କିଏ ଆଙ୍କିଦେଲା ଧୂସର ଗଗନେ
ସପ୍ତ ରଙ୍ଗେ ବୋଳା ଅପୂର୍ବ ଛବି...
ପାଦ ତଳେ ତାଙ୍କ ମୁଣ୍ଡ ଯାଏ ନଇଁ
କାରିଗରୀ ତାଙ୍କ ମନରେ ଭାବି...
ତାଙ୍କୁ କି ଉପମା ଦେବି...
ଅନୁପମ ଯିଏ କୋଣେ ଅନୁକୋଣେ
ସବୁ ସୁଷମାର ଚାବି...
ସୁମନେ ସୁବାସ ତାରା ମୁଖେ ହସ
ସବୁ ଅଟେ ପରା ତାଙ୍କରି ଦାନ...
ସିଏ ତ ପ୍ରଦୋଷେ ପ୍ରଦୀପର ଜ୍ୟୋତି
ସେ ପୁଣି ଉଷାର ଆଦ୍ୟ କିରଣ...
ସର୍ବତ୍ର ସେ ବିଦ୍ୟମାନ...
ଆରମ୍ଭରେ ସିଏ ଅନ୍ତରେ ବି ସିଏ
ସିଏ ହିଁ ଏକା କାରଣ...
ବିଶ୍ୱ ଚରାଚର ସକଳ ସୁନ୍ଦର
ସୁନ୍ଦରତମ ସେ ଜଗତ ସାଇଁ...
ଜଳ ସ୍ଥଳ ନଦୀ ପର୍ବତ ବାରିଧି
ତାଙ୍କରି ପରଶେ ଶୋଭା ଦିଶଇ...
ସର୍ଵମୟ କର୍ତ୍ତା ସେଇ...
ତେଣୁ ଜଗତରେ ଅସୁନ୍ଦର ବୋଲି
କିଛି ବି ଜିନିଷ ନାହିଁ...
ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର




0 Comments