ପେଞ୍ଜୋରାଣୀ ଇ-ପତ୍ରିକା





ସମ୍ପାଦିକାଙ୍କ କଲମରୁ......


ସହରର ପରିତ୍ୟକ୍ତ ସ୍ଥାନରେ, ପାହାନ୍ତି ଶୀତୁଆ ସକାଳର କାକର ବିନ୍ଦୁରେ ସଡ଼ ସଡ଼ ହୋଇ ନିଜକୁ ଆବିଷ୍କାର କରୁଥିଲା କୋମଳ ଶରୀରଟେ । ପାହାଡ଼ ସେପାଖ ଦୂର ବଳୟର ରକ୍ତିମ ଆଭାରେ ନିରୀହ ଆଖି ଦୁଇଟି ହୀରା ପରି ଚମକୁ ଥିଲା । ମଝି ମଝିରେ ଶୁଭୁଥିଲା ତାର ହୃଦୟ ବିଦାରକ କ୍ରନ୍ଦନ । ଯେତେବେଳେ କ୍ରନ୍ଦନ ଧ୍ୱନୀରେ ଓଠ ଥରୁଥିଲା ଆଖି ଦୁଇଟି ବନ୍ଦ ହୋଇଯାଉଥିଲା , ସେ ହଜିଯାଉଥିଲା ବେଇମାନ ସମାଜର ଅଢୁଆଳରେ । ସେ କନ୍ୟା ବୋଲି ଆଜି ଅଲୋଡ଼ା ନା କାହାର ପାପ କର୍ମର ପରିଣାମ କହିବା ମୁସ୍କିଲ । ଶୂନ୍ୟତାର ଆବରଣେ ଏକାକିତ୍ୱର ଚିତ୍କାରରେ ହିଂସ୍ର କୁକୁରମାନେ ସ୍ଥାଣୁ ପାଲଟି ଶିଶୁକୁ କ୍ଷତି ପହଞ୍ଚାଇ ନ ଥିଲେ । ଅପରିଚିତ ପୃଥିବୀରେ ନିଜସ୍ୱ ପରିଚୟ ପ୍ରାପ୍ତ ହେବା ପୂର୍ବରୁ ସମୟର ତାଡନାରେ ବଞ୍ଚିବାର କ୍ଷୀଣ ଅଭିଳାଷ ଲୁପ୍ତ ହେଉଥିଲା । ସେ ବା କଣ ଜାଣିବ ? କଣ ବୁଝିବ ? ଜୀବନ ତ ତାର ଆରମ୍ଭ ହେବା ପୂର୍ବରୁ ସମାପ୍ତି ଆଙ୍କିବାକୁ ଯାଉଥିଲା । 

      ଠିକ ଏହି ସମୟରେ ଏକ କଅଁଳ ସ୍ପର୍ଶରେ କୋମଳ ଶରୀର ସେଦିନ ମହାନୁଭ ପ୍ରାପ୍ତି କରିଥିଲା । ସଭ୍ୟ ସମାଜ ନିକଟରୁ ନିଜକୁ ବିଭିନ୍ନ କୁଉପାଧି ଅଭିଷିକ୍ତ କରି ମୃତ୍ୟୁକୁ ଆପଣେଇ ନେବାକୁ ଅଗ୍ରସର ହେଉଥିବା ଦୁଇ ପାଦରେ ଯେମିତି ସେଦିନ ଶିକୁଳି ବାନ୍ଧି ହୋଇଗଲା । ଶ୍ରୀମତୀ ଅନାମିକା ଚୌଧୁରୀଙ୍କ ପଥ ଦିଗ ପରିବର୍ତ୍ତନ କରିଦେଲା । ଶିଶୁକୁ ଛାତିରେ ଚାପି ସେ ଅନୁଭବ କଲେ ମାତୃତ୍ବର ଐଶ୍ୱରୀୟ ଆବେଗ । ସେହିଦିନଠାରୁ ଆରମ୍ଭ କଲେ ସେ "ଅନାମିକା ପରିବାର" ଅନାଥ କନ୍ୟା ଶିଶୁଙ୍କ ନିମିତ୍ତ ଏକ ଅନୁଷ୍ଠାନ । ଧୀରେ ଧୀରେ ଯାହା ସମ୍ପୂର୍ଣ୍ଣ ଦେଶରେ ନିଜର କାୟା ବିସ୍ତାର କଲା । ଅଗଣିତ ଝିଅ ସେହି ଅନୁଷ୍ଠାନର ସହାୟତାରେ ନିଜର ପରିଚୟ ସୃଷ୍ଟି କଲେ । ଶ୍ରୀମତୀ ଅନାମିକା ଚୌଧୁରୀ ଏବେ ସହସ୍ର କନ୍ୟାଙ୍କର ଜନନୀ । ଯେଉଁ ସମାଜ ଦିନେ ତାଙ୍କ ମାତୃତ୍ୱ ପ୍ରତି ଶତ ପ୍ରଶ୍ନ କରିଥିଲା ସେଇ ସମାଜ ଆଜି ଏ ମହାନ ମାତୃତ୍ୱ ସନ୍ନିକଟେ ନତ ମସ୍ତକ । ସେଦିନର ଶୀତୁଆ ପାହାନ୍ତି ସକାଳ ତାଙ୍କର ଜୀବନରେ ଏକ ସୁନେଲି ପ୍ରଭାତ ଆଣିଦେଲା । ଜୀବନର ନବ ଦିଗନ୍ତକୁ କଢ଼େଇ ନେଲା । ବଞ୍ଚିବାର ରାହା ସାମ୍ନାରେ ଉଦ୍ଭାସିତ ହେଲା ।

ସଞ୍ଜିତା ପ୍ରଧାନ


Download


Post a Comment

0 Comments