ମାଘ ମାସ ଶୁକ୍ଳ
ପଞ୍ଚମୀ ତିଥିରେ
ପଡଇ ତୁମରି ବ୍ରତ
ଯା ଉପରେ କୃପା
ଦୃଷ୍ଟି ହୁଏ ତୁମ
ମୂର୍ଖ ହୁଅଇ ପଣ୍ଡିତ ।
ଶ୍ଵେତାମ୍ବର ଧାରୀ
ବ୍ରହ୍ମାଙ୍କ କୁମାରୀ
ସିଦ୍ଧି ବୁଦ୍ଧି ପ୍ରଦାୟିନୀ
ଜ୍ଞାନ ଗଙ୍ଗା ତୁମେ
କବିର କବିତା
କାବ୍ୟ କଳା ଠାକୁରାଣୀ ।
ଶବ୍ଦ ବାକ୍ୟ ଛନ୍ଦ
ଉପମାଳଙ୍କର
ସାତ ସୂରେ ତୁମ ସ୍ଥିତି
କେମିତି ବର୍ଣ୍ଣିବି
ମୁଁ ଅଜ୍ଞାନୀ ଜନ
ତୁମ ଯଶ ଗୁଣ କିର୍ତ୍ତୀ ।
ମୂର୍ଖ କାଳିଦାସ
ତୁମ କୃପା ବଳେ
ହୋଇଲେ ବିଶ୍ୱ ବିଖ୍ୟାତ
ଜ୍ଞାନର ପିୟୁଷ
ଢାଳିଦେଲ ମାଆ
ରଚିଲେ ରଚନା ଶତ ।
ହୃଦୟ ମନ୍ଦିରେ
ହୁଅ ପ୍ରତିଷ୍ଠିତ
ସାର୍ଥକ ହେଉ ଜୀବନ
ସାତ ସୂରେ ଗାଉ
ପଞ୍ଚ ପ୍ରାଣ ମୋର
ତୁମ ନାମ ସଂକୀର୍ତନ ।
ଫୁଟିଉଠୁ ସଦା
କାବ୍ୟର କୁସୁମ
ଝରୁ ଭାବନା ପିୟୁଷ
ଝୁମିଯାଉ ହୃଦ
ଅପୂର୍ବ ଆନନ୍ଦେ
ପାଇ ତୁମ ମିଠା ସ୍ପର୍ଶ
ଚରଣେ ତୁମରି
ଶରଣ ଗଲି ମା
ଦୀନ ହୀନ ଅକିଞ୍ଚନ
ତୁମ ନାମ ଗାଇ
ଦିବା ନିଶି ସଦା
କଟିଯାଉ ଏ ଜୀବନ ।।
ସୁଜାତା ଦାସ
ମିତ୍ରପୁର, ବାଲେଶ୍ୱର



0 Comments