ରଜ ସଂକ୍ରାନ୍ତି - ବାସନ୍ତୀ ଲତା ଜେନା


ଉତ୍କଳୀୟଙ୍କର  ଜାତୀୟ ପରବ
       ଝୁମି ଝୁମି ଆସେ ରଜ
ଓଡ଼ିଆ ସଂସ୍କୃତି ତାର ପରମ୍ପରା
       ପର୍ବ ପର୍ବାଣୀରେ ସଜ   l

ପହିଲି ରଜଟି ଆନନ୍ଦେ ବିତିଲା
       ଆଜି ରଜ ସଙ୍କରାନ୍ତି
ଦ୍ଵିତୀୟ ଦିନରେ ମିଥୁନ ମାସରେ
      କୁଆଁରୀ ସଜ ହୁଅନ୍ତି     l

ପାଦରେ ଅଳତା କପାଳେ ଚନ୍ଦନ
      ନବ ବସ୍ତ୍ର ପିନ୍ଧି ଥାନ୍ତି
ପିଠା ମିଠା ସାଥେ ଆମ୍ବ ପଣସକୁ
        ମିଳି ମିଶି ଖାଇ ଥାନ୍ତି   l

ଆନନ୍ଦ ଉଲ୍ଲାସେ ନାଚ ଗୀତ ସାଥେ
      ଗାଁ ଦାଣ୍ଡ ହସୁ ଥାଏ
କୁଆଁରୀ କନିଆ ପାଦରେ ପଟୁକା
      ନୂପୁରର ଶବ୍ଦ ହୁଏ   l

ଦୋଳି ଖେଳୁ ଥାନ୍ତି ଗୀତ ବୋଲୁ ଥାନ୍ତି
     ସାଙ୍ଗ ସାଥି ପାନ ବଣ୍ଟା
ପ୍ରଚଳିତ ଗୀତ ପିଢ଼ି ପରେ ପିଢ଼ି
      ସେ ଗୀତରେ ଥାଏ ଥଟା   l

ଆଜିର ଦିନରେ ବଳଦେବ ପୂଜା
       ହଳ ଲଙ୍ଗଳ ପ୍ରତୀକ
ଶ୍ରଦ୍ଧାଳୁ ଭକତ ମନ୍ଦିର ଯାଆନ୍ତି
       ମୁଣ୍ଡେ ଲଗାନ୍ତି ତିଳକ   l

ମାତା ବସୁମତୀ ରଜବତୀ ହୁ'ନ୍ତି
      କୃଷକ କାମ ନ କରେ
ସ୍ୱାଦିଷ୍ଟ ବ୍ୟଞ୍ଜନ ଆହାର କରନ୍ତି
      ଦିନ ବିତଇ ଖୁସିରେ    l

ରଜ ଗଣ ପର୍ବ ଆମ ଓଡ଼ିଶାରେ
     ସୃଷ୍ଟି କରେ ଭାଇ ଚାରା     
ସ୍ନେହ ମୈତ୍ରୀ ପ୍ରିତି ପ୍ରେମର ବାରତା
      ସ୍ୱର୍ଗ ହୁଏ ବସୁନ୍ଧରା    l

ଗାନ୍ଧୀନଗର, ନବରଙ୍ଗପୁର

Post a Comment

0 Comments