ତୁମରି ମମତା ଦିଅ ବୋଳି - ନନ୍ଦିନୀ ରାଉତ

 


ଆହେ ଦୟାମୟ ମଙ୍ଗଳ ଆଳୟ
    ଶରଣ ମୁଁ ତୁମ୍ଭ ପାଦତଳେ
ଭାସିଯାଉଅଛି ଏ ଭଵ ସାଗରେ
    ନାଵ ମୋର ଲଗା ତୁମ୍ଭେ କୂଳେ।1।

କରୁଣା ସାଗର ଆହେ ମହାବାହୁ
   ତୁମ୍ଭ ବିନା ମୋର ନାହିଁ ଗତି
ତୁମ୍ଭେ ରକ୍ଷାକର୍ତ୍ତା ଏ ସାରା ଜଗତେ
   ଅନ୍ତରେ ମୋ ଭରିଦିଅ ଶକ୍ତି।2।

ଦୟାମୟ ହରି ବାରେ ଦୟାକରି
   ଅରିକୁଳ ମୋର ଦିଅ ନାଶି
ଷଡ଼ରିପୁ ମୋତେ ଅତିଷ୍ଠ କଲେଣି
   କାନ୍ଦୁଛି ମୁଁ ଏଠି ଦିବାନିଶି।3।

ଜଗତର ନାଥ ମୁହିଁ କି ଅନାଥ
   ତୁମ୍ଭ ପରି ପ୍ରଭୁ ଥାଉ ଥାଉ
ରଖ ବା ନ ରଖ ତୁମ୍ଭ ପାଦତଳେ
   ପଡିଛି ସଦା ମୁଁ ମହାବାହୁ।4।

ପତିତ ପାବନ ନାମକୁ ବହିଣ 
   ମୋତେ ଏକା କିମ୍ପା ଦିଅ ଛାଡି
ମୁହିଁ କି ପାତକି ଏକା ତ୍ରିଭୁବନେ
   ରହିଥିବି ଏଠି ସଦା ପଡି।5।

ଜଗତର ପିତା ଆହେ ତ୍ରାଣକର୍ତ୍ତା
   ସନ୍ତାନ ସ୍ନେହରେ ନିଅ ତୋଳି
ଚାହୁଁ ନାହିଁ କିଛି ମାଗୁଛି ଏତିକି
   ତୁମରି ମମତା ଦିଅ ବୋଳି।6।

     ନନ୍ଦିନୀ ରାଉତ
ଅନୁଗୋଳ

Post a Comment

0 Comments