ପ୍ରଥମ ପ୍ରେମ - ପ୍ରଶାନ୍ତ କୁମାର ହୋତା


ଯୁବା ବୟସରେ ଯୌବନର ପୀଡା ମଦନାକ୍ରାନ୍ତ ହୋଇ ମୋତେ ଏମିତି ଘାଣ୍ଟି ଦେବ ବୋଲି ମୁଁ କେବେ କଳ୍ପନା କରି ନଥିଲି। ଏସବୁ ଅବଶ୍ୟ ଏବେ ଭାବିଲା ବେଳକୁ ନିଜ ଉପରେ ମେଞ୍ଚାଏ ହସ ମାଡି ବସିଲେ ବି ମନଟା ଅନନ୍ୟ ଆନନ୍ଦରେ ରୋମାଞ୍ଚିତ ହେଇ ଉଠେ ଓ ପୁଣି ଥରେ ସେଇ ଝିଅ ର ଦର୍ଶନ ହୁଅନ୍ତା କି ବୋଲି ଭାବେ। ଯାହା ସହିତ ମାନସିକ ସ୍ତରରେ ସେତେବେଳେ କିଛିଦିନ ଧରି ପ୍ରେମ କରି ରୋମାଞ୍ଚିତ ହେଉଥିଲି ତାକୁ ବର୍ତ୍ତମାନ ନିଜ ମନର କଥା ପ୍ରକାଶ କରିବାରେ ଅସୁବିଧା କଣ! ସତ୍ଯ ଯେତିକି ଉନ୍ମୋଚିତ ହେବ ହୃଦୟର ଗତି ପୂର୍ଣ୍ଣତା ଆଡକୁ ସେତିକି ଅଗ୍ରସର ହେବ। ଯୋଉ ସତ୍ଯ ରେ କାହାର ହାନି ନାହିଁ ତାର ଅନାବରଣ ନିଶ୍ଚିତ ଆନନ୍ଦ ଦାୟକ ହେବ ବୋଲି ମୁଁ ବୁଝି ପାରୁଥିଲି। କିନ୍ତୁ ଯାହାର ଠିକଣା ପର୍ଯ୍ୟନ୍ତ ଜଣା ନାହିଁ ତାକୁ ଖୋଜି କାଢିବା ଅତ୍ୟନ୍ତ କାଠିକର ପାଠ ଥିଲା। 


କାହିଁକି କେଜାଣି ବେଳେବେଳେ ମନରେ ଭାବନା ଆସେ, ସତରେ କଣ ସେ ଝିଅ ମୋତେ ଦେଖୁ ନଥିଲା। ସତରେ କଣ ମୁଁ ତାର ଅନୁଧାବନ କରୁଥିଲି ବୋଲି ସେ ଜାଣି ପାରୁନଥିଲା। ଏବେ ଦେଖାହେଲେ ସବୁ ପଚାରି ପକାନ୍ତି। ବାର୍ଦ୍ଧକ୍ଯ ରେ ଯୌବନର ସ୍ମୃତିଚାରଣ ରୋମାଞ୍ଚକର ପ୍ରେମ ଠାରୁ କମ ନୁହେଁ। ଏହା ଭାବିଲା ବେଳକୁ ରୋମାଞ୍ଚିତ ଲାଗୁଥିଲା। ଓଠ ଫାଙ୍କରେ ସ୍ମିତ ହସ ଟିକେ ଆପେ ବାହାରି ଆସୁଥିଲା।


କଲେଜ ସମୟର କଥା। ସେତେବେଳେ ମୁଁ ଜଣେ ଶୁଦ୍ଧ ଚିନ୍ତା ଧାରାର ଶୃଙ୍ଖଳିତ ଛାତ୍ର ଥିଲି। ବିଶୃଙ୍ଖଳିତ ଧାରା ମୋ ଭିତରେ ପ୍ରବେଶ କରି ନଥିଲା। ସତସଙ୍ଗ ରୁ ସତଚିନ୍ତା ଆସିଲା ପରି  କୁସଙ୍ଗରୁ କୁଚିନ୍ତା ଧିରେ ଧିରେ ମୋ ଅଜାଣତରେ ପ୍ରବେଶ କରିବାକୁ ଲାଗିଲା। କୁଚିନ୍ତା ଓ କୁସଙ୍ଗ ଯେତେବେଳେ ପ୍ରବେଶ କରେ ତାର ଆନନ୍ଦ ଅନ୍ୟ ସବୁକୁ ଗୌଣ କରିଦିଏ। କାରଣ ତୁରନ୍ତ ଆନନ୍ଦର ତୃପ୍ତି ନିଆରା। ତାକୁ ସହଜରେ ଛାଡି ହୁଏ ନାହିଁ।


ବୋଧହୁଏ ସେଥିପାଇଁ ପୁରାଣ ଯୁଗରୁ ଶୃଙ୍ଖଳିତ ଆଚରଣ ଓ ଶରୀର ସଂଯମକୁ ଛାତ୍ର ଅବସ୍ଥାରେ ବହୁତ ଗୁରୁତ୍ବ ଦିଆ ହେଉଥିଲା। ଶୃଙ୍ଖଳିତ ଆଚରଣ ଓ ସଂଯମତାର ଆବରଣ ଭିତରେ ଥାଇ ବିଶୃଙ୍ଖଳିତ ମନ ଯେତେବେଳେ ତାର ଆକ୍ରମଣ ଆରମ୍ଭ କରେ ସେତେବେଳେ ସହିବାର ସୀମା ଧିରେ ଧିରେ ସଙ୍କୁଚିତ ହେବା ଆରମ୍ଭ କରେ ଓ ସେ ତାର ସାମର୍ଥ୍ଯ କୁ ଦେଖି କାର୍ଯ୍ଯ ପନ୍ଥା ନିଶ୍ଚିତ କରେ।

ମୋ ଅବସ୍ଥା ମଧ୍ଯ ଏକରକମ ସେତେବେଳେ ସେହିପରି ଥିଲା। 

ଜର୍ଜରିତ ମନ ସଂକ୍ରମିତ ହୋଇ ଅବାଞ୍ଛିତ ଇଛା କୁ ଦିନେ ଜନ୍ମ ଦେଲା । ତାରି ପ୍ରଭାବରେ ମନଟା କାହିଁକି କେଜାଣି ପ୍ରେମ ରେ ଉବୁଟୁବୁ ହେବାକୁ ବ୍ୟାକୁଳ ହେଲା। ବ୍ୟାକୁଳତା ଏତେ ବଢିଗଲା ଯେ ପାଠରେ ଆଉ ମନ ରହିଲା ନାହିଁ।


ଏଭଳି ଉବୁଟୁବୁ ହେବା ଅନ୍ୟମାନଙ୍କ ପ୍ରେମଠାରୁ ଅବଶ୍ଯ ଭିନ୍ନ ଥିଲା। କାରଣ ସାଧାରଣ ପ୍ରେମ ରେ ଅଚାନକ କାହା ପ୍ରତି ଦୂର୍ବଳତା ଆସି ପ୍ରେମ ହେଇ ଯାଏ ବା କୌଣସି ପ୍ରକାର ପରିସ୍ଥିତି ପ୍ରେମ ର ଆରମ୍ଭ କରିଦିଏ । 

କିନ୍ତୁ ମୋ କଥା ଏସବୁଠୁ ଭିନ୍ନ ଥିଲା। କାରଣ ମୁଁ କାହାକୁ ପ୍ରେମ କରୁନଥିଲି, କାହା ପ୍ରେମରେ ପଡି ନଥିଲି ବା ମୋ ପ୍ରେମରେ କେହି ପଡି ନଥିଲେ।


ମୋର ଯୋଉଦିନ ଠାରୁ ପ୍ରେମ କରିବାକୁ ଇଛା ହେଲା, ତା ପରଠାରୁ ମୁଁ ପ୍ରେମ କରିବାକୁ ମୋତେ ପସନ୍ଦ ଆସୁଥିଲା ପରି ଝିଅଟିଏ ଖୋଜିବାକୁ  ଲାଗିଲି। ଏହାକୁ ଆୟୋଜିତ ବିବାହ କଲାପରି ଆୟୋଜିତ ବା ଇଂରାଜୀରେ ଆରେଞ୍ଜଡ ପ୍ରେମ କହିଲେ ବୋଧେ ଭୁଲ ହେବ ନାହିଁ।


ମୋତେ ମଧ୍ଯ ମନକୁ ପାଇଲା ପରି ବହୁତ ଜଲଦି ଝିଅଟିଏ ମିଳିଗଲା । କିନ୍ତୁ କଥା ହେଲା ପ୍ରେମ କରିବି କେମିତି। ଦଶ ପନ୍ଦର ଟା ଝିଅ ଦେଖି ସାରିଲା ପରେ ଗୋଟିଏ ଝିଅ ମନକୁ ପାଇଥିଲା ପ୍ରେମ କରିବା ପାଇଁ। ଯଦି ମୋତେ ରିଜେକ୍ଟ କରି ଦିଏ, ଅପମାନ ସହି ହେବ ତ! ବସି ଭାବିବାକୁ ଲାଗିଲି। ପ୍ରେମ କରିବାକୁ ମନର ଇଛା ଭୟର ବାତାବରଣ କୁ ଟପି ଆଗକୁ ଯାଇ ପାରୁ ନଥିଲା।


ମୋର ଶୁଦ୍ଧ ଆଚରଣ ଓ ଶୃଙ୍ଖଳିତ ଜୀବନ ମୋତେ କୌଣସି ଅପ୍ରାସଙ୍ଗିକ କାର୍ଯ୍ୟ କରିବାକୁ ପ୍ରେରଣା ଅବଶ୍ଯ ଦେଉ ନ ଥିଲା। କିନ୍ତୁ ବିଶୃଙ୍ଖଳିତ ଚିନ୍ତା ଧାରାରେ ମୋର ଚିତ୍ତ ଅସ୍ତବ୍ୟସ୍ତ ହେଇ ଯାଉଥିଲା। କିଛି ଘଟିବାର ଭୟ ମନକୁ ଏତେ ଭାରାକ୍ରାନ୍ତ କରି ରଖୁଥିଲା ଯେ ପ୍ରେମ ର ବାସ୍ତବତା କେବଳ ସ୍ଵପ୍ନ ରେ ହିଁ ଦେଖୁଥିଲି। 


ସ୍ଵପ୍ନ ଯେତେବେଳେ ଛବି ପରି ଆଖି ସାମନାରେ ଭାସିବାକୁ ଲାଗେ ତାର ମାଦକତା ପାଠ ପଢିବାର ଇଛାକୁ ଦୁର ଦୂରାନ୍ତ କୁ ଠେଲି ଦିଏ। ପାଠରେ ଆଉ ଆଗ୍ରହ ରହେ ନାହିଁ। ପ୍ରେମ ଯେମିତି ପ୍ରତି ମୂହୁର୍ତ୍ତରେ କହୁଥାଏ ଏ ସମୟ ଚାଲିଗଲେ ଆଉ ଫେରି ଆସିବନି, ପାଠକୁ କିନ୍ତୁ କିଛିଦିନ ବିରାମ ଦେଇ ହେବ। 


ସତକୁ ସତ ପ୍ରେମର ପାରିଜାତ ପାଇବାକୁ ପାଠ ମୋ ମନରୁ ଲିଭିବାକୁ ଲାଗିଲା। ତଥାପି ସେ ପାରିଜାତ ପାଇବାକୁ ମୁଁ ଉଦ୍ୟାନର ଗେଟ ଖୋଲି ଭିତରେ ପଶି ପାରୁ ନଥାଏ। ଯେତେ ବି ଚେଷ୍ଟା କଲି, ତା ସହିତ ପଦଟିଏ କଥା ହେବାର ସାହସ ଜୁଟାଇ ପାରିଲି ନାହିଁ। ତା ପାଖ ଦେଇ ଅନେକ ଥର ଯାଇଛି। ତାକୁ ଅନେକ ଥର ଚାହିଁ ରହିଛି। ତା ଦୃଷ୍ଟିରେ ମୋ ଦୃଷ୍ଟିକୁ ମିଶାଇ ଭାବ ପ୍ରବଣ ହେଇଛି। ସେ ଯୋଉଠି ଗୁପଚୁପ୍ ଖାଏ ମୁଁ ବି ସେଇଠି ଖାଇଛି । ତା ସହିତ ଅନେକ ଥର ବାଟରେ ଘାଟରେ ଦେଖା ହେଇଛି। 


ତାର ଦୃଷ୍ଟି ଆଢୁଆଳରେ ଯେତେବେଳେ ମୁଁ ତାକୁ ଦେଖେ ମୋତେ ଖୁବ୍ ଆନନ୍ଦ ଲାଗେ। ବେଳେ ବେଳେ ସେଇ ଆନନ୍ଦ କୁ ପିଇ ଯାଉଥିଲା ବେଳେ ମୋତେ ଲାଗେ ତାର ବକ୍ର ଦୃଷ୍ଟି ଯେମିତି ମୋ ଉପରେ ପଡି ରହିଛି। ଯିଏ ସେଇ ଦୃଷ୍ଟିକୁ ତା ଜୀବନ ରେ ପାଇଛି ସେ କେବଳ ପ୍ରେମର ସେହି ସୁଧାରସକୁ ବୁଝିପାରିଛି। ନଚେତ ପ୍ରେମ ସୁଧାରସ ମାତ୍ର ଏକ କାବ୍ୟିକ ଅଳଙ୍କାର। 


ପ୍ରେମ ସୁଧା ରସକୁ ପାଇବା ଓ ବୁଝିବା ଭିତରେ ଅନେକ ଫରକ। ମୁଁ ପାଇବାକୁ ଚାହୁଁଥିଲି। ନ ପାଇବାର ଦୁଃଖକୁ ବୁଝିବାର ସାମର୍ଥ୍ଯରେ ବୁଝୁ ଥିଲେ ବି ଭୋକିଲା ଶିଶୁଟେ ପରି ମୁଁ ଛଟପଟ ହେଉଥିଲି।


ପାଠପଢା ନଷ୍ଟ ହେବା ଆଡକୁ ଗତି କରୁଥିଲା।  ମୁଁ ନଷ୍ଟ ହେଉଛି ବୋଲି ଘରେ କେହି କିନ୍ତୁ ଟେର ପାଉ ନଥିଲେ। ମୋର ଉତ୍ତମ ଆଚରଣ ଓ ସଂସ୍କାର ମୋର ରକ୍ଷା କବଚ ହେଇ ମୋ ସହିତ ରହିଥିଲା। 


ବହୁ ପ୍ରତୀକ୍ଷା ପରେ କଥା ଟିକିଏ ଆରମ୍ଭ କରି ନ ପାରିବାରୁ ସ୍ଥିର କଲି ଯେ ମୁଁ ଏ ବିଷୟରେ ଥିବା ମୋର ଏକ୍ସପର୍ଟ ବନ୍ଧୁ ମାନଙ୍କ ସହାୟତା ନେବି। ମୋ ସମ ସାମାୟିକ ବହୁ ଏକ୍ସପର୍ଟ ଙ୍କ ପାଖକୁ ଯିବାକୁ ଲାଗିଲି।


ସମସ୍ତଙ୍କର ଗୋଟିଏ ପ୍ରଶ୍ନ ଥିଲା ଯେ ସେ କଣ ସତରେ ତୋ ଆଡେ ଦୃଷ୍ଟିଦେଇ ତୋତେ ଦେଖୁଛି ନା ଏଇଟା କେବଳ ତୋର ଏକ ମାନସିକତା। କାରଣ ନିଜ ଦୁର୍ବଳତା ବେଳେବେଳେ ନିଜକୁ ଦେଖୁଥିଲା ପରି ମନେହୁଏ। ଦେଖିବାର ଆଗ୍ରହ କୁ ତୁ ସତରେ ପଢି ପାରୁଥିଲୁ ତ! ଭ୍ରମ ନୁହେଁ ତ!

ସେମାନଙ୍କର ଏଭଳି ପ୍ରଶ୍ନ ସ୍ୱାଭାବିକ୍ କାରଣ ମୁଁ ଯେ ପ୍ରେମ କରିବି ଏହା କେହି କଳ୍ପନା କରି ପାରୁ ନଥିଲେ।

ଯାହାବି ହେଉ ନିଜ ବିଶ୍ୱାସ ପାଇଁ ସେମାନେ ପ୍ରଶ୍ନ ପଚାରି ଚାଲିଥିଲେ।

ପ୍ରଶ୍ନ ର ପ୍ରତ୍ୟକ୍ଷେପଣରେ କିଛି ଅର୍ଥ ଅଛି ବୋଲି ମୁଁ ମନେ ମନେ ଭାବିଲି। ମନକୁ ସାନ୍ତ୍ବନା ଦେଇ କହିଲି ଯଦି ସେ  ମୋତେ ଦୃଷ୍ଟି ଟିକିଏ ଦେଉନି ପ୍ରେମ କେମିତି ଦେବ। ଦୃଷ୍ଟିରୁ ସଙ୍ଗ, ସଙ୍ଗରୁ ସୌହାର୍ଦ୍ଦ୍ୟ ଓ ତା ପରେ ସିନା ଭାବ ବିନିମୟ ହେଲେ ପ୍ରେମ ପାଇଁ କ୍ଷେତ୍ର ପ୍ରଶସ୍ତ ହେବ।


ମନକୁ ବହୁତ ବୁଝାଇବାକୁ ଚେଷ୍ଟା କଲି। ମୋର କିନ୍ତୁ ସ୍ପଷ୍ଟ ମନେ ପଡୁଥାଏ ତାର ଆଖି ଦୁଇଟିର ବକ୍ର ଦୃଷ୍ଟି ମୋତେ ଦେଖୁଥାଏ। ତେଣୁ ସେ ଯେ ମୋତେ ଦେଖୁନାହିଁ ଏହା କେବେ ସମ୍ଭବ ହେଇ ନପାରେ। ଯେତେବେଳେ ମୁଁ ତାର ନିକଟସ୍ଥ ହେଇଛି ସେ ମୋତେ ଦୃଷ୍ଟି ଦେଇଛି । ଦୃଷ୍ଟି ଦେବାର ଅର୍ଥ ନିକଟସ୍ଥ ହେବାର ଆଗ୍ରହ ପ୍ରକାଶ କରିବା ଓ ମୋ ପରି ସତସାହସ ସଞ୍ଚୟ କରି ଆଗକୁ ବୋଧହୁଏ ବଢି ପାରୁନି। ଏସବୁ ଭାବିବା ମାତ୍ରେ ମୋତେ ବୁଡି ଯାଉଥିବା ଆଶାକୁ ଆଶ୍ରୟ ମିଳିଲା ପରି ଲାଗିଲା।


ମୋର ଏକ୍ସପର୍ଟ ବନ୍ଧୁ ମାନଙ୍କ ପରାମର୍ଶ ରେ ମୁଁ ବାରମ୍ବାର ତାକୁ ଯିବା ଆସିବା ବେଳେ ଦେଖିବାକୁ ଲାଗିଲି ଓ ଅନୁଭବ କଲି ଯେ ସେ ମଧ୍ଯ ମୋତେ ତାର ବାଙ୍କ ଟାହାଣୀରେ ଦୃଷ୍ଟି ଦେଉଛି। ଆତ୍ମା ଆନନ୍ଦିତ ହେଇ ଉଠିଲା। ମୋର ବନ୍ଧୁମାନେ ଏଥର ମୋତେ ଝିଅ ଟି ସହିତ କଥାବାର୍ତ୍ତ କରେଇ ଦେବାର ପ୍ରୟାସ କରିବେ ବୋଲି ପ୍ରତିଶୃତି ଦେଲେ। ସେମାନଙ୍କୁ ଯେତେବେଳେ ମୋର ମନୋନୀତ ଝିଅ ଟି ଦେଖାଇଲି ସେମାନେ ଆଗ ବହେ ହସିଲେ ତାପରେ ବାରମ୍ବାର ପଚାରିଲେ ତୁ ସତ କହୁଛୁ ତ ! ସେ ତୋତେ ଦେଖିଲେ ଅନାଏ।


ମୁଁ ତାଙ୍କ ହସରେ ଅପମାନିତ ଅନୁଭବ କଲେ ବି ଦୃଢ ଭାବରେ କହିଲି, ହଁ ଅନାଏ। 

ସେମାନେ ବି ସମ ସ୍ୱରରେ କହିଲେ - ଆମକୁ ବି ଅନାଏ ।

ମୋତେ ଏପରି ତାତ୍ସଲ୍ୟ ଆହୁରି ଖରାପ ଲାଗିଲା ଓ ମନରେ ରାଗ ଆସିଲା। ଅଯଥାରେ ବନ୍ଧୁଙ୍କ ସାହାଯ୍ଯ ମାଗି ଅପଦସ୍ତ ହେଲି ବୋଲି ଭାବିଲି। ମୋ ମନର ଭାଷା ବୋଧେ ରାହୁଲ ବୁଝି ପାରିଲା। ମୋତେ କହିଲା - ରାଗୁଛୁ କାହିଁକି! ତା ପାଖକୁ ଯିଏ ବି ଯିବ ତାକୁ ଲାଗିବ ସେ ତାକୁ ଅନାଇଛି। ସେ ବାସ୍ତବରେ କାହାକୁ ଅନାଏ ନାହିଁ। ବହୁତ ଧିର ସ୍ଥିର ଝିଅଟିଏ, ଇକୋନୋମିକ୍ସ ର ଭଲ ଷ୍ଟୁଡେଣ୍ଟ ମଧ୍ଯ। ମୋର ପରିଚୟ ନଥିଲେ ବି ଆମ ଘର ପାଖରେ ରହେ ବୋଲି ମୁଁ ଜାଣିଛି । ଆମ କଲୋନୀରେ ସମସ୍ତେ ବି ଜାଣିଛନ୍ତି।  ତେଣୁ ତୋତେ କହିଦେଲି।


କଣଟା ଅଧିକ ସେମାନେ ଜାଣିଛନ୍ତି ମନେ ମନେ ଭାବିବାକୁ ଲାଗିଲି। ତା କହିବାର ଅର୍ଥ କିଛି ବୁଝି ପାରୁ ନଥାଏ। ତଥାପି ମୋ ମନକୁ ବୁଝାଇବାକୁ ଲାଗିଲି। 

ଝିଅ ଟାକୁ ମନେ ମନେ କେତେ ଭଲ ପାଇବା ଆରମ୍ଭ କରି ଦେଇଥିଲି। ସେ ଯେ ମୋତେ ଅନାଏ ନାହିଁ ଏକଥା ମୋର ବିଶ୍ବାସ ହେଉ ନଥାଏ। ମୁଁ ଗୁପଚୁପ ଖାଇବା ବେଳର ଦୃଶ୍ଯ ଓ ଚାର୍ଟ ଖାଇବା ବେଳର ଦୃଶ୍ଯ ଭାବୁଥାଏ। ମୋର ସ୍ପଷ୍ଟ ମନେ ପଡି ଯାଉଥାଏ, ସେ ମୋତେ କେମିତି ତାର ବାଙ୍କ ଚାହାଣୀରେ ଅନାଇଥାଏ। ସେ ଦୃଶ୍ଯ ମୋ ଆଖି ଆଗରେ ଭାସି ଆସିଲା ବେଳକୁ ରାହୁଲର କଥା ମୋତେ ଅସତ୍ୟ ମନେ ହେଉଥାଏ। 


ରାହୁଲ ବୋଧେ ମୋତେ ବୁଝି ପାରିଲା କି କଣ, ପୁଣି ଥରେ କହିଲା- ମୋ କଥାର ଅର୍ଥ କଣ ସତରେ ତୁ ବୁଝି ପାରୁନୁ।

କଥାର ପୁଣି ଅର୍ଥ କଣ ! ମୁଁ ଦ୍ବନ୍ଦ୍ବରେ ପଡିଗଲି। ତା ଆଡକୁ ସତୃଷ୍ଣ ଓ ସଂଶୟ ମନରେ ଚାହିଁବାରୁ କହିଲା -  ଆରେ ସେ ଝିଅ ଟା ଟିକିଏ ଟେରୀ। ତାକୁ ଯିଏ ଦେଖିବ ସେ ତାକୁ ଦେଖିଲା ପରି ମନେ ହେବ । ତା କଥା ଶୁଣି ସମସ୍ତେ ଯୋରରେ ହସି ଉଠିଲେ। ସେ ହସ ଭିତରେ ମୋର ପ୍ରେମ କରିବାର ବାସନା କୁଆଡେ ଯେ ମିଳାଇ ଗଲା ମୁଁ ଆଉ ପାଇଲି ନାହିଁ। ତା ପରଠାରୁ ସେ ଝିଅ ଆଡେ କେବେ ଦୃଷ୍ଟି ଦେଇ ନାହିଁ କି ପ୍ରେମ କରିବାର ଉତ୍କଣ୍ଠା ଆଉ ମନରେ ଜାଗ୍ରତ ହେଇ ନାହିଁ।

ପତ୍ନୀ ଉର୍ମିଳା ପାଖରେ ଚାହା କପଟା ଥୋଇ ଦେଇ ବିରକ୍ତ ହେଇ କହିଲେ - କଣ ବସି ଏତେ ଭାବୁଛ ! ଭଲ ତମ ଗପ ଲେଖିବାର ନିଶା ଯେ ଫୋନଟା ଏଡେ ଯୋରରେ ବାଜୁଛି ଶୁଭୁନି।

ମୁଁ ଚମକି ପଡିଲି।

ଉର୍ମିଳା ଫୋନଟା ଧରେଇ ଦେଇ କହିଲେ- ନିଅ, ରାହୁଲ ଫୋନ୍ କରିଛି।

ମୁଁ ହାଲୋ ହାଲୋ କହିବା ମାତ୍ରେ, ରାହୁଲ କୌଣସି ଔପଚାରିକତା ନ ଦେଖାଇ କହିଲା - ସେ ଟେରୀ ଝିଅ ମିଳି ଯାଇଛି। ଜେଏନୟୁ ରେ ପ୍ରଫେସର ଅଛି, ଆସନ୍ତା ମାସରେ ଅବସର ନେବ ବୋଲି କହୁଥିଲା। ମୋ ସହିତ ଦେଖା ହେଲାରୁ ମୋତେ ପଚାରିଲା- ତମ ଗାଳ୍ପିକ ବନ୍ଧୁ କେମିତି ଅଛନ୍ତି। 

- ମାନେ ମୁଁ

- ହଁ ! ମାନେ ତୁ। 

ମନ ଭିତରୁ ଏକ ଅଦ୍ଭୁତ ଅନାସକ୍ତ ଖୁସିର ଲହରୀ ବାହାରି ଆସିଲା। ରାହୁଲ ଆହୁରି କଣ କଣ କହି ଚାଲିଥାଏ। ମୁଁ କିନ୍ତୁ ମୋ ଭାବନା ରାଜ୍ୟରେ ବୁଡି ଯାଇଥାଏ। ପ୍ରେମ ସ୍ପର୍ଶ କରି ନହେଲେ ମଧ୍ୟ ବହୁ ଦୂରରୁ ଥାଇ ଆଘ୍ରାଣ କରିହୁଏ, ମୁଁ ବୁଝି ପାରୁଥିଲି


Post a Comment

0 Comments