ଅକ୍ଷୟ ତୃତୀୟା - ଗୋଦାବରୀଶ ଦାସ


          
ବୈଶାଖ ମାସର  ଶୁକ୍ଳ ତୃତୀୟା ଯେ
       ଅକ୍ଷୟ ତୃତୀୟା ନାମ
ଅନାଦି କାଳରୁ   ଚାଷୀ ଭାଇ ଆଜି
       ଆରମ୍ଭଇ ଚାଷକାମ।
ଆରମ୍ଭ ହୋଇଛି  ସତ୍ୟ ଯୁଗ ପୁଣି
       ଅକ୍ଷୟ ତୃତୀୟା ଦିନ
ମାଆ ଲକ୍ଷ୍ମୀଙ୍କର  ପୂଜା କରି ଚାଷୀ
       ଅନୁକୂଳ କରେ ଧାନ।
ବୋଝ ନଉତିରେ   ଧଳା ଧାନ ରଖି
        ଚିତା ଚନ୍ଦନକୁ ବୋଳି
ମୁଣ୍ଡେ ଅକ୍ଷୀ ମୁଠି   ବିଲେ ନିଏ ଚାଷୀ
          ଘରେ ପଡେ ହୁଳହୁଳି।
କଦଳୀ ନଡ଼ିଆ  ଆମ୍ବ କ୍ଷୀର ଛେନା
       ଏକାଠି କରଇ ଲାଗି 
ଧୂପ ଦୀପ ଦେଇ   ଲକ୍ଷ୍ମୀଙ୍କୁ ପୂଜଇ
        ବରଷକ ସୁଖ ମାଗି।
ପର୍ଶୁରାମ ବୀର    ଜନ୍ମ ତିଥି ଏହି
       ଗଙ୍ଗା ଧରାବତରଣ
ଭଗୀରଥ ରଜା  ତପସ୍ୟା ବଳରେ
       କୂଳକଲେ ଉଦ୍ଧାରଣ।
ବ୍ରହ୍ମଦେବ ପୁତ୍ର   ଅକ୍ଷୟ କୁମାର
       ଜନ୍ମତିଥି ଶୁଭ ଦିନ
ଯୁଧିଷ୍ଠିର ହସ୍ତେ     ଅକ୍ଷୟ ପାତ୍ରକୁ
      ସୂର୍ଯ୍ୟ କରିଗଲେ ଦାନ।
କୌରବ ପାଣ୍ଡବ  ଅଷ୍ଟାଦଶ ଦିନ
      ଯୁଦ୍ଧ ହେଲା ଆଜି ଶେଷ
ଗଣେଶଙ୍କ ହସ୍ତେ   ଚାରିବେଦ ସିନା
      ରଚିଥିଲେ ବେଦବ୍ଯାସ।
ପ୍ରଭୁ ବଳଦେବ     ଆଜି ସୁଦିନରେ
        ରେବତୀ ପାଣିଗ୍ରହଣ
କୋଟି ପୂଣ୍ଯ ମିଳେ  ଦରଶନେ ଆଜି
          ପ୍ରଭୁ ବଦ୍ରିନାରାୟଣ।
ସମୁଦ୍ର ମନ୍ଥନେ     ଶୁଭ ମୁହୁର୍ତ୍ତରେ
     ମାଆ ଲକ୍ଷ୍ମୀ ଆବିର୍ଭାବ
ମିଥିଳା  ରାଜନ     ମଞ୍ଜୁଷା ମଧ୍ୟରୁ
     ବୈଦେହୀଙ୍କୁ କଲେ ଠାବ।
କେନ୍ଦୁବିଲ୍ବ ଗ୍ରାମେ  ଭକ୍ତ ଜୟଦେବ
      ଜନ୍ମିଥିଲେ ଆଜ ଦିନ
ଗୀତ ଗୋବିନ୍ଦଯେ  ରଚନା କରିଲେ
       ତୋଷି ପ୍ରଭୁଙ୍କର ମନ।
ଜଗତର ନାଥ    କାଳିଆ ସାଆନ୍ତ
       ରଥକାଠ ଅନୁକୂଳ
ଚନ୍ଦନ ଯାତରା  ଆରମ୍ଭ  ହୁଅଇ
     ବାଜି ଘଣ୍ଟ ଖୋଳତାଳ।
କୁବେର ଦେବତା  ପ୍ରାପ୍ତି ହୋଇଥିଲେ
       ଜଗତର ସବୁ ଧନ
ଆଜିର ଦିନରେ କାର୍ଯ୍ୟ  ଆରମ୍ଭିଲେ
      ପୂର୍ଣ୍ଣ ହୁଏ ମନସ୍କାମ।
"""""""""""""""""""""""""""""""""""""
ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ନୟାଗଡ଼

Post a Comment

0 Comments