ଦୀନବନ୍ଧୁ ରାଉତଙ୍କର ଗୋଟିଏ ବୋଲି ଝିଅ ମଧୁସ୍ମିତା l ସ୍ନେହ ଯତ୍ନରେ ତାକୁ ଶିକ୍ଷା ଦୀକ୍ଷା ଦେଇ ବଡ଼ କରାଇ ଥିଲେ l ଉପଯୁକ୍ତ ବୟସ ହେବାରୁ ତାକୁ ନିଜର ବନ୍ଧୁ ଜଗନ୍ନାଥ ସାମଲଙ୍କ ପୁଅ ସୁନୀଲଙ୍କ ସହିତ ବିବାହ କରାଇ ଦେଇ ଥିଲେ l ସୁନୀଲ କୁମାର ଶାନ୍ତ, ଶିଷ୍ଟ ପିଲାଟିଏ l ଶାନ୍ତି ଶୃଙ୍ଖଳା ବିଭାଗର ତାଙ୍କର ଚାକିରୀ l ପୋଲିସ ବିଭାଗର ସବନିସ୍ପେକ୍ଟର ପଦବୀ ପାଇଛନ୍ତି l ସମୟାନୁବର୍ତ୍ତୀ, କର୍ମତତ୍ପର ସେ l ଘରେ ତାର ବାପା, ମା' ଓ ସ୍ତ୍ରୀ ସସ୍ମିତା l ବାପା ଜଗନ୍ନାଥଙ୍କୁ ଶ୍ଵାସ ରୋଗ ସହିତ ପାରାଲିସିସ ଆଟାକ କରିଛି କିଛି ଦିନ ପୂର୍ବରୁ l ମା' କୁମୁଦିନୀ ବାପାଙ୍କର ସେବା ଯତ୍ନ କରନ୍ତି l ସସ୍ମିତା ମଧ୍ୟ କାମରେ ଶାଶୁଙ୍କୁ ସାହାଯ୍ୟ କରନ୍ତି l ବାପା ଜଗନ୍ନାଥଙ୍କର ବ୍ଲଡ଼ପ୍ରେସର ସ୍ଥିର ରହୁ ନ ଥାଏ l କେତେ ବେଳେ ପ୍ରେସର ବଢ଼ି ଯାଉଛିତ କେତେ ବେଳେ କମି ଯାଉଛି l ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ଚାଲିଛି l
ସେଦିନ ଥିଲା ଭାରତ ବନ୍ଦ l ସକାଳ ଛଅଟାରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ l ଚକ ଅଖ ସବୁ ବନ୍ଦ l ଗ୍ରୀଷ୍ମ ଋତୁର ପ୍ରଭାବ l ସୁନୀଲ ସକାଳେ ସକାଳେ ଚା ବିସ୍କୁଟ ଖାଇ ଦେଇ ବାହାରି ପଡିଲା ଡ୍ୟୁଟିରେ l ଗଲା ବେଳେ ମା ଓ ସ୍ତ୍ରୀ ସସ୍ମିତାକୁ କହିଗଲା ବାପାଙ୍କର ଧ୍ୟାନ ରଖିବାକୁ l କହିଲା ମା, ଯଦି ବାପାଙ୍କର ଦେହ ଅଧିକ ଖରାପ ହୁଏ, ତେବେ ମୋତେ ଫୋନ କରିବ l ମୁଁ ଅନୁମତି ନେଇ ଆସିବି l
ସୁନୀଲ ଚାଲିଗଲା ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ନିଜ କର୍ତ୍ତବ୍ୟ ପଥରେ l ସସ୍ମିତା କହିଲା, ମା ! ତୁମେ ବାପାଙ୍କ ପାଖରେ ଥାଅ, ମୁଁ ରୋଷେଇ କରିବାକୁ ଯାଉଛି l କିଛି ସମୟ ବିତି ଗଲା ପରେ ଜଗନ୍ନାଥ ବାବୁ ହଠାତ ଅଣନିଃଶ୍ୱlସୀ ହୋଇ ପଡିଲେ l ତାଙ୍କ ଛାତିରେ ଯନ୍ତ୍ରଣା ହେବାକୁ ଲାଗିଲା l ସେ ଖାଲି ଛଟ ପଟ ହେଲେ l ଶାଶୁ ବହୂ ବ୍ୟସ୍ତ ହୋଇ ପଡିଲେ l କଣ କରିବେ l ଦୁହେଁ ସୁନୀଲକୁ ବାରମ୍ବାର ଫୋନ କରୁଥାନ୍ତି l କିନ୍ତୁ ସୁନୀଲ ଫୋନ ରିସିଭ କରୁ ନ ଥାଏ l ଜଗନ୍ନାଥ ବାବୁଙ୍କର ଅବସ୍ଥା ଶୋଚନୀୟ ହୋଇ ପଡିଲା l ପାଖ ଗାଁରେ ଅଟୋରିକ୍ସା ଚଳାଉଥିବା ଗୋଟିଏ ପିଲାର ଫୋନ ନଂ କୁମୁଦିନୀ ପାଖରେ ଥିଲା l କୁମୁଦିନୀ ଫୋନ କରିବାରୁ ଅଟୋଵାଲା ଫୋନ ଉଠାଇଲା ସତ କିନ୍ତୁ ମେଡିକାଲ ପେସେଣ୍ଟ ନେଇ ଯିବାକୁ ରାଜି ହେଲାନି l କୁମୁଦିନୀ ବହୁତ ଅନୁନୟ ବିନୟ କରି କହିବାରୁ ଅଟୋଵାଲା ପେସେଣ୍ଟ ନେଇ ଡାକ୍ତରଖାନା ବାହାରିଲା l ସାଥିରେ ସସ୍ମିତା ଓ କୁମୁଦିନୀ ଗଲେ l କିନ୍ତୁ ରାସ୍ତାର ଛକ ଜାଗା ମାନଙ୍କରେ
କେତେକ ପିଲା ଟାୟାର ଜଳାଇ ରାସ୍ତା ଅବରୋଧ କରିଥିଲେ l ସେମାନେ ଅଟୋକୁ ଆଗକୁ ଯିବାକୁ ଛାଡିଲେ ନାହିଁ l କୁମୁଦିନୀ ସେମାନଙ୍କୁ ହାତ ଯୋଡି ବହୁ ବିନୟ କଲା l ଆଖିରୁ ତାର ଧାର ଧାର ଲୁହ ବହି ଯାଉ ଥାଏ l କିନ୍ତୁ ସେ ମଦୁଆ ମାନଙ୍କର କର୍ଣ୍ଣରେ ପଡିଲା ନାହିଁ l ଓଲଟା ଗାଳିଗୁଲଜ କଲେ l ଅଟୋକୁ ପିଟିଲେ l ବାଧ୍ୟ ହୋଇ ଅଟୋଵାଲା ପେସେଣ୍ଟକୁ ଧରି ଘରକୁ ଫେରି ଆସିଲା l ତାଙ୍କୁ ବେଡ଼ରେ ଶୁଆଇ ଦେଲା l ନିଜ ଘରକୁ ନ ଫେରି ସେଠାରେ ରହିଲା l
ସୁନୀଲ ସନ୍ଧ୍ୟା ୬ଟାରେ ଘରକୁ ଫେରିଲା l ଦେଖିଲା, ତାଙ୍କ ଘର ବାହାରେ କିଛି ସାହି ଲୋକ ରୁଣ୍ଡ ହୋଇଛନ୍ତି l ସୁନୀଲ ଜଣେ ବୟସ୍କ ଲୋକକୁ ପଚାରିଲା l ଦାଦା ! ଆମ ଘର ପାଖରେ ଏତେ ସବୁ ଲୋକ କାହିଁକି ରୁଣ୍ଡ ହୋଇଛନ୍ତି ? ଲୋକ ଜଣଙ୍କ କିଛି ନ କହି ଆଗକୁ ଯିବାକୁ ହାତରେ ସଂକେତ ଦେଲା l
ସୁନୀଲ ଘର ଭିତରକୁ ପଶି ଯାଇ ଯାହା ଦେଖିଲା, ତାର ପାଦ ତଳୁ ମାଟି ଖସିଗଲା l ସସ୍ମିତା କାନ୍ଦୁଥିଲା l ମା ତାର କାଷ୍ଠ ପଥର ଭଳି ବସି ରହି ଥିଲା ବାପାଙ୍କ ମୁଣ୍ଡ ପାଖରେ l ସସ୍ମିତା କହିଲା ତୁମେ ଗଲା ପରେ ବାପାଙ୍କ ଦେହ ହଠାତ ସିରିଏସ ହୋଇଗଲା l ତୁମକୁ ମା ଓ ମୁଁ କେତେ ଫୋନ କଲୁ, ତୁମେ ଫୋନ ଉଠାଇଲ ନାହିଁ l ସୁନୀଲ ଦେଖିଲା, ଫୋନ ସାଇଲେଣ୍ଟ ହୋଇଯାଇଛି l ୪୫ ମିସକଲ ଅଛି l
ସେ ନିଜକୁ ଧିକାର କଲା l ମା'ର ଦୋଷି ବୋଲି ନିଜକୁ ଭାବିଲା l ସୁନୀଲ ମା ବୋଲି କହି ହଲାଇ ଦେବାରୁ ଚିତ୍କାର କରି କାନ୍ଦି ଉଠିଲା କୁମୁଦିନୀ l ଭାରତ ବନ୍ଦ ତା ଜୀବନରେ କଳା ଦିବସ ହୋଇଗଲା l ତା ଶଙ୍ଖା ସିନ୍ଦୂର ସବୁଦିନ ପାଇଁ ତା ଠାରୁ ପର ହୋଇଗଲା l ତାର ପ୍ରାଣ ପ୍ରିୟକୁ ହରାଇ ସେ ଶ୍ରୀହିନା ହୋଇଗଲା l କୁମୁଦିନୀ ମୁଣ୍ଡ ଉପରେ ଦୁଃଖର ପାହାଡ଼ ଝରି ପଡିଲା l ତା ଜୀବନରେ ଖାଲି ଗରମ ଦୀର୍ଘ ଶ୍ୱାସ ବ୍ୟତୀତ ଆଉ କିଛି ନ ଥିଲା l
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର
0 Comments