ଫେରିବାର ଅଛି କେହି- ଭାରତୀ ରଥ



ଫେରିବାର ଅଛି କେହି 
ବସିଛି ତା ବାଟ ଚାହିଁ 
କେତେଦିନ ଚାହିଁଥିବି ଜାଣେନା 
ଯାଇନାହିଁ ଅଭିମାନେ 
ଅବା କେଉଁ ଘୋର ବନେ 
ଥିଲା ଯାହା ସମୟର ତାଡନା । 

ଭାବେ ବସି ବେଳେବେଳେ 
ପୁଅକୁ ଧରି ମୁଁ କୋଳେ 
ଦେଖିପାରିବ କି ତା'ର ବାପାକୁ ଦାଦନ ସେ ଖଟିବାକୁ 
ଯାଇଅଛି ବିଦେଶକୁ 
ସେଦିନୁ ଫେରିନି ଆଉ ଘରକୁ ।

ଭୂଆସୁଣୀ ଝିଅ ଛାଡି 
ପଦାକୁ ସେ ଗୋଡ଼ କାଢି 
ରୋଜଗାର ଆଶେ ଗଲା ବିଦେଶ 
ଅବାଡୁଆ ଝିଅ ମୋର 
ଚାହିଁଛି ବାପାକୁ ତା'ର 
ଆସିଲେ  ସାଜିବ ସେ ବୋହୂ ବେଶ ।

ଦିନ ତ ଯାଉଛି ବିତି 
କଟେ ନାହିଁ ଜମା ରାତି 
ମନେ ଖେଳେ କେତେକେତେ ଆଶଙ୍କା 
ସତେକି ଆସନ୍ତା ଫେରି 
ବନ୍ଦୀଶାଳାରୁ ବାହାରି 
ଛାଡ଼ନ୍ତିନି ଆଣିବାକୁ ଯେ ଟଙ୍କା । 

ଖୋଅଜ ଖବର ନାହିଁ 
ରହିଛି ସେଦିନୁ ଯାଇ 
ଜୀବିତ କି ମୃତ କେହି ଜାଣେନା 
ଏକା ଏକା ବସେ ଯେବେ 
ତାଆରି କଥା ହିଁ ଭାବେ 
ଯେତେ ବୁଝାଇଲେ ମନ ମାନେନା  । 

ଉଆଁସ, ପୁନେଇଁ କେତେ 
ଚାଲିଯା'ନ୍ତି ତାଙ୍କ ପଥେ 
କାଳ ରାତି ମୋ ପାଇଁ ଯେ ସରେନି 
ଚାହିଁଛି ମୁଁ ଥିବି ଚାହିଁ 
ଫେରିବାର ଅଛି କେହି 
ଡାକିଦେବ ହସି -"ପ୍ରାଣସଙ୍ଗିନୀ" ।

ଭାରତୀ ରଥ 
ରଗଡି, ବାଙ୍କୀ, କଟକ.

Post a Comment

0 Comments