ନୂଆଖାଇ - ଫଲଗୁନୀ ରଣା



ପରବ୍ ଭିତ୍‌ରେ ଦଶ୍‌ରାଟା ସାର୍
ପୁନି ଭିତ୍‌ରେ ପୁସ୍
ଭୋଦୋ ମାସର୍ ନୁଅଖେଇ ତିହାର୍
ଆସୁଛେ ଖୁସ୍‌ଖୁସ୍  । ୧

ଝୁଲି,ଛିଲ୍‌ପି ସେର୍‌‌ନା ଧାନେ
ଖେତ୍‌ ଦିଶୁଛେ ତିଆର୍
ଇ ମହକା ଆସିଛେ ଦେଖ
କେନ୍‌ତା ସୁଂଦର୍ ତିହାର୍ । ୨

ଭେଁଡି,କୁଂଦ୍‌ରୁ କୋଚେଇ, ସାରୁ
ମୁନ୍‌ଗା ଗଛର୍ ଫୁଲ୍
ସଭେ ଗୁଟେନେ ହାତ୍ ଧରାଧରି
ହେଇଛନ୍ ଜୁଲ୍ ଜୁଲ୍ । ୩

ଡଂଗର୍ ପାହାଡ଼୍ ଆର୍‌କଟା ବଂଧ୍
ଅବ୍‌ଗା ପାନିର୍ ଧାର୍
ଖଲ୍‌ଖଲ୍ କରି ବ‌ଏଡ୍ ଯ‌ଉଛେ
ମାଚ୍ ଫଂଦାବାର୍ ସାର୍ । ୪

ଯେନ୍‌ନ ଦେଖ ନୁଆ ଚିହିଁରା
କେତେ ମହମହ ବାସେ
ଗାଁର୍ ଗହଁତିଆ ପୁଜା କରୁଛେ
ଦେବ୍‌ତା ଗୁଡ଼ିର୍ ପାଶେ  । ୫

କୁରେ ପତ୍‌ରେ ନୁଆ ଚିହିଁରା
ମଲ୍‌ଖି ଉପ୍‌ରେ ପିଠା
ଇତାର୍ ବିନା ଅଲ୍‌ଗା ଜିନିସ୍
ଜିଭ୍ କେ ଲାଗ୍‌ସି ସିଠା  ।୬

ଆଝିର୍ ଦିନେ କାହିଁର୍ ବ‌ଏରି ?
ସବେ ରହେସନ୍ ପଟି
ନୁଆଖାଇ ଜୁହାର୍ ମିଲାସି ସବ୍‌କେ
ରିସ୍‌ମି ଯାଏସି ହଟି । ୭

ମାଆଵୁଆ ଆରୁ ବହ ଭୁଆସେନ୍
କକା ବଡୁ ଯେତେ
ଜୁହାର୍ ହେଉଛନ୍ କେତେ ଉସତେ
ଗାଁ ମୁଡ୍‌ସାର୍ ଠେଟେ । ୮

ଛନ୍‌କେ ଖରା ଛନ୍‌କେ ବାଦଲ୍
ଯାହିଁ ଦେଖ୍‌ବ ବନେ
ଗଣେଶ୍ ପୁଜା ଘର୍ ଗନିଆ
ମନ୍‌କେ ଘିନ୍‌ସି ଛନେ । ୯

ଫାଲଗୁନି ରଣା, ମହୁଆଭଟା ,ନୂଆପଡା

Post a Comment

0 Comments