ମହା ବିଷୁବ ସଂକ୍ରାନ୍ତି - ସ୍ଵାଗତିକା ମିଶ୍ର


 ବସନ୍ତ ମଳୟ ହେଲା ଅନ୍ତର୍ଦ୍ଧାନ
 ଚଇତାଳି ଆଗମନ,
 ମିହିର ଚଳିଲେ ଉତ୍ତରାୟଣକୁ 
 ରୌଦ୍ରତାପ ଘନଘନ l

 ତପନର ପ୍ରଭା ବିଚ୍ଛୁରନ୍ତି ଝାଞ୍ଜି 
 ଅବୋଷ ଲାଗଇ ପ୍ରାଣ,
 ନିଦାଖ ଗ୍ରୀଷ୍ମର ପ୍ରବାହେ ମନୁଷ୍ୟ
 ଦହି ହୁଅଇ ଜୀବନ l

 ଚୈତ୍ର ମାସ ଶୁକ୍ଳ ପ୍ରତିପଦା ତିଥି 
 ମହା ବିଷୁବ ସଂକ୍ରାନ୍ତି ,
 ସର୍ବ ଉତ୍କଳୀୟ ଆହ୍ଲାଦ ମନରେ 
 ଏହିଦିନ ପାଳିଥାନ୍ତି  l

 ମନେ ରଖି ମୁଦ ଓଡିଶା ବାସିଏଁ
 ପାଳନ୍ତି ନବ ବରଷ,
 ହନୁମାନ ଜନ୍ମ ଦିବସ ପାଳନ୍ତି
 ହୃଦୟେ ରଖି ହରଷ l

 ପୂଜାଥାଳି ହସ୍ତେ ଧରିଣ ଭାମିନୀ
 ଭକତି ଭାବ ମନରେ,
 ଧୂପ ଦୀପ ଗନ୍ଧ ତାସାଥେ ନୈବେଦ୍ୟ
 ସମର୍ପନ୍ତି ପ୍ରଭୁଠାରେ l

 ଶ୍ରୀଫଳ କଦଳୀ ଖଇ ସାଥେ ଗୁଡ଼
 ଭୋଗ ଲାଗେ ଚଉଁରାରେ,
 ପଣା ଠେକି ତୋଳି ବୃନ୍ଦାବତୀ ଠାରେ
 ପୂଜନ୍ତି ତୋଷ ମନରେ l

 ମହା ଆଡମ୍ବରେ ଦେବୀଙ୍କର ପୂଜା
 ଦୈବୀପିଠେ ହୋଇଥାଏ,
 ଭକତ ବୃନ୍ଦଙ୍କ ଦଣ୍ଡନୃତ୍ୟ ପୁଣି
 ଆଶୟକୁ ଶାନ୍ତି ଦିଏ l


 ସ୍ଵାଗତିକା ମିଶ୍ର
 କଣ୍ଟାବାଞ୍ଜି (ବଲାଙ୍ଗୀର)

Post a Comment

0 Comments