ଆଧୁନିକ ଓଡିଶାର ନିର୍ମାତା, ଓଡିଶାବାସୀଙ୍କ ପ୍ରେରଣା ଓ ଆଦର୍ଶର ଉତ୍ସ ଏବଂ ଦେଶ ସେବାରେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗ କରି ଯିଏ କୋଟିଏ ସନ୍ତାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜର ଗୋଟିଏ ସନ୍ତାନର ଜୀବନ ଉତ୍ସର୍ଗ କରିବାକୁ ପଛେଇ ନଥିଲେ ସେ ହେଉଛନ୍ତି ଆଉ କେହି ନୁହନ୍ତି ଉତ୍କଳର ମଣି ଉତ୍କଳମଣି ଗୋପବନ୍ଧୁ ଦାସ । ପ୍ରତିଟି ଓଡିଆ ତାଙ୍କ ଅବଦାନ ଓ ନାମର ତାତ୍ପର୍ଯ୍ୟ ବେଶ୍ ଭଲ ଭାବେ ଜାଣନ୍ତି। ସେହି ମହାନ ପୁରୁଷଙ୍କ ଜନ୍ମ ପୁରୀ ଜିଲ୍ଲା ଅନ୍ତର୍ଗତ ସାକ୍ଷୀଗୋପାଳର ସୁଆଣ୍ତୋ ଗ୍ରାମରେ ୯ ଅକ୍ଟୋବର୍ ୧୮୭୭ ମସିହାରେ ହୋଇଥିଲା।ଗୋପବନ୍ଧୁଙ୍କର ଜୀବନକାଳ ଅତି ସଂକ୍ଷିପ୍ତ କିନ୍ତୁ ସଂକ୍ଷିପ୍ତ ଜୀବନକାଳରେ ସେ ଓଡ଼ିଶା ପାଇଁ ଯାହା କରି ଯାଇଛନ୍ତି ଭାବି ବସିଲେ ବିସ୍ମିତ ଲାଗେ।ସେ ଏକାଧାରରେ ଥିଲେ ଜଣେ ଜନସେବୀ, ଶିକ୍ଷକ, ନେତା, କର୍ମୀ, ସ˚ପାଦକ, ଆଇନଜୀବୀ ଓ ବ୍ୟବସ୍ଥାପକ।
ଗୋପବନ୍ଧୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ଶିକ୍ଷକତାରୁ।ତତ୍କାଳୀନ ଦେଶୀୟ ରାଜ୍ୟ ନୀଳଗିରିର ଏକ ଶିକ୍ଷାନୁଷ୍ଠାନରେ ପ୍ରଧାନ ଶିକ୍ଷକ ଭାବେ ଆରମ୍ଭ କରିଥିଲେ ନିଜର ଶିକ୍ଷକତା ଜୀବନ।ସେଠାରେ କିଛି ବର୍ଷ ରହିବା ପରେ ପୁରୀ ଆସି ଓକିଲାତି କରିଥିଲେ।ତେବେ ସେଥିରେ ତାଙ୍କର ମନ ନ ଥିଲା।ସେ ଓଡ଼ିଶା ପ୍ରଦେଶ ପାଇଁ,ଦରିଦ୍ର ଅବହେଳିତ ଲୋକମାନଙ୍କ ପାଇଁ ଅନେକ କିଛି କରିବାକୁ ଚାହୁଁଥିଲେ।ସେ ଥିଲେ ଶିକ୍ଷାପ୍ରେମୀ ତେଣୁ ପିଲାମାନଙ୍କ ପାଇଁ ଭଲ ବିଦ୍ୟାଳୟଟିଏ ଖୋଲିବା ଥିଲା ତାଙ୍କର ସ୍ବପ୍ନ।ସେ ଗୁରୁକୁଳ ଢାଞ୍ଚାରେ ବିଦ୍ୟାଳୟ ଶିକ୍ଷାର ପ୍ରସାର ସପକ୍ଷରେ ମତ ଦେଉଥିଲେ।ନିଜର ଚିନ୍ତାଧାରାକୁ ରୂପ ଦେବା ଲାଗି ସେ ଗଢ଼ିଥିଲେ ‘ସତ୍ୟବାଦୀ ବନ ବିଦ୍ୟାଳୟ’ ସାକ୍ଷୀଗୋପାଳର ବକୁଳ ବନରେ।ମାତ୍ର ୧୯ ଜଣ ଛାତ୍ରଙ୍କୁ ନେଇ ୧୯୦୯ ଅଗଷ୍ଟ ୧୨ ତାରିଖରେ ସେ ବିଦ୍ୟାଳୟ ଆରମ୍ଭ କରିଥିଲେ।ସମ୍ପୂର୍ଣ୍ଣ ଗ୍ରାମ୍ୟ ପରିବେଶରେ ବିଦ୍ୟାଳୟଟି ନିଆରା ଥିଲା,ଛାତ୍ରଙ୍କ ମଧ୍ୟରେ ଆଦର୍ଶବାଦର ବୀଜ ରୋପଣ ଓ ଶୃଙ୍ଖଳା ଜ୍ଞାନର ପ୍ରସାର ତାଙ୍କର ଥିଲା ମୂଳ ଲକ୍ଷ୍ୟ।ସତ୍ୟବାଦୀ ଶିକ୍ଷା ପଦ୍ଧତି ଅନ୍ୟ ବିଦ୍ୟାଳୟଠାରୁ ଅନେକଟା ଭିନ୍ନ ଥିଲା।ସେଠାରେ ପଢ଼ା ସହ ସାହିତ୍ୟ ଚର୍ଚ୍ଚା,ବ୍ୟାୟାମ,ପିଲାମାନଙ୍କ ମଧ୍ୟରେ ନିୟମିତ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା।ଏହି ବିଦ୍ୟାଳୟରେ ପଣ୍ଡିତ ନୀଳକଣ୍ଠ ଦାସ,ଆଚାର୍ଯ୍ୟ ହରିହର ଦାସ,ଗୋଦାବରୀଶ ମିଶ୍ର ଏବଂ କୃପାସିନ୍ଧୁ ମିଶ୍ର ପ୍ରମୁଖ ବିଦ୍ୱାନ ଶିକ୍ଷାଦାନ କରୁଥିଲେ।ଏହି ବିଦ୍ୟାଳୟ ଏହାର ଗୁଣାତ୍ମକ ତଥା ଚରିତ୍ର ଗଠନ ମୂଲ୍ୟବୋଧ ଦୃଷ୍ଟିରୁ ଖୁବଶୀଘ୍ର ଲୋକପ୍ରିୟ ହୋଇପାରିଥିଲା।
ଉତ୍କଳର ସାଧାରଣ ଜନତାଙ୍କ ସେବାରେ ତାଙ୍କର ସମ୍ପୂର୍ଣ୍ଣ ଜୀବନ ସମର୍ପିତ ଥିଲା।ବିଖଣ୍ଡିତ ଉତ୍କଳର ଏକତ୍ରୀକରଣ ପ୍ରୟାସରେ ସେ ଅନନ୍ୟ ଭୂମିକା ନିର୍ବାହ କରିଥିଲେ।ଓଡିଆ ସାହିତ୍ୟକୁ ଏକ ନୂତନ ଦିଗ୍ ଦର୍ଶନ ଦେବାରେ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ।ତାଙ୍କ ପୂର୍ବରୁ ଅନେକ ଉଚ୍ଚକୋଟୀର ସାହିତ୍ୟ ସାଧକ ଥିଲେ ସତ ମାତ୍ର ସାହିତ୍ୟକୁ ବୌଦ୍ଧିକ ଆଲୋଚନା ପର୍ଯ୍ୟାଲୋଚନାର ସୀମିତ ପରିଧି ମଧ୍ୟରୁ ବାହାରକରି ସମାଜର ସୁଖ ଦୁଃଖ ସହିତ ଯୋଡିବାରେ ଯେଉଁ ନୈପୁଣ୍ୟ ଗୋପବନ୍ଧୁ ଦେଖାଇଥିଲେ ତାହା ସତରେ ବିରଳ।ଗୋପବନ୍ଧୁ ଓଡିଆ ଭାଷା ଓ ସାହିତ୍ୟର ପ୍ରସାର ନିମନ୍ତେ ୧୯୧୯ ମସିହା ଅକ୍ଟୋବର ମାସ ୪ ତାରିଖରେ ସାପ୍ତାହିକ ‘ସମାଜ’ ସମ୍ବାଦପତ୍ର ଆରମ୍ଭ କରିଥିଲେ।କୁହାଯାଏ ସେ ସାହିତ୍ୟକୁ ସାମ୍ବାଦିକତାର ସ୍ତରକୁ ଓହ୍ଲାଇ ଆଣିଥିଲେ ଓ ସାମ୍ବାଦିକତାକୁ ସାହିତ୍ୟର ସ୍ତରକୁ ଉଠାଇ ନେଇଥିଲେ।ତାଙ୍କର ସାହିତ୍ୟରେ ଶବ୍ଦ ଚାତୁରୀ ଅପେକ୍ଷା ସମାଜରେ ଘଟୁଥିବା ଘଟଣା ଦୁର୍ଘଟଣାର ଆଲୋଚନା ଓ ପର୍ଯ୍ୟାଲୋଚନା ଅଧିକ ସ୍ଥାନ ପାଉଥିଲା।ଏହା ସହିତ ସେ ସାମ୍ବାଦିକତାକୁ ଶୁଷ୍କ ସମ୍ବାଦ ପରିବେଷଣ ଶୈଳୀର ନିଗଡ ମଧ୍ୟରୁ ମୁକ୍ତ କରି ସାହିତ୍ୟର ମଧୁରିମା ସହିତ ସଂଯୁକ୍ତ କରିଥିଲେ।ତାଙ୍କ ପ୍ରତିଷ୍ଠିତ ସମ୍ବାଦପତ୍ର ‘ସମାଜ’ ସାମ୍ବାଦିକତା କ୍ଷେତ୍ରରେ ଏକ ନୂଆ ମାନକ ପ୍ରତିଷ୍ଠା କରିଥିଲା ସେ ସମୟରେ।ଭରସାଯୋଗ୍ୟ ତଥ୍ୟ,ମାର୍ଜିତ ପରିବେଷଣ ଶୈଳୀ,ଉନ୍ନତମାନର ସମ୍ପାଦକୀୟ ଓ ଉଚ୍ଚକୋଟୀର ସାହିତ୍ୟ ‘ସମାଜ’ର ଏକ ସ୍ୱତନ୍ତ୍ର ପରିଚୟ ଥିଲା।ଜଣେ ଦରଦୀ ବ୍ୟକ୍ତି ଭାବେ ପରିଚିତ ଗୋପବନ୍ଧୁଙ୍କ ଦ୍ବାରା ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର "ସମାଜ" ଆଜି ବି ଓଡ଼ିଆ ସମ୍ବାଦପତ୍ର ଜଗତରେ ଏକ ପରିଚିତ ନାମ।
ଦାରିଦ୍ର୍ୟ ଓ ଅଶିକ୍ଷାରୁ ମୁକ୍ତ ଏକ ସମାଜ ଚାହୁଁଥିଲେ ଗୋପବନ୍ଧୁ ଯେଉଁଠି ମଣିଷ ସମ୍ମାନର ସହ ବଞ୍ଚିପାରିବ ଓ ନିଜର ସଚେତନତାର ସ୍ତରକୁ ବୃଦ୍ଧି କରିପାରିବ।ଏହି ଲକ୍ଷ୍ୟ ହାସଲରେ ବ୍ରତୀ ହୋଇ ସେ ସାରା ଜୀବନ କାମ କରିଚାଲିଥିଲେ।ଗୋପବନ୍ଧୁଙ୍କର ଏହି ମହତ ଉଦ୍ଦେଶ୍ୟକୁ ଚିହ୍ନି ୨୮.୦୬.୧୯୨୪ ତାରିଖରେ ବିଶିଷ୍ଟ ବୈଜ୍ଞାନିକ ତଥା ବଙ୍ଗଳାର ଦେଶପ୍ରେମୀ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ‘ଉତ୍କଳମଣି’ ଉପାଧିରେ ଭୂଷିତ କରିଥିଲେ।
ଗୋପବନ୍ଧୁଙ୍କ ସାହିତ୍ୟ କୃତି ଓଡି଼ଆ ସାହିତ୍ୟ ଭଣ୍ଡାରରେ ଏକ ଉଜ୍ଜ୍ୱଳ ରତ୍ନ ପରି।ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ଆଧୁନିକ ଓଡି଼ଆ ସାହିତ୍ୟକୁ ଏକ ଭିନ୍ନ ଦିଗ ପ୍ରଦାନ କରିଥିଲେ ଗୋପବନ୍ଧୁ।ଜାତୀୟତାବାଦୀ ଚିନ୍ତାଧାରା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ର ପୁରୀ ପ୍ରତି ଥିବା ତାଙ୍କର ପ୍ରେମଭାବ ତାଙ୍କ ରଚିତ କବିତାରେ ଭାବବିହ୍ୱଳତା ସହ ବର୍ଣ୍ଣିତ ହୋଇଅଛି।ଜୀବନର ଉଦ୍ଦେଶ୍ୟ,ଉପନିଷଦୀୟ ଚିନ୍ତାଧାରା,ଗୀତାର କର୍ମଯୋଗ ଆଦିର ପୁନଃ ରୂପ ଦେବା ଓ ମୃତ୍ୟୁ ପରର ରହସ୍ୟ ଉନ୍ମୋଚନ କରିବାକୁ ଚେଷ୍ଟା କରିଛନ୍ତି ଗୋପବନ୍ଧୁ ତାଙ୍କ ରଚନା ମାଧ୍ୟମରେ।ତାଙ୍କ ସାହିତ୍ୟ ସୃଷ୍ଟି ସଂଖ୍ୟା ପରିମାଣ ଦୃଷ୍ଟିରୁ କହିବାକୁ ଗଲେ ସ୍ୱଳ୍ପ ସତ କିନ୍ତୁ ରଚନା ଗୁଡିକ ଥିଲା ଦୂର ଦିଗନ୍ତବ୍ୟାପୀ।‘ଅବକାଶ ଚିନ୍ତା’,‘କାରା କବିତା’,‘ବନ୍ଦୀର ଆତ୍ମକଥା’,‘ଧର୍ମପଦ’,‘ନଚିକେତା ଉପାଖ୍ୟାନ’,‘ଗୋ-ମହାତ୍ମ୍ୟ’ ଆଦି ତାଙ୍କର ପ୍ରମୁଖ କାବ୍ୟ କୃତି।ଏହା ସହ ସେ ବହୁ ପ୍ରବନ୍ଧ ଲେଖିଛନ୍ତି ଯାହା ଓଡି଼ଆ ସାହିତ୍ୟର ଦିଗ ବାରେଣୀ ଭାବେ ଗ୍ରହଣ କରାଯାଏ ।
ଗୋପବନ୍ଧୁ ଦାସଙ୍କ ସମସ୍ତ ସାହିତ୍ୟ କୃତି ସମାଜ ପ୍ରଣୋଦିତ,ମାନବବାଦୀ,ସମ୍ବେଦନଶୀଳ ତଥା ଗଭୀର ଦେଶପ୍ରେମର ସ୍ୱାକ୍ଷର।ତାଙ୍କର ପ୍ରାରମ୍ଭିକ ରଚନାରୁ ଶେଷ ରଚନା ଯାଏ ସବୁଥିରେ ଜାତୀୟତାବାଦ ଓ ମାନବବାଦ ସ୍ପଷ୍ଟ ଭାବେ ପରିଲକ୍ଷିତ ହୁଏ।ପ୍ରାୟ ସବୁ ରଚନାରେ ମନୁଷ୍ୟ ହିଁ କେନ୍ଦ୍ରବିନ୍ଦୁ।ମଣିଷର ଦୁଃଖ,କଷ୍ଟ,ଯନ୍ତ୍ରଣା ଦୂର କରିବା ପାଇଁ ସେ ଯେଉଁ ସଂଗ୍ରାମ କରିଥିଲେ ତା’ର ଭିତ୍ତି ଉପରେ ଛିଡ଼ା ହୋଇଛି ତାଙ୍କର ସମସ୍ତ ରଚନାବଳୀ ।
ଜଣେ ରାଜନେତା ଭାବରେ ଛାତ୍ର ଜୀବନରୁ ସେ ‘ଉତ୍କଳ ସମ୍ମିଳନୀ’ରେ ସକ୍ରିୟ ରହିଥିଲେ କିନ୍ତୁ ତାଙ୍କର ଭାରତ ଭାବନା ତାହାର ଊର୍ଦ୍ଧ୍ୱରେ।‘କାରାକବିତା’ରେ ସେ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କୁ କେବଳ ଓଡ଼ିଶା ଭିତରେ ସୀମିତ ରଖିନାହାନ୍ତି ଶ୍ରୀଜଗନ୍ନାଥଙ୍କୁ ସେ ମହା ଭାରତୀୟତାର ଅଙ୍ଗ ଭାବରେ ଦେଖିଛନ୍ତି।ଶ୍ରୀକ୍ଷେତ୍ର,ଶ୍ରୀକ୍ଷେତ୍ରର କଳ୍ପବଟ,ଶ୍ରୀମନ୍ଦିରର ନୀଳଚକ୍ର ଏବଂ ସର୍ବୋପରି ଶ୍ରୀଜଗନ୍ନାଥଙ୍କୁ କେବଳ ଓଡ଼ିଶା ଭିତରେ ସୀମିତ ନରଖି ମହାଭାରତୀୟତାର ବ୍ୟାପକତା ଦେଇଛନ୍ତି।ଗୋପବନ୍ଧୁଙ୍କ ଦୃଷ୍ଟିରେ ଭାରତ ଏକ ସରସୀ ବା ପୁଷ୍କରିଣୀ ସଦୃଶ।ସେହି ପୁଷ୍କରିଣୀର ଏକ ପଦ୍ମ ହେଉଛି ଉତ୍କଳ ବା ଓଡ଼ିଶା।ସେହି ପଦ୍ମର କେଶର ହେଉଛି ପୁଣ୍ୟ ନୀଳାଚଳ ଧାମ।ସେଇଥିପାଇଁ ସେ ଭାରତର ପ୍ରତି ଶିଳାଖଣ୍ଡ ଭିତରେ ଦେଖିଛନ୍ତି ଶାଳଗ୍ରାମକୁ।ପ୍ରତି କ୍ଷେତ୍ର ଭିତରେ ଦେଖିଛନ୍ତି ଶ୍ରୀକ୍ଷେତ୍ର ପୁରୀକୁ।ଏବଂ ଭାରତର ପ୍ରତି ବୃକ୍ଷ ଭିତରେ ଦେଖିଛନ୍ତି କଳ୍ପବଟକୁ।ଏ ଭାବନାରେ ଶ୍ରୀଜଗନ୍ନାଥ କେବଳ ଶ୍ରୀମନ୍ଦିରରେ ବିରାଜିତ ନରହି ଭାରତବର୍ଷର ସବୁଠାରେ ପ୍ରକଟ ହୋଇଛନ୍ତି।
*ମୋ ନେତ୍ରେ ଭାରତ ଶିଳା ଶାଳଗ୍ରାମ*
*ପ୍ରତି କ୍ଷେତ୍ର ମୋର ପ୍ରିୟ ପୁରୀଧାମ*
*ଭାରତର ପ୍ରତି ବୃକ୍ଷ କଳ୍ପବଟ*
*ପ୍ରଭୁ ଜଗନ୍ନାଥ ସର୍ବତ୍ର ପ୍ରକଟ*
ଏଇଥିପାଇଁ ଭାରତବର୍ଷର ଯେଉଁଠାରେ ଥିଲେ ବି ସେ ଶ୍ରୀମନ୍ଦିରର ନୀଳଚକ୍ର ତଳେ ଥିବା ପରି ମନେ କରିଛନ୍ତି👉
*ଯହିଁ ତହିଁ ଥିଲେ ଭାରତ ଶୟଳେ*
*ମଣିବି ମୁଁ ଅଛି ନୀଳଚକ୍ର ତଳେ*
ଗୋପବନ୍ଧୁଙ୍କ ସାହିତ୍ୟରେ ସବୁ ଦର୍ଶନର ଦର୍ଶନ ମିଳେ।ପ୍ରକୃତି ପ୍ରୀତି,ବିଭୁ ପ୍ରେମ,ସମାଜବାଦୀ,ଜାତୀୟତାବାଦୀ,ମାନବବାଦୀ, ସାମ୍ୟବାଦ ଆଦି ଅନେକ ଦର୍ଶନ ତାଙ୍କ ରଚନାରେ ଦେଖିବାକୁ ମିଳିଥାଏ।ଯେମିତି ଚିଲିକାକୁ ନେଇ ରେଳ ଉପରେ ଚିଲିକା ଦର୍ଶନ ତାଙ୍କର ସ୍ମରଣୀୟ ଲେଖାଟି ଜନମାନସକୁ ଖୁବ୍ ଛୁଇଁଥିଲା👉
*ରହ ରହ କ୍ଷଣେ ବାଷ୍ପୀୟଶକଟ*
*ଦେଖିବି ଚିଲିକା ଚାରୁ ଚିତ୍ରପଟ*
*ଚିତ୍ର ମଣେ ଯେଣୁ ନାହିଁ ଅନୁଭବ*
*ବାସ୍ତବ ବିଶ୍ବେ କି ଏ ଛବି ସମ୍ଭବ ?*
ଅତି ବଡି ଜଗନ୍ନାଥ ଦାସଙ୍କ ଉପରେ ତାଙ୍କ ରଚନା ମଧ୍ୟ ଖୁବ୍ ମନଛୁଆଁ ହୋଇପାରିଥିଲା 👉
*ଉତ୍କଳର ବ୍ୟାସ ଜଗନ୍ନାଥ ଦାସ*
*ବିଷ୍ଣୁ ଅଂଶେ ଅବତାର,*
*ଭକତ ପ୍ରଧାନ ଗୂଢ ଦିବ୍ୟ ଜ୍ଞାନ*
*କଲ ସ୍ବଦେଶେ ପ୍ରଚାର ।*
*ବେଦ-ମହୋଦଧି ବ୍ୟାସ ତପୋନିଧି*
*ମନ୍ଥି ଯେ ତତ୍ତ୍ବ ସକଳେ,*
*ଉଦ୍ଧରି ପୁରାଣେ ନାନା ଉପାଖ୍ୟାନେ*
*ପ୍ରକାଶିଥିଲେ ସରଳେ ।*
ଗୋପବନ୍ଧୁଙ୍କ ଜୀବନ ଦର୍ଶନ ଓ ସାହିତ୍ୟ ରଚନାର ପୃଷ୍ଠଭୂମି ଥିଲା ସମାନ।ଆଚରଣ,ଉଚ୍ଚାରଣ,ଲିଖନ ସବୁ ଥିଲା ଗୋଟିଏ।କେହି ନ ଥିଲେ କାହାରିଠାରୁ ଅଲଗା।ତାଙ୍କ ଲିଖିତ ଲୋକାଦୃତ କାଳଜୟୀ ଶବ୍ଦାବଳୀ ଏବେ ମଧ୍ୟ ଯୁବପିଢିଙ୍କୁ ଉତ୍ସାହିତ କରିଥାଏ👉
*ମିଶୁ ମୋର ଦେହ ଏ ଦେଶ ମାଟିରେ*
*ଦେଶବାସୀ ଚାଲି ଯାଆନ୍ତୁ ପିଠିରେ*
*ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼*
*ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼*
--ବନ୍ଦୀର ଆତ୍ମକଥା--
ଉତ୍କଳମଣିଙ୍କ ଏ ଦୁଇ ପଦ କଥା ସେହି ସମୟରେ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କୁ ସମାଜ ସେବା କରିବା ସହ ଇଂରେଜମାନଙ୍କ ବିରୋଧରେ ଭାରତକୁ ସ୍ବାଧୀନ କରିବା ପାଇଁ ଦାନା ବାନ୍ଧି ଥିଲା।ଯାହା ପରବର୍ତ୍ତୀ ସମୟରେ ଏକ ନୂଆ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ।
ଦେଶ,ଦେଶବାସୀ ହିଁ ଗୋପବନ୍ଧୁଙ୍କ ଜୀବନ ଓ ରଚନାର ଭିତ୍ତି।ସର୍ବୋପରି ପୁରା ବିଶ୍ୱର ମାନବ ସଭ୍ୟତା ନିଜର ମାନସ ପଟ୍ଟରେ ରଖି ସେ କାର୍ଯ୍ୟ କରୁଥିଲେ,ଲେଖୁଥିଲେ ତାହା ଏହି ପଂକ୍ତିରୁ ସୁସ୍ପଷ୍ଟ 👉
*ନିଜ ସୁଖ ଲାଗି ଜାତ ନୁହେଁ ହିନ୍ଦୁ*
*ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ*
ଓଡି଼ଶା ଥିଲା ତାଙ୍କ ହୃଦୟରେ,ଦେଶ ତାଙ୍କ ମସ୍ତିଷ୍କରେ,ଆଉ ସାରା ବିଶ୍ୱ ଥିଲା ତାଙ୍କ ପ୍ରତି ରକ୍ତବିନ୍ଦୁରେ।ତାଙ୍କର ଏ ମାନବବାଦ,ଜାତୀୟବାଦ ଚିନ୍ତାଧାରା ଆମେ ଦେଖିବାକୁ ପାଇବା ତାଙ୍କ ପ୍ରତ୍ୟେକଟି କବିତାରେ।
ଗୋପବନ୍ଧୁ ସାହିତ୍ୟ,ସାମ୍ବାଦିକତା,ରାଜନୀତି,ଶିକ୍ଷାବ୍ୟବସ୍ଥା,ଗଣଆନ୍ଦୋଳନ ସହିତ ସାମଗ୍ରୀକ ଭାବେ ଓଡିଆ ଜାତିର ଅବଚେତନରେ ଆପଣାର ଅନତିକ୍ରାନ୍ତ ପ୍ରଭାବ ବିସ୍ତାର କରିଥିଲେ ଯାହା ଆଜି ମଧ୍ୟ ମଳିନ ପଡ଼ିନାହିଁ।ଓଡ଼ିଆ ଜାତି ପାଇଁ ସଂଗ୍ରାମ ହେଉ ବା ଜନସେବା କିମ୍ବା ଶିକ୍ଷାବ୍ୟବସ୍ଥା ସବୁ କ୍ଷେତ୍ରରେ ଥିଲେ ସେ ଅନନ୍ୟ।ଗାନ୍ଧିଜୀଙ୍କ ଦର୍ଶନ ସହ ଗୋପବନ୍ଧୁଙ୍କର ଦର୍ଶନ କିଛିି ଭିନ୍ନ ନ ଥିଲା ତେଣୁ କେହି କେହି ତାଙ୍କୁ ଓଡ଼ିଶାର ଗାନ୍ଧୀ ବୋଲି ମଧ୍ୟ ସମ୍ବୋଧନ କରୁଥିଲେ।ଗାନ୍ଧୀଙ୍କ ପରି ଅହିଂସା,ସତ୍ୟାଗ୍ରହୀ,ସଂଗ୍ରାମୀ ଥିଲେ ଗୋପବନ୍ଧୁ।
ଶିକ୍ଷା,ସାହିତ୍ୟ,ସାମ୍ବାଦିକତା,ସମାଜ ସଂସ୍କାର ଆଦି କ୍ଷେତ୍ରରେ ସେ ଯେଉଁ ଉଲ୍ଲେଖନୀୟ ଅବଦାନ ଦେଇଯାଇଛନ୍ତି ତାହା ଯୁଗ ଯୁଗ ଧରି ଓଡ଼ିଆ ଜାତି ଓ ଦେଶକୁ ପ୍ରେରଣା ଯୋଗାଉଥିବ ଏଥିରେ କୋୖଣସି ସନ୍ଦେହର ଅବକାଶ ନାହିଁ।
ଜଣେ ବହୁମୁଖୀ ପ୍ରତିଭା,ବିଦ୍ୱାନ୍,ଜଣେ ସ୍ୱାଧୀନତା ସଂଗ୍ରାମୀ,ଆଧୁନିକ ଓଡିଶାର ନିର୍ମାତା,ଓଡିଆ ଭାଷାର ତ୍ରାଣକର୍ତ୍ତା,ଜଣେ ସମାଜସେବୀ,ଆଦର୍ଶ ଶିକ୍ଷକ,ମାନବପ୍ରେମୀ,ସାମ୍ବାଦିକ,କବି,ଦାର୍ଶନିକ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ଭାବେ ଜଣାଶୁଣା ଉତ୍କଳମଣୀ ଗୋପବନ୍ଧୁ ୧୯୨୮ ମସିହା ଜୁନ୍ ୧୭ ତାରିଖ ଶ୍ରୀଜଗନ୍ନାଥଙ୍କର ପବିତ୍ର ନେତ୍ରୋତ୍ସବ ଦିନ ସ୍ବର୍ଗବାସ କରିଥିଲେ।ଆଜି ବି ଓଡ଼ିଆ ଓ ଓଡ଼ିଶାର ପ୍ରତ୍ୟେକ ପ୍ରାଣରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଅଛି ଓ ସବୁଦିନ ପାଇଁ ରହିବି ଥିବ।
ମାଲକାନଗିରି



0 Comments