ଶ୍ରୀରାମ ନବମୀ - ଅଗ୍ନି କୁମାର ସାହୁ

 


ଜୟ ଜୟ ରଘୁନାଥ ଦଶରଥ ସୂତ 
ଜୟ ଜୟ ରାମଚନ୍ଦ୍ର ଦୁଃଖି ଜନହିତ । 
ଜୟ ଜୟ ସୀତା ପତି ହେ କୋଦଣ୍ଡ ଧର 
ଜୟ ରାମ କୌଶଲ୍ୟାଙ୍କ ଜ୍ୟେଷ୍ଠ କୁମର ।
ପୃଥିବୀର ଭାରାଭର ନିବାରିବା ପାଇଁ
ଜନମିଲ ଧାରା ପୃଷ୍ଠେ ନର ରୂପ ହୋଇ ।
ଇକ୍ଷ୍ଵାକୁ ସୂର୍ଯ୍ୟ ବଂଶର ଅଯୋଧ୍ୟା ନରେଶ
ଅପୁତ୍ରିକ ହୋଇଥିଲେ ରାଜା ଦଶରଥ ।
ଋଷ୍ୟଶୃଙ୍ଗ ମୁନୀ ଡାକି ପୁତ୍ରେଷ୍ଠି ଯଜ୍ଞ କଲେ 
ଯଜ୍ଞ ଆରମ୍ଭିଣ ମୁନୀ ପୂର୍ଣ୍ଣାହୁତୀ କଲେ ।
ଯଜ୍ଞ ଶେଷେ ଚରୁଅନ୍ନ ରାଣିଙ୍କୁ ସେ ଦେଲେ 
କୌଶଲ୍ୟା କୈକେୟୀ ସୁମିତ୍ରା ଆନନ୍ଦେ ଲଭିଲେ ।
ଚରୁଅନ୍ନ ଭକ୍ଷି ରାଣୀ ଗର୍ଭ ବାସ ହେଲେ 
ଦଶମାସ ଦଶଦିନ ପୂର୍ଣ୍ଣ ଗର୍ଭ ହେଲେ ।
ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ତିଥିର 
କୌଶଲ୍ୟା ଗର୍ଭୁ ସମୁତ ହେଲେ ରଘୁବୀର ।
ଭରତ ଜନମ ହେଲେ କୈକେୟୀ ଗର୍ଭରୁ 
ଲକ୍ଷ୍ମଣ ଶତ୍ରୁଘନ ଯେ ସୁମିତ୍ରା ଉଦରୁ ।
ତିନିରାଣୀ ଗର୍ଭୁ ଚାରି ପୁତ୍ର ଜନମିଲେ 
ପୁତ୍ରଙ୍କୁ ଦେଖିଣ ରାଜା ହରଷ ହୋଇଲେ ।
ସେବା ପୂଜା ଦାନ ଧର୍ମ ଯଜ୍ଞମାନ କଲେ 
ଆପୁତ୍ରିକ ଥିଲେ ଯହୁଁ ଆନନ୍ଦ ହୋଇଲେ ।
କୁଳ ପୁରୋହିତ ଋଷି ବଶିଷ୍ଠ ରାଇଲେ 
ଜାତକ ଦେଖାଇ ଜ୍ୟେଷ୍ଠ ପୁତ୍ର ନାମ ଦେଲେ ।
ରାମଚନ୍ଦ୍ର ବୋଲି ନାମ ହୋଇଲା ତାଙ୍କର 
ସଚରାଚର ପୃଥିବୀ ତାଙ୍କ ଖେଳ ଘର ।
ଚୈତ୍ରମାସ ଶୁକ୍ଳ ପକ୍ଷ ନବମୀ ତିଥିର
ଜନ୍ମି ଥିଲେ ରଘୁନାଥ ଅଯୋଧ୍ୟା ନଗର ।
ସେ ଦିନକୁ ସ୍ମରିବାକୁ ଯୁଗଯୁଗ ପାଇଁ
ରାମ ଜନ୍ମ ଦିବସଟି ଶ୍ରୀରାମ ନବମୀ ।
ପିତୃସତ୍ୟ ପାଳିରାମ ବନବାସ ଗଲେ
ଚତୁର୍ଦ୍ଦଶ ବରଷ ବଣରେ ରହିଥିଲେ ।
ସଙ୍ଗତେ ଲକ୍ଷ୍ମଣ ସୀତା ମାତା ଯାଇଥିଲେ
ଘୋରବନେ ବୁଲି ବୁଲି ଦିନ କଟାଇଲେ ।
ସେ ସକାଶୁ ଚୌଦଦିନ ରାମଲିଲା ନାଟ
ପୁରପଲ୍ଲୀ ସହରରେ ହୁଏ ଅଭିନିତ ।
ପ୍ରଭୁ ଶ୍ରୀରାମଙ୍କ ଲିଲା ବିସ୍ତାରି ବଖାଣି
ଚତୁର୍ଦ୍ଦଶ ଦିବସେ ପୂର୍ଣ୍ଣାହୂତି ହୁଏ ମୁଣି ।
ପବିତ୍ର ରାମାୟଣର ବାଲ୍ୟ ଲିଳା କାଣ୍ଡ 
ମହର୍ଷି ବାଲ୍ମୀକି ରଚିଥିଲେ ସପ୍ତକାଣ୍ଡ ।
ଶ୍ରୀରାମ ନବମୀ ଚରିତ କଲି ଉପସ୍ଥାନ
ଅଗ୍ନି କୁମାରର ଦୋଷ କରିବେ ମାର୍ଜନ ।


ଅଗ୍ନି କୁମାର ସାହୁ
ପଲମ, ନର୍ଲା, କଳାହାଣ୍ଡି

Post a Comment

0 Comments