କାହିଁକି ପାଳିବା ଶ୍ରୀପଞ୍ଚମୀ - ସୁସ୍ମିତା ମହାପାତ୍ର

         

 

ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି, ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ ଭାବେ, ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଖରେ ଖ୍ୟାତ l ଏହି ତିଥିରେ ଜଗତର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ସ୍ତ୍ରୀ, ଶକ୍ତି, ଜ୍ଞାନ, ବିଦ୍ୟା, ବୁଦ୍ଧି, ବାକ୍, ବାଦ୍ୟ ଓ କଳାର ଦେବୀ, ମାତା ସରସ୍ବତୀଙ୍କ ପୂଜାର୍ଚ୍ଚନା ଓ ଆରାଧନା କରାଯାଇଥାଏ l ବିଶେଷକରି ଶିକ୍ଷାନୁଷ୍ଠାନ ମାନଙ୍କରେ ସେ ବାଗ୍ଦେବୀ ବା ବିଦ୍ୟାଦାତ୍ରୀ ସରସ୍ବତୀ ରୂପେ ପୂଜିତା ହୋଇଥାନ୍ତି l ତ୍ରୀଦେବୀଙ୍କ ମଧ୍ୟରେ ମାତା ସରସ୍ବତୀ ଅନ୍ୟତମ l ହିମାଳୟରୁ ଉତ୍ପନ୍ନ, ପୁଣ୍ୟ ଦେବନଦୀ ସରସ୍ବତୀ ତଥା ଗାୟତ୍ରୀ ନାମରେ ମଧ୍ୟ ସେ ପରିଚିତ l ବୈଦିକ ଦେବୀ ରୂପେ ସେ ସର୍ବଜନବିଦିତ ଯେହେତୁ ଋଗବେଦ ଯୁଗରୁ ଆର୍ଯ୍ୟମାନେ ତାଙ୍କ ପୂଜା ପାଳନ କରି ଆସୁଛନ୍ତି l

           ଯଦି ପ୍ରଶ୍ନଉଠେ, ଆମେ ଶ୍ରୀପଞ୍ଚମୀ ପାଳିବା କାହିଁକି, ତେବେ ମାଘମାସ ଏହିଦିନଟି ସର୍ବଗୁଣ ସମ୍ପନ୍ନା ତଥା ଅନେକ ସୁଗୁଣର ଶିକ୍ଷାଦାତ୍ରୀ, ବିଦ୍ୟାଦାତ୍ରୀ, ଶ୍ୱେତବସ୍ତ୍ର ପରିହିତା, ପଦ୍ମାସନା, ମାତା ସରସ୍ବତୀଙ୍କ ଜନ୍ମତିଥି ହୋଇଥିବାରୁ ଆବାଳବୃଦ୍ଧ-ବନିତା ମହାସମାରୋହରେ ଏବଂ ମହୋଲ୍ଲାସରେ, ଦିନଟିକୁ ପାଳନ କରିଥାନ୍ତି l ଦେବୀ ସରସ୍ବତୀଙ୍କ ବେଶଭୁଷାରୁ ତାଙ୍କ ବ୍ୟକ୍ତିତ୍ୱର ପରିଚୟ ମିଳିଥାଏ l ତାଙ୍କ ସହ ଜଡିତ ପ୍ରତ୍ୟେକଟି ଚିଜ ଆମକୁ ଏକାଧିକ ଶିକ୍ଷା ପ୍ରଦାନ କରିଥାଏ l ତାଙ୍କର ବାହନ ହଂସ ଯେପରି କ୍ଷୀରନୀର ମଧ୍ୟରୁ କେବଳ କ୍ଷୀରସାରକୁ ଗ୍ରହଣ କରେ, ସମାଜରୁ ଆମକୁ ଠିକ ସେହିପରି ସାର ବିଷୟବସ୍ତୁକୁ ଗ୍ରହଣ କରିବାପାଇଁ ପରୋକ୍ଷରେ ଶିକ୍ଷାଦିଏ l ତାଙ୍କର ଆସନ ଯାହା ପଙ୍କରୁ ଜାତ, ତାହା ଆମକୁ କଳୁଷିତ ପରିବେଶ ତଥା ଦୁଃସ୍ଥିତିରୁ ଊର୍ଦ୍ଧ୍ୱକୁ ଉଠିବାକୁ ପ୍ରେରଣା ଯୋଗାଏ l ତାଙ୍କ ହସ୍ତର ପୁସ୍ତକ କହେ, ମୋତେ ଅନ୍ତରଙ୍ଗ ବନ୍ଧୁ ମଣି, ଆନ୍ତରିକତାର ସହ ସ୍ୱାଧ୍ୟାୟ କର l ଶରୀରର ଦଶଦ୍ୱାର ମଧ୍ୟରୁ ଅନ୍ୟତମ ଦ୍ୱାର, ମୁଖରୁ ସଦା ସର୍ବଦା ସ୍ମୃତି ମଧୁର, କୋମଳ ବଚନ ନିଃସରଣ କରିବାପାଇଁ ତାଙ୍କ ବୀଣା ଝଙ୍କୃତ ଧ୍ୱନି ଆମକୁ ଶିକ୍ଷା ଦେଇଥାଏ l ତାଙ୍କ ଗଳାର ସ୍ଫଟିକ ମାଳ ଆମକୁ ଥଣ୍ଡା ଦିମାକରେ ନିରନ୍ତର ଜପ ଓ ଧ୍ୟାନଭଳି ସୁଅଭ୍ୟାସକୁ ଆପଣାଇବା ନିମନ୍ତେ ପ୍ରବର୍ତ୍ତାଏ l ତାଙ୍କ ଦେହର ଶୁଭ୍ରବସ୍ତ୍ର, ଶାନ୍ତ ସ୍ନିଗ୍ଧ ସ୍ଵଭାଵକୁ ପ୍ରୋତ୍ସାହିତ କରେ l
              ଏଣୁ, ଗୋଟିଏ ଶିଶୁକୁ ତା'ର ଶୈଶବରୁ ଉପଯୁକ୍ତ ଛାଞ୍ଚରେ ଢାଳି ଗଢିବା ସକାଶେ ଘରେ ଘରେ ତଥା ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜା ପାଳନ କରି, ସରସ୍ବତୀଙ୍କ ପ୍ରତ୍ୟେକ ପ୍ରତୀକାତ୍ମକ ଚିଜ ବା ବସ୍ତୁ ସମ୍ବନ୍ଧରେ ତାକୁ ଶିକ୍ଷାଦେବା ବିଧେୟ l ଆମ ହିନ୍ଦୁ ସଂସ୍କୃତିକୁ ସମ୍ମାନ ଦେଇ, ଋଗବେଦ ଯୁଗରୁ ଚଳି ଆସୁଥିବା ପୁଣ୍ୟ ପରମ୍ପରାକୁ ବଜାୟ ରଖିବା ପ୍ରତ୍ୟେକ ଭାରତୀୟଙ୍କର କର୍ତ୍ତବ୍ୟ ହେବା ବାଞ୍ଛନୀୟ l



ସୁସ୍ମିତା ମହାପାତ୍ର
ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର-16, ରାଉରକେଲା-03,  
ସୁନ୍ଦରଗଡ଼, ଓଡ଼ିଶା                       
ମୋ. ନଂ.- 7978449218

Post a Comment

0 Comments