କେସନେ ବର୍ଣ୍ଣିବି ରୂପ ମୁଁ ତୋହରି
ଅନିଦ୍ୟ ସୁନ୍ଦରୀ ତୁହି,
ତୋ ରୂପ ଉପମା ସତରେ ଅନନ୍ୟା
ଶବ୍ଦ ପାଉନାହିଁ ମୁହିଁ l
ମସ୍ତକେ ଶୋଭିତ ହିରକ ମୁକୁଟ
ଲଳାଟେ ସିନ୍ଦୂର ବିନ୍ଦୁ,
ପଙ୍କଜ ଆସନେ ବିରାଜିଛୁ ମାତା
ତୁହି ଲୋ ଦୟାର ସିନ୍ଧୁ l
ଅଞ୍ଜନେ ପୂରିତ ନୟନ ଯୁଗଳ
ନାସାଗ୍ରେ ମୋତିର ଗୁଣା,
କର୍ଣ୍ଣରେ କାଞ୍ଚନ କୁଣ୍ଡଳ ସୁନ୍ଦର
ହସ୍ତେ ଶୋଭାପାଏ ବୀଣା l
କନକର ସମ ଝଲସି ଯାଉଛି
ଆପାଦ ମସ୍ତକ ତୋର,
ହେମ ରୌପ୍ୟ ମୋତି ମାଣିକ୍ୟରେ ସଜା
ତୋହର ଗଳାର ହାର l
ଅନ୍ୟ ହସ୍ତେ ତୋର ଅତିଭା ବଢାଏ
ପୁସ୍ତକକୁ ଜପାମାଳି,
ଶୁଭ୍ରାବସନରେ ତୋ ଅଙ୍ଗାଭରଣ
ମସ୍ତକେ ମୁକୁତା ଜାଲି l
ପାଦପଦ୍ମ ଦ୍ୱୟେ ହାଟକ ମଣ୍ଡିତ
ସରୁ ଅଳତାର ଶିରା,
ଚତୁର୍ପାଶ୍ୱେ ତୋର ନଳିନୀ ମଧ୍ୟରେ
ଅମ୍ବୁଜ ସଲିଳେ ଭରା l
ତୁ ହଂସ ବାହିନୀ ବ୍ରହ୍ମାଙ୍କ ଘରଣୀ
ତତେ କୋଟି ନମସ୍କାର,
ବିଦ୍ୟା ପ୍ରଦାୟିନୀ ଶକ୍ତି ସ୍ୱରୂପିଣୀ
ମାଆ ତୁହି ଜଗତର l
ସ୍ଵାଗତିକା ମିଶ୍ର
କଣ୍ଟାବାଞ୍ଜି (ବଲାଙ୍ଗୀର )



0 Comments