ମିନତି ଘେନ(୧୨୮)- ରଞ୍ଜନ କୁମାର ପଣ୍ଡା



ସତ୍ୟ ପଥେ ଧର୍ମ ପଥେ ଗମେ ନିରନ୍ତର
ଭାବନା ମୋ ସ୍ଵଛହେଉ ମିନତି ମୋହର ।
ଭାବ ବିନୋଦିଆ ପ୍ରଭୁ ଅଭାବ ନ କର
ଭାବନା ରାଇଜେ ସଦା ରଖ ହେ ଈଶ୍ୱର ।
ଭାବନା ମୋ ନିରନ୍ତର ରହୁ ତୁମଠାରେ
ତୁମ ବିନା ଆନ ଗତି ନାହିଁ ଏ ବିଶ୍ୱରେ ।
ଲୀଳାମୟ ନିରାକାର ଅନନ୍ତ ଅପାର
ସତ୍ୟ ଶିବ ସୁନ୍ଦର ହେ ତୁମେ ଏ ବିଶ୍ୱର ।
ଅକାର୍ଯ୍ୟରେ ମୋର ମତି ନ ରହୁ ସଂସାରେ
କାର୍ଯ୍ୟ ଭାର ଦୁଃଖ କେବେ ନ ଆସୁ ମନରେ ।
ଭାଗ୍ୟ ହୀନ ବୋଲି କେବେ ନ ଭାବେ ମନରେ
ତୁମେ ପରା ଭାଗ୍ୟ ଦାତା ଅଟ ଏ ସୃଷ୍ଟିରେ ।
ଦୁଃଖି ରଙ୍କି ସେବା ପାଇଁ ଦିଅ ମୋତେ ଶକ୍ତି
ଗୁରୁ ଜନଠାରେ ରହୁ ମୋର ସଦାଭକ୍ତି ।
ନାରୀ ଜନ ଅଟନ୍ତି ମୋ ମାତୃ ଭଗ୍ନୀଗଣ
କେବେ ନ ସୁଝି ପାରିବି ମୁଁ ଯେ ତାଙ୍କ ଋଣ ।
ଲମ୍ପଟି କପଟି ଜଗତର ଶତ୍ରୁ ଜନ
ସେମାନଙ୍କଠାରୁ ଦୁରେ ରହୁ ମୋର ମନ ।
ଅସହାୟ ଜନତାର ସେବକ ମୁଁ ହୁଏ
ତାଙ୍କ ସେବା ବ୍ରତେ ମୋର ଜୀବନ ବିତାଏ ।
ଏତିକି ମିନତି ମୋର ରଖ ଜଗନ୍ନାଥ
ସତ୍ୟ ଧର୍ମ ନୀତି ନିଷ୍ଠ ହେଉ ମୋର ପଥ ।

 ରଞ୍ଜନ କୁମାର ପଣ୍ଡା
କୋରାପୁଟ

Post a Comment

0 Comments