ଉତ୍କଳମଣି ଗୋପବନ୍ଧୁ -ଏକ ବିହଙ୍ଗାବଲୋକନ - ଡ. ପ୍ରିୟମ୍ବଦା ସାମଲ

 

"ମାନବ ଜୀବନ ନୁହଁଇ କେବଳ
ବର୍ଷ ମାସ ଦିନ ଦଣ୍ଡ
କର୍ମେ ଜିଏଁ ନର କର୍ମ ଏକା ତାର
ଜୀବନର ମାନଦଣ୍ଡ। "

ଏହି ଅମର ବାଣୀ ଯାହାଙ୍କର ଲେଖନୀରୁ ନିର୍ଗତ ହୋଇଥିଲା ସେ ହେଉଛନ୍ତି ଉତ୍କଳ ମାତାର ଯୋଗ୍ଯ,ତ୍ଯାଗ ବୀର, ଦରଦୀ ବନ୍ଧୁ, ସ୍ବଦେଶହିତୈଷୀ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶ। ସେ ପୁରୀ ଜିଲ୍ଲାର ସତ୍ଯବାଦୀର ସୁଆଣ୍ଡୋ ଗ୍ରାମରେ ମାତା ସ୍ବର୍ଣମୟୀ ଦେବୀ ଓ ପିତା ଦୈତାରୀ ଦାଶଙ୍କ ଗର୍ଭରୁ ୯ ଅଗଷ୍ଟ ୧୮୭୭ରେ ଏକ କୁଳୀନ ବ୍ରାହ୍ମଣ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ବାର ବର୍ଷ ବୟସ ରେ ତାଙ୍କର ବିବାହ ହୋଇଥିଲା। ପୁରୀରୁ ମାଟ୍ରିକ୍ ପାଶ୍ କରି କଟକରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ଯୟନ କରୁଥିବା ସମୟରେ ତାଙ୍କର ପିତା ଇହଲୀଳା ସମ୍ବରଣ କରିଥିଲେ। ଏହି ସମୟରେ ଓଡିଆ ଭାଷାର ବିଲୋପ ଚକ୍ରାନ୍ତ ଚାଲିଥାଏ। ସେ ଏହା ବିରୁଦ୍ଧ ରେ ତୀବ୍ର ଆନ୍ଦୋଳନ ଆରମ୍ଭ କଲେ। ସେ କର୍ତ୍ତବ୍ଯବୋଧିନୀ ନାମକ ଏକ ସଂଗଠନ କରି ଏହି ହୀନ ଚକ୍ରାନ୍ତ ର ଘୋର ପ୍ରତିବାଦ  କଲେ। ରାମଚନ୍ଦ୍ର ଦାଶ ଓ ତାଙ୍କର ଉଦ୍ଯମରେ ଉତ୍କଳ ସମ୍ମିଳନୀ ର ପ୍ରଥମ ଅଧିବେଶନ ହେଲା। ୧୯୦୩ରେ ଉତ୍କଳ ଗୌରବ ମଧୁସୂଦନଙ୍କ ଦ୍ବାରା ଆୟୋଜିତ ଉତ୍କଳ ସମ୍ମିଳନୀ ରେ ସେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସେ ସମୟରେ ତାଙ୍କର ପ୍ରଥମ ପୁତ୍ର ଇହଲୀଳା ସମ୍ବରଣ କରିଥିଲେ। ୧୯୦୪ରେବି.ଏ.ପାଶ୍ ପରେ ସେ କଲିକତା ରେ ବି. ଏଲ୍. ପଢିଲେ। ପ୍ରବାସୀ ଓଡିଆ ଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ତାଙ୍କର ହ୍ରୁଦୟ ବିଗଳିତ ଓ ବିଚଳିତ ହେଲା। ତେଣୁ ସେ ଓଡିଆ ଶ୍ରମିକ ସଂଘ ଓ ସାନ୍ଧ୍ୟ ବିଦ୍ଯାଳୟ ପ୍ରତିଷ୍ଠା କଲେ। ଏ ସମୟରେ ତାଙ୍କର ଦ୍ବିତୀୟ ପୁତ୍ର ଆଖି ବୁଜିଲେ।ବି. ଏଲ୍. ପାଶ୍ ଦିନ ହିଁ ତାଙ୍କ ପତ୍ନୀ ଙ୍କ ର ତିରୋଧାନ ହେଲା।  ଏପରି ଦାରୁଣ ପରିସ୍ଥିତି ରେ ମଧ୍ଯ ସେ ନିଜର କର୍ତ୍ତବ୍ଯ ସଂପାଦନ କରିବା ପାଇଁ ପଛକୁ ଓହରି ନଥିଲେ। ବାଲ୍ଯକାଳରୁ ମାତା, କୈଶୋରାବସ୍ଥାରେ ପିତା, ଯୌବନରେ ପତ୍ନୀ ଓ ପୁତ୍ର କୁ ହରାଇ ମଧ୍ଯ ସେ ଭାଙ୍ଗି ପଡି ନଥିଲେ। କର୍ମ କୁ ସେ ସବୁଠାରୁ ବେଶୀ ଗୁରୁତ୍ବ ଦେଉଥିଲୋ।କର୍ମ ଓ ପରୋପକାର ତାଙ୍କ ତ୍ଯାଗପୂତ ଜୀବନର ମହା ବ୍ରତ। 

      ପଂଚସଖା ମଧ୍ଯରେ ସେ ଥିଲେ ଏକ ତେଜୋମୟ ତାରକା। ବକୁଳବନର ଛୁରିଆନାକୁଂଜ ତଳେ ସତ୍ଯବାଦୀ ସାହିତ୍ଯିକ ଗୋଷ୍ଠୀ ଗଢିଥିଲେ ଏକ ମଣିଷ ତିଆରି କାରଖାନା- ସତ୍ଯବାଦୀ ବନବିଦ୍ୟାଳୟ। ସେଠାରୁ ଜାତୀୟ ସ୍ବାଧୀନତା ଆନ୍ଦୋଳନ ପରିଚାଳିତ ହୋଇଥିଲା। ୧୯୧୮ ରୁ ୧୯୨୦ରେ ଓଡିଶା ରେ ସଂଘଟିତ ବନ୍ଯା, ମରୁଡି, ଦୁର୍ଭିକ୍ଷ, ଅନାବୃଷ୍ଟି ରେ ସେ ନିଜ ଜୀବନକୁ ସଂକଟାପନ୍ନ କରି ଦେବଦୂତ ପରି ଚୁଡା, ଚାଉଳ ପଥି ଧରି ପହଞ୍ଚି ଯାଉଥିଲେ ଲୋକଙ୍କ ନିକଟରେ। ସେମାନଙ୍କର ସେବାରେ ମାସାଧିକ କାଳ ଅତିବାହିତ କରୁଥିଲେ। 

            ଓଡିଶା ର ଜନମାନସର ଦୁଃଖ, ଦୁର୍ଦ୍ଦଶା, ଭାଷା, ଦେଶ ଆନ୍ଦୋଳନ, ଜାତୀୟ କଂଗ୍ରେସର ଆଭିମୁଖ୍ୟ ଓ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଜନତା ଜନାର୍ଦ୍ଦନ ଙ୍କୁ ଅବଗତ କରାଇବାର ଅଭିଳାଷ ପୋଷଣ କରି ୧୯୧୯ ଅକ୍ଟୋବର ୪ ତାରିଖ ରେ 'ସାପ୍ତାହିକ ସମାଜ' ପ୍ରକାଶିତ କଲେ। ଏହା ସତ୍ଯବାଦୀ ରୁ ପରିବ୍ଯାପ୍ତ ହୋଇ ପୁରୀ ଓ କଟକରେ ମଧ୍ଯ ପ୍ରକାଶିତ ହେଲା। ୧୯୩୦ରେ  ସାପ୍ତାହିକ ସମାଜ ଦୈନିକ ସମାଜର ରୂପ ନେଲା। ଇଂରେଜ ସରକାର ଓ ପୋଲିସ ର ବିଭିନ୍ନ କାର୍ଯ୍ଯାନୁଷ୍ଠାନକୁ ଖାତିର ନକରି ନିର୍ଭିକ ସମ୍ବାଦ ପରିବେଷଣ କରି ସେ କାରାବରଣ କଲେ। ବନ୍ଦୀ ଅବସ୍ଥାରେ ସେ ରଚନା କଲେ"କାରା କବିତା"ଓ"ବନ୍ଦୀ ର ଆତ୍ମକଥା "। ୧୯୨୪ରେ ବନ୍ଦୀ ରୁ ଫେରିବା ପରେ ଏକ ବିରାଟ ସଭାର ଆୟୋଜନ କରାଯାଇ ଥିଲା। ସେଠାରେ ତାଙ୍କୁ ବିଶିଷ୍ଟ ବୈଗ୍ଯାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ଉତ୍କଳମଣି ବୋଲି ସମ୍ବୋଧିତ କରିଥିଲେ। ୧୯୨୮ ମସିହା ଜୁନ ୧୭ ତାରିଖ ରବିବାର ଘ. ୭.୨୫ମିନିଟ୍ ରେ ଗୋପବନ୍ଧୁ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କର ଶ୍ରୃଷ୍ଟି ସମ୍ଭାର ମଧ୍ଯରେ କାରା କବିତା, ଅବକାଶ ଚିନ୍ତା, ଧର୍ମପଦ, ବନ୍ଦୀର ଆତ୍ମକଥା, ବ୍ରହ୍ମତତ୍ତ୍ବ ବା ନଚିକେତା ଉପାଖ୍ୟାନ, ଗୋମହାତ୍ମ୍ଯ ଓ ଓଡିଆର ଜାତୀୟତା (ପ୍ରବନ୍ଧ) ଦେଶ ଓ ଜାତି ପାଇଁ ବଳିଷ୍ଠ ସ୍ବାକ୍ଷର ବହନ କରେ। 

ସେ କେବଳ ବାକ୍ଯ ବୀର ନ ଥିଲେ କର୍ମବୀର ଥିଲେ। ବାକ୍ଯ ଓ କର୍ମ ରେ ଥିଲା ସମାନତା। ତାଙ୍କ ଲେଖନୀରୁ ନିର୍ଗତ କାବ୍ୟ ଥିଲା ତାଙ୍କ କର୍ମର ପରିଚାୟକ। କର୍ମରେ ଦେଶ ଚିନ୍ତା ଏବଂ କଲମରେ ମଧ୍ଯ ଦେଶ ଭକ୍ତି-

"ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ
ଦେଶର ସ୍ବରାଜ ପଥେ ଯେତେ ଗାଡ
ପୁରୁ ପଡି ତହିଁ ମୋର ମାଂସ ହାଡ। 

ସେହି ମହାନ ମହାପୁରୁଷ ନିର୍ଭିକ, ସ୍ବଦେଶହିତୈଷୀ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କୁ  ଆଜିର ପବିତ୍ର ଦିବସରେ କୋଟି କୋଟି ନମନ। 


 ଭୁବନେଶ୍ଵର।

Post a Comment

0 Comments