ସଂସାର ବଞ୍ଚିଲେ ,ବଞ୍ଚିବା ତ ଭଲେ
ତା ଲାଗି ଆମ ଜନମ,
ବିଧାତା ବିଚାରି ଦେଲେ ସୃଷ୍ଟି କରି
ସୁରକ୍ଷା ଆମରି କାମ।
ସକଳ ଜୀବନ, ବିଚାର ସମାନ
ବଞ୍ଚିବାର ଅଧିକାର,
ରହିଛି ସବୁରି, ଧାତା ଦେଲେ କରି
ହେବବୋଲି ଦରକାର।
ତରୁ, ଲତା, ପ୍ରାଣୀ, ଅଣୁ ଜୀବ ପୁଣି
ମଣିଷ ସଙ୍ଗତେ ରହି,
ଚଳିଲେ ବିଧିରେ ନିଜ ଅବଧିରେ
ଅଶାନ୍ତି ବଢ଼ିବ କାହିଁ?
ସୀମା ଉଲଙ୍ଘନ ବିନାଶ କାରଣ
ଲୋଡ଼ି ଆଣଇ ବିପତ୍ତି,
ଅହଙ୍କାର ପଣ ବୃଥା ଆସ୍ଫାଳନ
ବିପଥେ କରାଏ ଗତି।
ଅଛି ଜଣେ କେହି, ଏ ବିଚାର କାହିଁ
କରିଛକି କେବେ ଦିନେ,
ନ ଥିଲେ, ସଂସାର ଚଳେ କିପ୍ରକାର
ଭାଳିଛକି କେବେମନେ?
ଧୀରେ କଲେ ଚିନ୍ତା ମିଳିଯିବ ସତ୍ତା
ସରିବନି ତାର କଥା,
ଭାଳୁ ଥିବ ନିତି ସରିବ ଶକତି
ଘୂରି ଯିବ ତୁମ ମଥା।
ଟାଙ୍ଗରା ଭୂଇଁରେ ଦୂବ ଉଙ୍କି ମାରେ
ଶୁଖିଲା ବୀଜରେ ଭ୍ରୁଣ,
ଅନନ୍ତ ସଂସାର ଘୂରେ ନିରନ୍ତର
ପର୍ବତ ଉପରେ ତ୍ରୁଣ।
ସାଗର ଜଳରେ ଶୋଲ ବୁଡ଼ି ପାରେ
ଉଡଇ ଗଗନେ ଶୀଳା,
ସଂସାର ଚାଳଇ ସର୍ବଦା ଭାଳଇ
କାହାକୁ ଜଣା ସେକଳା?
ବିଶ୍ୱାସରେ ପରା ଚଳେ ବସୁନ୍ଧରା
ଅବିଶ୍ୱାସେ ହେବ କିସ,
ମମତା ବନ୍ଧନେ ସବୁରି ବଦନେ
ଫୁଟାଅ ସର୍ବଦା ହସ।
ସଂସାରର ହିତ କରିଯାଅ ବ୍ରତ
ଯାଅ ବିଶ୍ୱ କର୍ମେ ମାତି,
ଆପଣାର କର୍ମ ମାନବିକ ଧର୍ମ
କାରଣେ ମିଳିବ ଶକ୍ତି।
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ
୯୫୮୩୪୩୮୧୭୪



0 Comments