ଜୈବ ବିବିଧତା ଓ ଏହାର ସଂରକ୍ଷଣ - ବନଲତା ଜାଲି


ଈଶ୍ବର ସୃଷ୍ଟ,ପ୍ରକୃତିଦତ୍ତ ସମସ୍ତ ଜଡ ବସ୍ତୁ ଓ ଜୀବସତ୍ତ୍ବା ବିଶ୍ବ ନିୟନ୍ତାଙ୍କ ଏକ ବୈଚିତ୍ର ଅତୁଳନୀୟ ଅବଦାନ ।ସୌର ମଣ୍ଡଳର ଗୋଟିଏ ଅନନ୍ୟ ଗ୍ରହ ଭାବରେ ପୃଥିବୀ ପରିଗଣିତ ।ଯାହା ମଧ୍ୟରେ ଜଳବାୟୁ ସହିତ ପ୍ରାଣୀ ଓ ଉଦ୍ଭିଦ ଜଗତର ଏକ ପରିପୂର୍ଣ୍ଣ ସମିଶ୍ରଣ ସଂସାର ବିରାଜମାନ ।ଅନ୍ଯ କୌଣସି ଗ୍ରହରେ ଜୀବ ସତ୍ତ୍ବାର ସନ୍ଧାନ ଏପର୍ଯ୍ୟନ୍ତ  ଦୃଶ୍ୟମାନ ହୋଇନାହିଁ କାରଣ ଅନ୍ୟ କୌଣସି ଗ୍ରହରେ ଜଡଜ ଜୀବନ ରୂପରେ ପରିଗଣିତ ଜଳ ଓ ବାୟୁର ଅବସ୍ଥିତି ବର୍ତ୍ତମାନ ପର୍ଯ୍ୟନ୍ତ ଉପଲବ୍ଧ ନାହିଁ ।ଯାହା ଜୀବ ଜଗତ ବଞ୍ଚିବାର ଏକମାତ୍ର ମୌଳିକ ମାଧ୍ୟମ।ସମଗ୍ର ବିଶ୍ବ ବ୍ରହ୍ମାଣ୍ଡରେ ପୃଥିବୀ ସ୍ବତନ୍ତ୍ର ଓ ଅସାଧାରଣ ।ବାୟୁମଣ୍ଡଳରେ ବିଭିନ୍ନ ବାଷ୍ପର ଓ ପରିମାଣର ଓ ଜୀବ ଜଗତର ବିଭିନ୍ନ କାର୍ଯ୍ୟ ପାଇଁ ଏହାର ଉପଯୋଗ,ସୌର ଶକ୍ତି ଓ ଏହାର ଆଲୋକ,ଉତ୍ତାପ,ଭୂପୃଷ୍ଠର ଜଳ ଓ ସ୍ଥଳ ଭାଗର ଅନୁପାତ,ଜଳଚକ୍ରର ଆବଣ୍ଟନ,ଋତୁଚକ୍ରର ଆବର୍ତ୍ତନ,ଜୈବ ଭାରସାମ୍ୟ ଏହାର ସ୍ବତନ୍ତ୍ରତା ପ୍ରତିପାଦନ କରେ ।ପରିବେଶର ସନ୍ତୁଳନ ମଧ୍ୟରେ କ୍ରୀୟାଶୀଳ ଜୀବ ଜଗତର ସୃଷ୍ଟି ଓ ବିକାଶ ସମ୍ଭବ ହୋଇଥାଏ ।ଜୀବ ଜଗତର ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିକୁ ନେଇ ଏହାର ସଂଖ୍ୟାରେ ହ୍ରାସବୃଦ୍ଧି ପରିଲିକ୍ଷିତ ହୋଇଥାଏ ।ସେଥିପାଇଁ ଏହାର ସଂଜ୍ଞା ପରିବ୍ଯାପ୍ତ ।

             ପରିବେଶ ହେଉଛି- ସଜୀବ ଓ ନିର୍ଜୀବ ବସ୍ତୁର ସମାହାର,ଯାହା ଜୀବର ଜୀବନ ଧାରଣର ଅବସ୍ଥାକୁ ନିୟନ୍ତ୍ରଣ କରେ ।ଅନ୍ଯ ପକ୍ଷରେ ସମସ୍ତ ଜୈବିକ ଓ ଅଜୈବିକ ଉପାଦାନ ଗୁଡିକର ସମଷ୍ଟିଗତ ପ୍ରଭାବ ସ୍ଥିତାବସ୍ଥାକୁ ନିୟନ୍ତ୍ରଣ କରିବା ସହିତ ଉଦ୍ଭିଦ ଓ ପ୍ରାଣୀଙ୍କୁ ପ୍ରଭାବିତ କରିବା ପ୍ରକ୍ରିୟା ହେଉଛି ପରିବେଶ ।ପରିବେଶର ଉପାଦାନ ଗୁଡିକର ସମନ୍ବୟ ଓ ସଂଯୋଗରେ ଶକ୍ତିର ବଳୟ ଓ ପ୍ରାକୃତିକ ସମ୍ପଦ ସୃଷ୍ଟି କରିଥାଏ ।ଏହା ସଜୀବମାନଙ୍କର ରାସାୟନିକ ଓ ଭୌତିକ ଅବସ୍ଥାକୁ ନିୟନ୍ତ୍ରଣ କରିଥାଏ ।ଏହା ପରସ୍ପର ସହିତ କ୍ରିୟା ଓ ପ୍ରତିକ୍ରିୟା କରିବା ସହିତ ଜୈବ ବିବର୍ତ୍ତନ,ଖାଦ୍ୟ ଶୃଙ୍ଖଳ,ପରସ୍ପରପ୍ରତି ନିର୍ଭରଶୀଳତା,ସମସ୍ତ ଚିରାଚରିତ ନିୟମର ସ୍ବୟଂଚାଳିତ ପ୍ରକ୍ରିୟା,ବଞ୍ଚିରହିବା ପାଇଁ ଆବଶ୍ୟକ ସମସ୍ତ ଉପାଦାନ,ପ୍ରାକୃତିକ ବ୍ଯବସ୍ଥାର ନିୟନ୍ତ୍ରଣ,ଅଦୃଶ୍ୟ ଐଶ୍ବରୀୟ ଶକ୍ତି ଇତ୍ୟାଦି ଆପେ ଆପେ ସୁନିୟନ୍ତ୍ରିତ ଭାବରେ ସଂଗଠିତ ହୋଇଥାଏ ।

  ମହା ଶକ୍ତିମାନ ପରମ ପୁରୁଷଙ୍କ ମହନୀୟତ ଦାନ ହେଉଛି,ବୈଚିତ୍ରମୟୀ ପ୍ରକୃତି ।ଯାହା କି ଧରାବନ୍ଧା ନିୟମରେ ପରିଚାଳିତ ହୋଇ ସୁଚାରୁ ରୂପରେ ସମସ୍ତ ସମ୍ପଦ ଧରାରେ ସଜାଇ ରଖିଛି । ପ୍ରାଣୀ ଓ ଉଦ୍ଭିଦ ମଧ୍ୟରେ କ୍ରୀୟାଶୀଳ ସ୍ବରୂପ ପରସ୍ପର ସହିତ ନିର୍ଭରଶୀଳତା ପ୍ରକିୟାରେ ଅତି ଘନିଷ୍ଠ ସମ୍ପର୍କରେ ଅଙ୍ଗାଙ୍ଗୀ ଭାବରେ ବାନ୍ଧିରଖିଛି ।ଏହାର ଜ୍ଜ୍ବଳନ୍ତ ଦୃଷ୍ଟାନ୍ତ ହେଉଛି ବଞ୍ଚିବାରହିବାର ପ୍ରଧାନ ଓ ମୌଳିକ ଉପାଦାନ,ବାୟୁ ।ପ୍ରାଣୀ ମାନଙ୍କର ଶ୍ବାସକ୍ରିୟା ପାଇଁ ଅମ୍ଳଜାନ ଓ ଉଦ୍ଭିଦର ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା ପାଇଁ ଅଙ୍ଗାରକାମ୍ଳ ବାଷ୍ପର ବିନିମୟ ଆବଶ୍ୟକତା ସହିତ ଜୀବନ ଧାରଣ ନିମନ୍ତେ ଖାଦ୍ଯ ଶୃଙ୍ଖଳର ଉପାଦେୟତା ।ପ୍ରତ୍ୟେକ ସଜୀବ ଜୀବନ ଧାରଣ ପାଇଁ ପରସ୍ପର ସହିତ ସଂଘର୍ଷରତ ।ଏହା ସହିତ ମଧ୍ୟ ସମସ୍ତ ଜଡଜ ପଦାର୍ଥ ଯଥା-ଜଳ,ବାୟୁ,ସୂର୍ଯ୍ୟାଲୋକ,

ମୃତ୍ତିକା ବିଭିନ୍ନ ମାଧ୍ୟମ ଦେଇ ତାହାର କାର୍ଯ୍ୟକ୍ରମର ସ୍ଥିତାବସ୍ଥା ଜାହିର୍ କରିବା ସହିତ ସମସ୍ତଙ୍କର ମଙ୍ଗଳ ପାଇଁ ଉଦ୍ଦିଷ୍ଟ । ଋତୁଚକ୍ର,ଜଳଚକ୍ର,ସୂର୍ଯ୍ୟ ଚନ୍ଦ୍ରର ଆକର୍ଷଣ,ମୃତ୍ତିକାର ବିଭିନ୍ନ ଉପାଦାନ ପରିବେଶର ସୁରକ୍ଷା ଓ ସଜୀବ ମାନଙ୍କର ହିତ ସାଧନରେ ଉତ୍ସର୍ଗୀକୃତ । ତାହା ସହିତ ମଧ୍ୟ ପୃଥିବୀର ବିଭିନ୍ନ ମଣ୍ଡଳର ଜଳବାୟୁର ସ୍ବତନ୍ତ୍ରତା ଓ ଭିନ୍ନତା ପାଇଁ ସେଠାରେ ପରିବେଶ ସହିତ ଖାପ ଖୁଆଇ ତିଷ୍ଠି ରହିବାକୁ ସଜୀବ ମାନଙ୍କର ଉପଯୋଜନ ପ୍ରଣାଳୀ ଓ ନୂତନ ଶ୍ରେଣୀମାନବଙ୍କର ଆବର୍ତ୍ତମାନକୁ ପ୍ରଭାବିତ କରିଥାଏ ।ପରିସଂସ୍ଥାରେ ଖାପ ଖୁଆଇଚଳିବା ଓ ନିଜକୁ ସଂରକ୍ଷିତ ରଖିବା ପାଇଁ ସଜୀବ ମାନଙ୍କର ରଙ୍ଗ,ଶାରିରୀକ ଗଠନ,ଆକୃତି,ଖାଦ୍ୟପେୟ,ଆତ୍ମରକ୍ଷା ନିମନ୍ତେ ଶାରିରୀକ ପରିବର୍ତ୍ତନର ଧାରା ପରସ୍ପର ସମ୍ବନ୍ଧିତ ।ପ୍ରଥମତଃ କରିତକର୍ମା ସ୍ରଷ୍ଟାଙ୍କ ଇଙ୍ଗିତରେ ସୃଷ୍ଟ ଜଳଚର,ସ୍ଥଳଚର ଓ ଉଭୟଚର ସଜୀବମାନଙ୍କର ରଙ୍ଗ, ଗଠନ, ଶ୍ବାସକ୍ରିୟା ପଦ୍ଧତିକୁ ଅନୁଧ୍ୟାନ କଲେ ବଞ୍ଚିରହିବାପାଇଁ ଓ ବଂଶବୃଦ୍ଧି କରିବା ପାଇଁ ପ୍ରକୃତିର ବିଭିନ୍ନ ସଜୀବମାନଙ୍କର ଉପଯୋଜନ ପ୍ରଣାଳୀକୁ କେତେ ସାବଲୀଳ ଓ ସୁନିୟନ୍ତ୍ରିତ ବ୍ଯବସ୍ଥାର ଆୟୋଜନ କରିଛି ତାହା ମଣିଷ ଭାବନାର କଳ୍ପନାର ବାହାରେ । ଜଳରେ ଦ୍ରବୀଭୂତ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ବାଷ୍ପକୁ ନେଇ ପ୍ରତ୍ୟେକ ପ୍ରାଣୀ ଓ ଉଦ୍ଭିଦ ଶ୍ବାସକ୍ରିୟା ଓ ଖାଦ୍ୟ ପ୍ରସ୍ତୁତି ପାଇଁ ଆହରଣର ବ୍ଯବସ୍ଥା ଆଶ୍ଚର୍ଯ୍ୟଜନକ । ସ୍ଥଳଚର ପ୍ରାଣୀଙ୍କର ବାୟୁମଧ୍ୟରୁ ଅମ୍ଳଜାନ ଗ୍ଯାସର ଆହରଣ ଓ ଉଭୟଚର ପ୍ରାଣୀମାନଙ୍କର ଉଭୟ ପରିସଂସ୍ଥାରେ ନିଜକୁ ନିୟନ୍ତ୍ରଣ କରି ବଞ୍ଚିବାର କ୍ଷମତା ଆଶ୍ଚର୍ଯ୍ୟଜନକ ।ତାହା ସହିତ ପୃଥିବୀର ଅବସ୍ଥିତି ଓ ତାହାର ବିଭିନ୍ନ ମଣ୍ଡଳରେ ଜଳବାୟୁ ଅନୁସାରେ ସଜୀବର ଉପଯୋଜନ ପ୍ରଣାଳୀ ଓ ତାପକୁ ସହ୍ଯ କରିବାପାଇଁ ଶାରିରୀକ କ୍ଷମତା ସହ ପ୍ରକୃତିଦତ୍ତ ରଙ୍ଗ ବି ବିଧି ନିର୍ଦ୍ଦିଷ୍ଟ ।ଅନ୍ଯ ଦୃଷ୍ଟିରେ ଅନୁଧ୍ୟାନ କଲେ ସୂର୍ଯ୍ୟ ଙ୍କର ପୃଥିବୀର ବିଭିନ୍ନ ସ୍ଥାନରେ ଉପସ୍ଥିତି ଯୋଗୁଁ ସେଠାରେ ଅନୁଭୂତ ଜଳବାୟୁ,ପାଣିପାଗ,ବୃକ୍ଷଲତା,ଜୀବଜନ୍ତୁଙ୍କର ଖାଦ୍ଯପେୟ ଓ ବଞ୍ଚିବାର ପ୍ରଣାଳୀ ଭିନ୍ନ ପ୍ରକାର ।ସେଠାକାର ପରିସ୍ଥିତିକୁ ନେଇ ଜଳବାୟୁ ସହିତ ଖାପ ଖୁଆଇ ସଜୀବ ବଂଶବୃଦ୍ଧି କରିଥାଏ ।ପୃଥିବୀର ବିଭିନ୍ନ ମଣ୍ଡଳରେ ବିଭିନ୍ନ ପ୍ରକାର ଉଦ୍ଭିଦ ଓ ପ୍ରାଣୀମାନେ ଦେଖାଦେଇଥାନ୍ତି ।ପୃଥିବୀର ବିଷୁବବୃତ୍ତ ଅଞ୍ଚଳରେ ସୂର୍ଯ୍ୟଙ୍କର ପ୍ରଖର କିରଣରେ ଗ୍ରୀଷ୍ମମଣ୍ଡଳର ଜଳବାୟୁ ଉତ୍ତପ୍ତ ଓ ଆର୍ଦ୍ର ହୋଇ ସେଠାରେ ପ୍ରଚୁର ପରିମାଣରେ ବର୍ଷା ଓ ଅତ୍ଯଧିକ ତାପମାତ୍ରା ଅନୁଭୂତ ହୋଇଥାଏ ।ଫଳରେ ସେଠାରେ ଘଞ୍ଚ ଅରଣ୍ଯ ଓ ଉଚ୍ଚ ବୃକ୍ଷ ଦେଖାଯିବା ସହିତ ଭୂମି ସନ୍ତସନ୍ତିଆ ରହିବା ଯୋଗୁଁ ସେଠାରେ ସରିସୃପ ପ୍ରାଣୀମାନେ ବାସ କରନ୍ତି ଓ ବୃକ୍ଷରେ ବାସ କରୁଥିବା ବିଭିନ୍ନ ପ୍ରାଣୀ ଦେଖାଯାଇଥାନ୍ତି ।ନାତିଶିତୋଷ୍ଣ ମଣ୍ଡଳରେ ମୌସୁମୀ ଅନୁଯାୟୀ ବୃକ୍ଷଲତା ଫୁଲଫଳ ଧାରଣ କରନ୍ତି ଓ ପତ୍ରଝଡା ଦିଅନ୍ତି ।ଏଠାରେ ଶକ୍ତ କାଠର ବୃକ୍ଷ ଦେଖାଯିବା ସହିତ ବିଭିନ୍ନ ଜଙ୍ଗଲରେ ସ୍ଥାନୀୟ ବିଶେଷତା ନେଇ ନାନା ଜାତିର ପଶୁପକ୍ଷୀ ବାସ କରିଥାନ୍ତି ।ମରୁଭୂମି ଅଞ୍ଚଳରେ ଜଳର ଅଭାବ ଓ ସ୍ବଳ୍ପତା ଦୃଷ୍ଟିରୁ ସେଠାରେ କାକଟସ ଜାତୀୟ ବୁଦାଳିଆ ମାଂସାଳଯୁକ୍ତ ଉଦ୍ଭିଦ ଓ ଜଳ ବିନା ବହୁତ ଦିନ ଜୀବନ ଧାରଣ କରୁଥିବା ଜୀବଜନ୍ତୁ ଦେଖାଯାନ୍ତି ।ପୃଥିବୀର ଉଭୟ ମେରୁମଣ୍ଡଳରେ ଅତ୍ଯଧିକ ବରଫାବୃତ୍ତ ଓ ବରଫପାତ ଯୋଗୁଁ ସେଠାରେ ଗୁଳ୍ମଜାତୀୟ ଉଦ୍ଭିଦ ଓ ମୋଟା ଚମଡା ଯୁକ୍ତ ଲୋମଶ ପ୍ରାଣୀ ଦେଖାଯାଇଥାନ୍ତି ।ସେଠାକାର ମଣିଷ ମାନଙ୍କର ଗୃହ , ଖାଦ୍ୟପେୟ,ପୋଷାକ,ଯାନ ବାହାନ ଭିନ୍ନ ପ୍ରକାରର ହୋଇଥାଏ ।ଏତଦବ୍ୟତୀତ ଜଳବାୟୁ ଅନୁସାରେ ସ୍ଥାନୀୟ ଲୋକଙ୍କର ପ୍ରକୃତିକୁ ଖାପଖୁଆଇଲା ଭଳି ରଙ୍ଗ ହୋଇଥାଏ ।

            ଏହି ସବୁ ବୈଶିଷ୍ଟ୍ୟଗୁଡିକ ଅନୁଧ୍ୟାନ କଲେ ପ୍ରକୃତିର ଭାରସାମ୍ୟ ଏକାନ୍ତ ଆବଶ୍ୟକ ।ସେଥିପାଇଁ ପରିସର ମଧ୍ୟରେ ବିଭିନ୍ନ ପ୍ରକାର ଶକ୍ତିସ୍ରରର ନିୟନ୍ତ୍ରଣ,ଜଳ,ବାୟୁ,ମୃତ୍ତିକା,ପ୍ରାକୃତିକ ସମ୍ପଦ,ଜଙ୍ଗଲ ସମ୍ପଦ,ଆଦିର ସଂରକ୍ଷଣ ନିତ୍ୟାନ୍ତ ଆବଶ୍ୟକ । ନଚେତ୍ ପ୍ରକୃତିର ଭାରସାମ୍ୟ ନ ରହିଲେ ଧରାପୃଷ୍ଠରେ, ବନ୍ଯା, ବାତ୍ଯା, ମହାମାରୀ, ତାପମାତ୍ରା ବୃଦ୍ଧି, ଭୂମିକମ୍ପ, ସୁନାମୀ, ମରୁଡ଼ି ଆଦି ପ୍ରାକୃତିକ ବିପର୍ଯ୍ୟୟ ମହାକାଳ ଭଳି ଧ୍ବଂସାଭିମୁଖୀ ହୋଇ ତାଣ୍ଡବ ରଚିବ ।ଏହାର କରାଳ ରୂପକୁ ଆମେ ଅଙ୍ଗେ ଅଙ୍ଗେଅଙ୍ଗେ ନିଭାଇ ସାରିଛୁ ।

        ଏଣୁ ପୃଥିବୀର ସବୁଠାରୁ ମହା ବୁଦ୍ଧିମାନ , ସଚେତନ ଓ ବିଚାରବନ୍ତ ଶ୍ରେଷ୍ଠ ପ୍ରାଣୀ ଭାବରେ ମାନବ ପରିବେଶ ଓ ପରିସଂସ୍ଥାର ସଂରକ୍ଷଣ କରିବା ପାଇଁ ଯତ୍ନବାନ ହୋଇ ପୃଥିବୀକୁ ଧ୍ବଂସ ମୁଖରୁ ବଞ୍ଚାଇବାକୁ ତତ୍ପରତା ପ୍ରକାଶ କରିବା ଉଚିତ୍ ।ନିଜର ଖିଆଲି ଭାବ ଓ ଆରାମ ଦାୟକ ଜୀବନ ଯାପନ ପ୍ରଣାଳୀକୁ ନିୟନ୍ତ୍ରଣରେ ରଖି ପରିବେଶ ସୁରକ୍ଷାକୁ ମୌଳିକ କର୍ତ୍ତବ୍ୟ ଭାବରେ ଧରି ନେଇ ସମସ୍ତ ଜୈବିକ କାରକର ଉପଯୁକ୍ତ ସଦ୍ ବ୍ଯବହାର କଲେ ପୃଥିବୀ ମହାକାଳ ମୁଖରୁ ରକ୍ଷା ପାଇ ପାରିବ ।ଏହା ହିଁ ପରିବେଶ ସଂରକ୍ଷଣର  ମୂଳ ଓ ପ୍ରଧାନ ଉପାୟ। 


କୃଷ୍ଣ ପ୍ରସାଦ, ପୁରୀ 

Post a Comment

0 Comments