ମଦ୍ର ନରପତି ଅଶ୍ଵପତିଙ୍କର
ସନ୍ତାନ ସନ୍ତତି ନ ଥିଲେ
ମୁନି ଋଷି ଡାକି ସନ୍ତାନ ମନାସି
ସାବିତ୍ରୀ ମନ୍ତ୍ରକୁ ଜପିଲେ ll
କନ୍ୟାରତ୍ନ ଟିଏ ପାଇଲେ ରାଜନ
ସାବିତ୍ରୀ ନାମ ତା ରଖିଲେ
ପଦ୍ମିନୀ ଜାତୀୟ ସତର ବୟସୀ
ଋଷି ଆଶ୍ରମରେ ବୁଲିଲେ ll
ଅପୂର୍ବ ତରୁଣ ଦେଖି ଆଶ୍ରମରେ
ମନ ମଧ୍ୟେ ତାଙ୍କୁ ବରିଲେ
ରାଜାରାଣୀ ହେଲେ ବ୍ୟଥିତ ଏ ପାଇଁ
ନାରଦ ମୁନିଙ୍କୁ ପୁଛିଲେ ll
ଅବନ୍ତି ରାଜନ ଦ୍ୟୁମତ ସେନ ଯେ
ଜନମ ରୁ ଅନ୍ଧ ଅଟନ୍ତି
ଶତ୍ରୁ ପରାଭୟେ ପୁତ୍ର ସାଥେ ଯାଇ
ବନସ୍ତ ମଧ୍ୟରେ ଅଛନ୍ତି ll
ନାରଦ ଙ୍କଠାରୁ ଜାଣିଲେ ଏ ସବୁ
ଅଳ୍ପାୟୁ ସେ ପୁତ୍ର ଜୀବନ
ସାବିତ୍ରୀ କଥା ରେ ସହମତି ହୋଇ
ବରଣ କଲେ ସତ୍ୟବାନ ll
ସତୀ ନାରୀ ସିଏ ଜ୍ଞାନ ବୁଦ୍ଧି ବଳେ
ସ୍ୱାମୀଙ୍କ ଜୀବନ ରଖିଲେ
ଯମ ରାଜା ଠାରୁ ତିନି ବର ମାଗି
ଦୁଇ କୁଳ ହିତ କରିଲେ ll
ଦୁହିତା କରନ୍ତି ଦୁଇ କୁଳ ହିତ
ପ୍ରମାଣ କରି ସେ ରହିଲେ
ପ୍ରଥମ ବରରେ ଅନ୍ଧ ଶ୍ୱଶୁରଙ୍କ
ଚକ୍ଷୁ ଓ ରାଇଜ ମାଗିଲେ ll
ଦ୍ୱିତୀୟେ ପିତାଙ୍କ ବଂଶ ରକ୍ଷା ପାଇଁ
ସାତ ପୁତ୍ର ଦିଅ କହିଲେ
ତୃତୀୟ ବରରେ ଶତପୁତ୍ର ମାଗି
ସତ୍ୟବାନ ଫେରିପାଇଲେ ll
ସେହି ଦିନ ଠାରୁ ପତିସୁହାଗିନୀ
ସାବିତ୍ରୀ ବ୍ରତକୁ ପାଳନ୍ତି
ସ୍ୱାମୀ ସନ୍ତାନଙ୍କ ଆୟୁଷ ମାଗିଣ
ଭକ୍ତି ନଇବେଦ୍ୟ ଦିଅନ୍ତି ll
ଭକତି ପ୍ରେମରେ ପୂଜିଲେ ସାବିତ୍ରୀ
ସତୀ ଆଶିଷ ଯେ ପାଇବ
ପତି ପତ୍ନୀ କଳି ପରିବାର ଦୁଃଖ
ସବୁଦିନ ପାଇଁ ତୁଟିବ ll
ଆଧୁନିକତା ରେ ମନ ବଳାଅନି
ଆଧ୍ୟାତ୍ମିକ ଚିନ୍ତା କରିବ
ସୁଖର ସଂସାର ଗଢିବାକୁ ହେଲେ
ପରମ୍ପରା ମାନି ଚଳିବ ll
ରତିନାରାୟଣ ରାଉତ (ପ୍ର. ଶି.)
ହରିଚନ୍ଦନପୁର, କେନ୍ଦୁଝର, ଓଡିଶା
ମୋ.-9438059197




0 Comments