ମିଳନ୍ତା କି ଟିକେ ଖୁସି - ବିନୋଦିନୀ ଦାଶ



ଏ ମୋହ ଜଞ୍ଜାଳେ ମନ କହୁଅଛି
ମିଳନ୍ତା କି ଟିକେ ଖୁସି,
ହେଲେ ଛଟପଟେ ତାକୁ ଅନାଇଁବା 
ଯାହା ବୃଥା ଦିବାନିଶି,
ମନ ପାରୁନି ଭରସି,
ସତେ କି ସେ ଆସି ଦେବ ମୋ ପ୍ରାଣକୁ
ମୃଦୁ ପରଶେ ଆଉଁସି ।

ପୁଣି ମନ କହେ ରେ ନିର୍ବୋଧ ମନ,
ଖୁସି ତୋ ନିଜ ଭିତରେ,
ସ୍ଥିର ଆଉ ସଂଯମତା ରକ୍ଷା କରି
ଖୋଜ ତୁହି ନିଜଠାରେ,
ନିଶ୍ଚେ ପାଇବୁ ଅଚିରେ,
ସବୁ ଆନନ୍ଦର ମୂଳ ପରା ମନ
ବୃଥା ଖୋଜୁ ଅନ୍ୟଠାରେ ।

ଲୋଭ, ଈର୍ଷା, ଦ୍ବେଷ, ଗର୍ବ, ଅହଂକାର
ଛାଡି଼ ତୁ ସତ୍କର୍ମେ ଧ୍ୟାନ,
ଦୁଃଖୀ ଆଖି ଲୁହ ଯଦି ପୋଛିଦେବୁ
ଦେଖାଇ ଆପଣାପଣ,
ଶାନ୍ତିକୁ ଅନୁଭବିଣ,
ନିଶ୍ଚୟ ତୋହର ହୃଦୟ ପ୍ରଦେଶେ
ଖୁସିଟି ବିରାଜମାନ ।

ନରନାରାୟଣ ସେବାରେ ରହିଛି
ଖୁସି ଯେ କେତେ ଅପାର,
ସେ ପଥେ ଆଗେଇ ଗଲେ ସିନା ତୁହି
ଭେଦିବୁ ତା' ମର୍ମ ସାର,
ଖୁସି ହୋଇଣ ଈଶ୍ବର,
ଢାଳି ଦେବେ ତୋତେ ସେ ଖୁସି ଅମାପ
ଯାହା ପ୍ରାପ୍ତ ତୋ କର୍ମର ।

ଅନ୍ୟଥା ଖୁସିକୁ ଯେତେ ଖୋଜିଲେ ବି
ଜୀବନରେ ନ ପାଇବୁ,
ହାର୍ ଜିତ୍ ଏହି ଦୁନିଆ ଭିତରେ
ହାରିବା ସାର ମଣିବୁ,
ଜୀବନ ବୃଥା କରିବୁ,
ଅଶାନ୍ତି ଜ୍ଜ୍ବାଳାରେ ଦଗ୍ଧୀଭୂତେ ସଦା
ଅକାରଣେ ନାଶ ଯିବୁ ।

ବିନୋଦିନୀ ଦାଶ
କୁରୁଆଁ, ମୁଗପାଳ, ଯାଜପୁର

Post a Comment

0 Comments