତନଶୀଳ । ସମାଜକୁ ଖାପ ଖୁଆଇବା ପାଇଁ ଆମେ ନିୟମରେ ସୁଧାର ଆଣୁ ଓ ତାହା ସମାଜର ଶ୍ରୀ ବୃଦ୍ଧି ରେ ହିତକର ହୁଏ। । ଏକଦା ସତୀ ପ୍ରଥା ଆମର ପରମ୍ପରା ଥିଲା । ଏ ପ୍ରଥାର ଦ୍ୱାହି ଦେଇ ନାରୀକୁ କଣ ଆମେ ଆଜି ଚିତାକୁ ଠେଲିଦେଇ ପାରିବା । ଏହା ଉଚିତ ବୋଲି କିଏ କହିବ କି?

ସୋହନ କହିଲା - ହଁ ଏହା ସତ୍ୟ। କିନ୍ତୁ ଗଳ୍ପରେ ତ ଏଭଳି କୌଣସି ମନ୍ତବ୍ୟ ନାହିଁ।
- ନାହିଁ ବୋଲି ତ ମୁଁ ଉଦାହରଣ ଦେଉଛି। ତୁ ମୋ କଥା ଆଗ ଶୁଣି ଯା'। ମୁଁ ସବୁ କହିସାରେ।
- ହୋଉ କହ। ମୁଁ ମୁହଁ ବନ୍ଦ କଲି। ସୋହନ ହସିଦେଇ କହିଲା

ସ୍ଵରୂପା କଫି ଟ୍ରେ'ଟା ରଖି ଦେଇ ଯାଇଥିଲେ। ସୁରଜ ଗୋଟିଏ କପ କଫି ସୋହନକୁ ବଢେଇ ଦେଇ କହିଲା, ଦ୍ଵିତୀୟ କଥା ହେଲା ଗଳ୍ପରେ ଗୋଟିଏ ବାକ୍ୟ ଲେଖା ହେଇଛି - ଶାଶୁ ଘରକୁ ବୋହୂ ଆସିଲେ ତାକୁ ନିଜ ଆଚରଣ ଦ୍ଵାରା ସମ୍ମାନ  ଅର୍ଜିବାକୁ ପଡେ, କିନ୍ତୁ ଜ୍ୱାଇଁକୁ ସେ ସମ୍ମାନ ଶାଶୁଘରେ ଆପେ ଆପେ ମିଳି ଯାଇଥାଏ । ଏହି ବିପରୀତ ଧର୍ମୀ ଚିନ୍ତାଧାରାକୁ hypocrisy କୁହାଯିବ କି ନାହିଁ କହ । ବୋହୂକୁ ହାସଲ କରିବାକୁ ପଡ଼ିବ ଅଥଚ ଜ୍ୱାଇଁ କୁ ଆପେ ମିଳିଯିବ। ଏଗୁଡ଼ିକ ସମାଜର ଅନ୍ଧ ପରମ୍ପରା। ଏସବୁ ଚିନ୍ତା ଧାରା ସମାଜ ପାଇଁ କଣ ଶୁଭ । ଯଦି ଜ୍ୱାଇଁକୁ ପରିବାରଟିଏ ଆପେ ଆପେ ସମ୍ମାନ ଦେଇ ପାରୁଛି ତାହେଲେ ବୋହୂକୁ ସେ ସମ୍ମାନ ଆପେ ଆପେ ମିଳୁନି କାହିଁକି ।

ସୋହନ କହିଲା - ହଁ ଗମ୍ଭୀର କଥା ନିଶ୍ଚୟ। କିନ୍ତୁ ବୋହୂକୁ ସମ୍ମାନ ମିଳୁନି ବୋଲି ତ କୋଉଠି ଲେଖା ହେଇ ନାହିଁ। ହଁ !ଲେଖକଙ୍କର  ଆପେ ଆପେ ମିଳୁନି କହିବାର ଅର୍ଥ ଅଲଗା। ମୁଁ ଯୋଉ ଦୃଷ୍ଟି ଭଙ୍ଗିରେ ଦେଖୁଛି ତୁ ଯଦି ସେଇ ଦୃଷ୍ଟି ଭଙ୍ଗିରେ ଦେଖିବୁ ବୁଝି ପାରିବୁ।
-ଏଥିରେ ପୁଣି ଦୃଷ୍ଟି ଭଙ୍ଗି କଣ !
- ହୋଉ ମୁଁ କହୁଛି। ଘରକୁ ଜ୍ୱାଇଁ ଆସିଲେ ଭଲ ଆସନ ଭଲ ଖାଇବା ପିଇବା ଦିଆଯାଏ ବୋଲି ଆପେ ଆପେ ସମ୍ମାନ ମିଳେ ବୋଲି ଆମେ କହୁ। ଏୟା ତ! ଯଦି ଘରକୁ ବୋହୁ ଆସିବ ଓ ଏପରି କରାହେବ। ଯେମିତି କୁହା ହେବ ବସନ୍ତୁ। ଏଇଟା ଖାଆନ୍ତୁ ସେଇଟା ଖାଆନ୍ତୁ ଇତ୍ଯାଦି ଇତ୍ଯାଦି ତାହେଲେ ବୋହୂର ସମ୍ମାନ ହେବ ବୋଲି କହୁଛୁ ତ।
- ହଁ। ପୁରୁଷ ସ୍ତ୍ରୀ ସମସ୍ତେ ସମାନ।
- ତୋ ମୁଣ୍ଡ ଖରାପ ହେଇ ଗଲାଣି। ନହେଲେ ଏଭଳି ଚିନ୍ତାଧାରା ର କଥା ତୁ କୁହନ୍ତୁ ନାହିଁ। କୌଣସି ବୋହୂ ଏଭଳି କେବେ ଚାହାନ୍ତି ନାହିଁ। ତୁ କେବଳ ଗାଳ୍ପିକ କୁ ନିନ୍ଦା କରିବାକୁ ଯାଇ ଏମିତି କହୁଛୁ। ମନେରଖ ଗାଳ୍ପିକ ତାର ସାହିତ୍ୟ କୃତି ତାର ଚିନ୍ତାଧାରାକୁ ନେଇ ସୃଷ୍ଟି କରେ। ପାଠକ ତାକୁ ଗ୍ରହଣ ବି କରିପାରେ ପରିତ୍ୟାଗ ବି କରିପାରେ। ସେଥିରେ ସାହିତ୍ୟିକ ର କିଛି ଦୋଷ ନାହିଁ। ହଂସ କ୍ଷୀର ରୁ ଜଳ ବାହାର କରି ଦେଲା ପରି ଯାହା ଗ୍ରହଣ କରିବା କଥା କରିବ।

- କିନ୍ତୁ ମୁଁ ଯାହା କହିଲି କଣ ଭୁଲ ।
- ନାରୀ ପୁରୁଷ କୁ ସମାନ ଦୃଷ୍ଟିରେ ଦେଖିବା କେବେ ଭୁଲ ନୁହେଁ। କିନ୍ତୁ ସେମାନଙ୍କ କାର୍ଯ୍ୟ ଶୈଳୀ ଯେହେତୁ ଭିନ୍ନ ସବୁ ଜିନିଷ କୁ ସମାନ ଭାବରେ ତୋଉଲି ହେବ ନାହିଁ। ହଁ! ତୋଉଲି ପାରିଲେ ଖୁବ୍ ଭଲ। କିନ୍ତୁ ମନେରଖ ଆମକୁ ଯାହା ଠିକ ଲାଗେ ଓ ଭଲ ବୋଲି ଦୃଶ୍ୟମାନ ହୁଏ ତାକୁ ଅଗ୍ରାହ୍ୟ କରିହେବ ନାହିଁ ଏବଂ ତାହା ହିଁ ନାରୀ ଗଳ୍ପର ବିଷୟବସ୍ତୁ । ବୋହୂ ଶାଶୁ ଘରେ ସମସ୍ତ ଦାୟିତ୍ବ ନେବା ଟା ଯେ ତାର ଅସମ୍ମାନ ଏଭଳି ଚିନ୍ତାଧାରା ଏପର୍ଯ୍ୟନ୍ତ ସୃଷ୍ଟି ହେଇନାହିଁ।
- ହୋଉ ତୋ କଥା ଠିକ,  ହେଲେ ମୁଁ ଭାବେ ଲେଖକ ବିପରୀତ ବିଚାର ଧର୍ମୀ ହେବା ଆବଶ୍ଯକ ଯାହା ଦ୍ୱାରା ଏଭଳି ଚିନ୍ତାଧାରା ସମାଜରେ ସୃଷ୍ଟି ହେବା ସମ୍ଭବ ହେବ। ମୋର କହିବାର ଅର୍ଥ ନାରୀ ପୁରୁଷର ଯଦି ଅସମାନତା ଅଛି ତାହେଲେ ଲେଖକ ତା ପାଇଁ ଲେଖିବା ଉଚିତ।
- ତୋର ଭାବିବା ନେଇ କଣ ଲେଖକ ଲେଖିବ କି। ନାରୀ ପୁରୁଷର ଅସମାନତା ଯଦି ଅସମ୍ମାନର କାରଣ ହୁଏ ତାହାଲେ ଲେଖିବା ଉଚିତ।
ଆଛା ମୋତେ କହିଲୁ ଏବେ ଭାଉଜ କଫି କରି ଆଣିକି ଦେଲେ। ସେ କଣ ଏ ଘରର ଚାକରାଣୀ। ତୁ ଆଣିକି ଦେଲୁନି।
- ହଁ ମୁଁ ବି କଫି କରେ। ମୋତେ କହିଥିଲେ ମୁଁ ବି କରି ଦେଇ ପାରିଥାନ୍ତି।
- ତୋତେ କାହିଁକି କହିବାକୁ ପଡିବ। ଭାଉଜଙ୍କୁ ତ କହିବାକୁ ପଡିଲାନି। ସେ ତ ସ୍ଵାଭାବିକ ଭାବରେ ଖୁସି ମନରେ ଆଣି ଦେଇ ଦେଇ ଗଲେ।

ସୁରଜ ଉତ୍ତର ନଦେଇ ଚୁପ୍ ରହିଲା।

ସୋହନ ହସି ଦେଇ କହିଲା - ବୋହୂଟେ ଯେତେବେଳେ ଘରକୁ ଆସେ ଏସବୁ ଆଚାର ବ୍ୟବହାର ଦେଖିଲା ପରେ ତାର ମାନ ସମ୍ମାନ ବଢିଯାଏ। କିନ୍ତୁ ଜ୍ୱାଇଁ କୁ ଏସବୁ କରିବାକୁ ପଡେନି ବୋଲି ସେ ମାନ ସମ୍ମାନ ସାଙ୍ଗରେ ନେଇକି ଆସିଥାଏ ବୋଲି କୁହାଯାଏ। ତାମାନେ କଣ ଜ୍ୱାଇଁ ର ଆଚାର ବ୍ୟବହାର ଖରାପ ହେଲେ ତାକୁ ଖରାପ କୁହା ଯିବନି। ନିଶ୍ଚିତ ଖରାପ କୁହାଯିବ। ତେଣୁ ନାରୀ ପୁରୁଷ କୁ ସମାନ ନିକିତିରେ ତୋଉଲିଲେ ତୋଉଲି ହେବନି। ଏହା ଏକ ବିଚାର ଓ ସମାଜର ଦୃଷ୍ଟି କୋଣ। ଏସବୁ ପଛରେ ଗୋଟିଏ ଦର୍ଶନ କିନ୍ତୁ ସତ୍ୟ ।
ସୁରଜ ପଚାରିଲା -କଣ !
ସୋହନ କହିଲା - ଯାହା ଦ୍ଵାରା ଅନ୍ୟର ଦୁଃଖ ବଢେ କଷ୍ଟ ଲାଘବ ହୁଏ ନାହିଁ ସେଭଳି ପରମ୍ପରା ନିଶ୍ଚିତ ଭାବରେ ହିତଦାୟୀ ନୁହେଁ। କିନ୍ତୁ ଯାହା କଷ୍ଟ ହେଲେ ବି ସୁଖପ୍ରଦ ଦୁଃଖ ହେଲେ ବି ମର୍ଯ୍ୟଦା କାରକ ସେଥିରେ କୌଣସି ଅନୌଚିତ୍ୟତା ନାହିଁ। ସେଥିପାଇଁ ନାରୀ ପୁରୁଷର ଅସମାନତା ଯଦି କାହାର ଅସମ୍ମାନର କାରଣ ହୁଏ ତାହାଲେ ଲେଖିବା ଉଚିତ।

ସୁରଜ ଏଥର ହସିଦେଇ କହିଲା - ନାରୀ ସମାଜର ଏକ ଅନନ୍ୟ ଚରିତ୍ର। ଯେତେ ଅଧିକ ବିଶ୍ଳେଷଣ ହେବ ସେତେ ଅଧିକ ତର୍କ ହେବ। ମୋର ମସ୍ତିଷ୍କ ବୋଧେ ଏତେ ପରିପକ୍ବ ନୁହେଁ ଆଉ କୌଣସି ମତାମତ ଦେବା ପାଇଁ।

ସୋହନ ହାଲକା ଭାବରେ ହସିଦେଇ ଜଣେଇ ଦେଲା ଯେ କଥାର ସମାପ୍ତି ହେଲା।

ପ୍ରଶାନ୍ତ କୁମାର ହୋତା



Post a Comment

0 Comments