ଓଡ଼ିଶାର ଲୋକକଳା - ରାଜଲକ୍ଷ୍ମୀ ସାହୁ


   ଆଦିମ ମଣିଷ  ନିଜର  ଭାବର ଆଦାନ ପ୍ରଦାନ ପାଈଁ  ମୁଖ, ଶରୀର, ହସ୍ତ, ପଦ ଚାଳନା  କରିବା କୌଶଳ ହିଁ କଳା ପଦ ବାଚ୍ୟ। ପରବର୍ତ୍ତୀ ସମୟରେ  କାବ୍ୟ, କବିତା, ସଙ୍ଗୀତ, ନୃତ୍ୟ, ଚିତ୍ର, ଓ ଭାସ୍କର୍ଯ୍ୟ ଓ ସ୍ଥାପତ୍ୟ ଆଦି କୁ ଲଳିତ କଳା ରୂପେ ଗ୍ରହଣ  କରାଗଲା।

 ସୁନ୍ଦର ବସ୍ତୁ କୁ ଦେଖିଲେ  ପ୍ରତ୍ୟେକ ମଣିଷ ଆକର୍ଷିତ ହୋଇଥାଏ ତେଣୁ    ସୌନ୍ଦର୍ଯ୍ୟ  କଳା ର ପ୍ରାଣ। ଶିବତ୍ୱ ଉପଲବ୍ଧି ପାଇଁ ସତ୍ୟ ଓ ସୁନ୍ଦର ର ଅନ୍ୱେଷଣ ହିଁ  କଳା। ସତ୍ୟର ସୁନ୍ଦର ଅଭିବ୍ୟକ୍ତି ବିନା ଜଣେ କଳାକାର   ବଞ୍ଚି ରହିପାରିବ ନାହିଁ। କଳାକାର ସବୁବେଳେ ନିଜର  ଭାବର ଅଭିବ୍ୟକ୍ତି କରିଥାଏ।  ଜୀବନ ଓ ଜଗତ କୁ ସନ୍ତୁଳନ କରି କଳାକାର ଯେଉଁ ଆନନ୍ଦ  ପାଏ   ସେହି ଆନନ୍ଦ ରୁ ହିଁ କଳା ର ସୃଷ୍ଟି।

 ସମାଜ ର ହିତସଧାନ ପାଇଁ କଳା ର ସୃଷ୍ଟି।  କଳାକାର କେବଳ  ବର୍ତ୍ତମାନ ର ପ୍ରତିନିଧି ନୁହେଁ , ଅତୀତ ର ସନ୍ଦେଶ ଗ୍ରହଣ  ପୂର୍ବକ ଭବିଷ୍ୟତ ର ସନ୍ଦେଶ ବାହକ।   
 
   ଚିନ୍ତା ଓ ଭାବନାକୁ ପ୍ରକାଶ  କରିବା ପାଇଁ  ଏକ ନିର୍ଦ୍ଦିଷ୍ଟ  ସମାଜ ବା ଗୋଷ୍ଠୀ ପଥର, କାନ୍ଥ,କାଗଜ ବା ପଟ୍ଟ ରେ ଯେଉଁ  ଚିତ୍ର ଅଙ୍କନ କରନ୍ତି ତାହାକୁ ଲୋକକଳା କୁହାଯାଏ। ବିଭିନ୍ନ ଦେବ ଦେବୀ, ପୌରାଣିକ  ଗାଥା  ହିତୋପଦେଶ  ,  ପର୍ବପର୍ବାଣୀ  କୁ ସୁନ୍ଦର ଭାବେ ଏଥିରେ  ଆଙ୍କାଯାଇଥାଏ।    
   
    ଆଦିମ ମନୁଷ୍ୟ  ବିଭିନ୍ନ ପଶୁପକ୍ଷୀ ର ପକ୍ଷୀ, ହାଡ, ଗଛର ଫଳକୁ ଶରୀରର ବିଭିନ୍ନ ସ୍ଥାନରେ  ପରିଧାନ କରି  ନିଜର ଶୋଭା ବଢ଼ାଉଥିଲେ  ,ସେସବୁ ବି ଏକ ପ୍ରକାର କଳା।
    
    ପୁରାତନ ସମୟର  ଚିତା କୁଟାଇବା  ଏକପ୍ରକାର ଲୋକକଳା । ବର୍ତ୍ତମାନ ର ଯୁବପୀଢ଼ି  ମାନଙ୍କ ପାଖରେ ଦେଖା ଯାଉଥିବା ଟାଟୁ  ଚିତାକୁଟାଇବା ର ପରିସର ଭୁକ୍ତ କହିଲେ  ଅତ୍ୟୁକ୍ତି ହେବନାହିଁ।
    
ବସ୍ତ୍ରବୟନ କୁ ଲୋକକଳା ର ପରିସର ଭୁକ୍ତ କରିପାରିବା,  ବିଭିନ୍ନ ଗଛର ପତ୍ର, ଫୁଲରୁ ରଙ୍ଗ  ପ୍ରସ୍ତୁତ କରି ବସ୍ତ୍ର ବୁଣିବା କେଉଁ ପୁରାତନ କାଳରୁ  ଚାଲି ଆସୁଛି।ସମ୍ବଲପୁରୀ,  ବମକେଇ, ମଣିଆବନ୍ଧି, ବ୍ରହ୍ମପୁରୀ ଆଦି ବସ୍ତ୍ର ରେ  ବିଭିନ୍ନ ଦେବାଦେବୀ, ପଶୁପକ୍ଷୀ, ଗଛ ପତ୍ରର ଚିତ୍ର ସୁନ୍ଦର ଭାବେ ଚିତ୍ରିତ ହୋଇଥାଏ।

ପର୍ବ ପର୍ବାଣୀ ରେ ଗୃହ କାନ୍ଥରେ  ଝୋଟି ଚିତା ଅଙ୍କନ ର ପରମ୍ପରା ବହୁ  ପୁରାତନ, ଏହା ଆମ ପୂର୍ବପୁରୁଷ ତଥା ଆଦିମ ସଂସ୍କୃତି ର କ୍ରମବିକାଶ କହିଲେ ଅତ୍ୟୁକ୍ତି ହେବନାହିଁ।  ମାଣବସା  ଓ କାର୍ତ୍ତିକ ମାସରେ ଯେଉଁ ଝୋଟି ଚିତା ଅଙ୍କନ ର ପରମ୍ପରା ରହିଛି ତାହା ପୀଢ଼ି ପରେ ପିଢୀ ମା'ଠାରୁ ଶିଖି ବଞ୍ଚି ରହିଛି।

ବିଭିନ୍ନ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଯଥା ଦଣ୍ଡନାଚ, ଛଉ ନାଚ, ଚଇତି ଘୋଡା ଆଦିରେ ଯେଉଁ ବେଶ ଧାରଣ କରୁଥିବା ପରିଦୃଷ୍ଟ ହୁଏ ତାହାକୁ ବି ଲୋକକଳା ର ପରିସର ଭୁକ୍ତ କରିପାରିବା।

ବ୍ୟବହାରିକ ବସ୍ତୁର ଅଳଙ୍କରଣ ରେ ଲୋକକଳା  ପ୍ରତୀୟମାନ ହୋଇଥାଏ । ଝିଅ ବାହାଘର ସମୟରେ  ବ୍ୟବହୃତ  ବାଉଁସିଆ ଓ ମାଟିହାଣ୍ଡି ରେ ଯେଉଁ ଚିତ୍ର ଦେଖିବାକୁ ମିଳେ ତାହାକୁ ବି ଲୋକକଳା ର ପରିସର ଭୁକ୍ତ କରିପାରିବା।

ପର୍ଶୁରାମ ବେଶଧାରୀ ମାନେ ଗାଁ ଗାଁ ରେ ବୁଲି ଭିକ୍ଷା କରୁଥିବା ଦେଖାଯାଏ। ସେମାନେ ବ୍ୟବହାର କରୁଥିବା ହାଣ୍ଡି ରେ ଦଶାବତାର ଦେଖିବାକୁ ମିଳେ।

 କଂସା, ପିତ୍ତଳ  କାରିଗରୀ ରେ ଲୋକକଳା ସ୍ପଷ୍ଟ ବାରି ହୋଇଥାଏ।  ବିଭିନ୍ନଗୃହ ଉପକରଣ ଓ ଦେବାଦେବୀ ଙ୍କ ମୂର୍ତ୍ତି ରେ ତାହା ପ୍ରତୀୟମାନ ହୋଇଥାଏ। ଗଂଜାମ ଜିଲ୍ଲା  ଅନ୍ତର୍ଗତ ବେଲଗୁଣ୍ଠା ଗ୍ରାମର ପିତ୍ତଳ ମାଛ ଓ ଚିଙ୍ଗୁଡ଼ି   ବିଶ୍ୱପ୍ରସିଦ୍ଧି ଲାଭ  କରିଛି।  
 
 କଣ୍ଟିଲୋ,ଭଟିମୁଣ୍ଡା, ବାଳକାଟି ଅଦିଗ୍ରାମରେ ପ୍ରସ୍ତୁତ କଂସା ବାସନ, ହଣ୍ଡା ହାଣ୍ଡି  ଓ ଗୃହସଜ୍ଜା  ଉପକରଣ ରେ ମୌଳିକତା ପ୍ରଦର୍ଶନ ହୁଏ। ଡୋକରା ଶୈଳୀ ରେ ପ୍ରସ୍ତୁତ ପିତ୍ତଳ ମୂର୍ତ୍ତି ଯଥା ହାତୀ, ଘୋଡା, ବାଘ, ପକ୍ଷୀ,ମାଛ, ନରନାରୀ  ,ମାଣ ଆଦି ଗୃହସଜ୍ଜା ନିମିତ୍ତ ବିଶେଷ ଭାବେ ବ୍ୟବହୃତ ହୋଇଥାଏ।


   ଏହି ସବୁ ଲୋକକଳା ବର୍ତ୍ତମାନ ବିଲୁପ୍ତ ହେବାକୁ ଲାଗୁଛି। ଏହାର ପୁନରୁଦ୍ଧାର  ସକାଶେ ସରକାର ଙ୍କ ସହିତ ସମସ୍ତେ ଯତ୍ନବାନ
    ହେବା ଆବଶ୍ୟକ।।

ପଟିଆ, ଭୁବନେଶ୍ୱର
9937189906

Post a Comment

0 Comments