କଳା ମେଘମାଳ ଶୋହେ ନଭକୋଳ
ନୀରବ ଗମ୍ଭୀର ଉଷା
କୋଳାହଳ ହୀନ ଏ ବାତାବରଣ
ବରଷା ପୂର୍ବ ପ୍ରତ୍ୟାଶା।
ମୃଦୁ ସମୀରଣ ଭରେ ଶିହରଣ
ରାବଦେଲେ କାକ ପିକ
ସଜାଗ ହୁଅ ହେ ଜଗତର ଜନ
ଦିଅନ୍ତି ସଭିଙ୍କୁ ଡାକ।
ମାତ୍ର ପ୍ରାଚୀଭାଗେ ନ ଦିଶଇ ସେଇ
ଉଜ୍ବଳ ଲୋହିତ ଆଭା
ଫିକା ଫିକା ଲାଗେ ଏଇ ପ୍ରତ୍ୟୁଷର
ସ୍ନିଗ୍ଧ ପ୍ରଭାହୀନ ଶୋଭା।
ଯେଉଁ ବାଳରୂପ ଦର୍ଶନପାଇଁ କି
ସଂସାର ହୁଏ ବ୍ୟାକୁଳ
ସତେକି ସେ ଘନ ବହଳ ଚାଦରେ
ଗଭୀର ତନ୍ଦ୍ରାରେ ଭୋଳ।
ବରଷାର ସ୍ତୁତି ଗୁଞ୍ଜରଣେ ଏଇ
ଗନ୍ଧବାହ ବହେ ଖର
ପାଦପେ ସାନନ୍ଦେ ଦୋଳି ଖେଳୁଛନ୍ତି
ପୁଲକିତ ମଞ୍ଚପୁର।
ମୂଳିସିଂ, ସହର
ଜଗତସିଂହପୁର



0 Comments