ଗାଈଗୋରୁ ପଲଙ୍କର ଫେରିବାର
କାହିଁ ଅଜବ ସେ ଲୀଳା,
ମାଟି ଉଡାଇ ଧୂସରିତ ସର୍ବସ୍ବ
ଗୋରୁଙ୍କ ଅଜବ ଖେଳା।
ନାଁ ତା'ର ଗୋଧୂଳି ଜାଣନ୍ତି ସଭିଏଁ
କେତେ ସୁନ୍ଦର ଏ ବେଳା,
ମୃଣ୍ମୟୀ ଧରିତ୍ରୀ ଖେଳୁଛି ଅବିର
ମାଟିର ରଙ୍ଗରେ ବୋଳା।
ହମ୍ବା ରଡ଼ି ଶୁଣି ମନ ଆନନ୍ଦିତ
ଗୋରୁପଲଙ୍କର ଲୀଳା,
ସୁରୂଜ ନଉଁଛି ଗିରି ପଛପଟେ
ଆଖିମିଚିକା ତା ଖେଳା।
ଦିନ କ୍ଳାନ୍ତମୟ ସନ୍ଧ୍ୟା ଶାନ୍ତମୟ
ହୃଦୟେ ଅବିର ବୋଳା,
ଗୋଧୂଳି ଲଗନେ ଧରଣୀ ଗଗନ
କରନ୍ତି ଯେ ପ୍ରେମ ଲୀଳା।
ଲୋହିତ ସୁରୂଜ ମେଲାଣି ମାଗୁଛି
ଏହା ତା' ବିଦାୟ ବେଳା,
ଆଗାମୀ ଦିନକୁ ସ୍ଵାଗତ କରିବ
ନ କରି ସେ ଅବହେଳା।
ବିଚ୍ଛୁରିତ କରେ ଲାଲିମା କିରଣ
ପ୍ରକୃତିର ସୁଖ ବେଳା,
ସର୍ବଶାନ୍ତ ହୋଇ ବାହୁଡ଼ନ୍ତି ଗୃହେ
ହୃଦୟରେ ପ୍ରୀତି ବୋଳା।
ଅତୀବ ଅମୂଲ୍ୟ ଏହି ବିଭାବରୀ
ବସୁନ୍ଧରା ଶୋଭା ମେଳା,
ମନରେ ଅଙ୍କନ ସୌନ୍ଦର୍ଯ୍ୟ ସବୁରି
ସୁନ୍ଦର ଗୋଧୂଳି ବେଳା।
ଲୋପାମୁଦ୍ରା ପାଲ ( ମୁମ୍ବାଇ)



0 Comments