ମହାଭାରତରେ ବ୍ୟାଧଗୀତା - ଅର୍ଜୁନୀ ଚରଣ ବେହେରା


ପାଣ୍ଡଵ ମାନଙ୍କ ବନବାସ ସମୟର କଥା l ବାର ବର୍ଷ ବନବାସ ଅବଧିରୁ, ଅତି କଷ୍ଟରେ ଦଶ ବର୍ଷ ଅତିବାହିତ ହୋଇଗଲା l ସେମାନେ ସ୍ଥିର କଲେ ବାକି ଦୁଇବର୍ଷ ଆମେ କୁରୁ ରାଜ୍ୟର ନିକଟବର୍ତ୍ତୀ କୌଣସି ଗୋଟିଏ ସ୍ଥାନରେ କଟାଇ ଦେବା ଏବଂ ପରେ ଦୁରକୁ ଯାଇ,ବର୍ଷେ ଅଜ୍ଞାତ ବାସ କରିବା l ସେମାନେ କାମ୍ୟକ ବନରେ ନିବାସ କରୁ ଥାନ୍ତି l ଶ୍ରୀକୃଷ୍ଣ ମଧ୍ୟ ତାଙ୍କସହ ଥାନ୍ତି l ଏମିତି ସମୟରେ ସେଠାରେ ଦିନେ, କଳ୍ପ ଜୀବି ମହର୍ଷି ମାର୍କଣ୍ଡେୟ ପହଞ୍ଚିଲେ l ମହର୍ଷି ପହଞ୍ଚିବା ପରେ କୃଷ୍ଣଙ୍କ ସହ ପାଣ୍ଡଵ ମାନେ ତାଙ୍କର ଚରଣ ବନ୍ଦନା କଲେ ଓ ଯଥୋଚିତ ପୂଜାପରେ, ଆସନରେ ବସାଇଲେ l  ମୁନି ଆସନରେ ଉପବିଷ୍ଟ ହେବା ପରେ ଶ୍ରୀକୃଷ୍ଣ କହିଲେ,ହେ ମୁନିଶ୍ରେଷ୍ଠ ! ଆପଣ ତ କଳ୍ପଜୀବି l ଆପଣ ବହୁକଥା ଜାଣନ୍ତି,ଦୟାକରି ଆମର ଏହି ବନବାସ କଷ୍ଟ ଲାଘବ ନିମନ୍ତେ ସେହି କଥାମାନ ଶୁଣାନ୍ତୁ l ଏହା ଶୁଣି ୠଷି ମାର୍କଣ୍ଡେୟ ଯୁଧିଷ୍ଠିରଙ୍କୁ ମନୁଷ୍ୟର କର୍ତ୍ତବ୍ୟକର୍ମ ବିଷୟକ ଗୋଟିଏ ସୁନ୍ଦର କାହାଣୀ ଶୁଣାଇଲେ l 
ମାର୍କଣ୍ଡେୟ କହିଲେ, ଅନେକଦିନ ତଳର କଥା l ଜଣେ ଯୁବସନ୍ୟାସୀ ଅରଣ୍ୟକୁ ଯାଇ ଦୀର୍ଘକାଳ ଯାଏ ତପସ୍ୟା କଲେ l ଦିନେ ସେ ଧ୍ୟାନମଗ୍ନ ଥିବା ବେଳେ, ବୃକ୍ଷଉପରେ ବସିଥିବା ଏକ କାକ ତାଙ୍କ ଉପରେ ମଳତ୍ୟାଗ କରିଦେଲା l କ୍ରୋଧିତ ହୋଇ ସେ ଉପରକୁ ଚାହିଁ ଦେବା ମାତ୍ରେ ବିଚରା ବାୟସ ପକ୍ଷୀ ତଳେପଡ଼ି ମରିଗଲା l ସନ୍ନ୍ୟାସୀ ଭାବିଲେ, ବୋଧହୁଏ ତାଙ୍କ ତପସ୍ୟା ସିଦ୍ଧହୋଇଛି l ତାଙ୍କର ମନ ଅହଙ୍କାରରେ ଭରିଗଲା l କିଛିସମୟ ପରେ ସେ ଜଣେ ଗୃହସ୍ଥ ଘରେ ଭିକ୍ଷା ପାଇଁ ପହଞ୍ଚିଲେ l ଗୃହସ୍ଥର ଗୃହିଣୀ ଦ୍ୱାର ଦେଶକୁ ଆସି ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଲେ l କାରଣ ସେ ସେହି ସମୟରେ ତାଙ୍କ ଅସୁସ୍ଥ ସ୍ବାମୀଙ୍କର ସେବା କରୁ ଥିଲେ l ଏଥିରେ ସନ୍ନ୍ୟାସୀ କ୍ରୋଧିତ ହୋଇ କହିଲେ," ରେ ଦୁଷ୍ଟା ମହିଳା ! ମୋତେ ଅପେକ୍ଷା କରାଇବାକୁ ତୋ ସାହସ ହେଲା କିପରି ? ତୁମେ କଅଣ ମୋର ଶକ୍ତି ଜାଣନାହଁ ?” ମହିଳା ଜଣକ କହିଲେ,"ହେ ସନ୍ନ୍ୟାସୀ,ଆପଣ ଏପରି କ୍ରୋଧିତ ହୁଅନ୍ତୁ ନାହିଁ l ମୁଁ ସେ କୁଆ ନୁହେଁ ଯେ, ଆପଣଙ୍କ ଦୃଷ୍ଟିପାତରେ ଜଳିଯିବି l " 
ସାଧୁଜଣକ ବିସ୍ମିତ ହୋଇ ଭାବିଲେ, ଆରେ ଇଏ ସେ କୁଆ କଥା ଜାଣିଲା କିପରି !! ସେ ଗୃହିଣୀକୁ ପଚାରିଲାରୁ, ଗୃହିଣୀ ଜଣକ ଉତ୍ତର ଦେଲେ, ମୁଁ କୌଣସି ତପସ୍ୟା କରିନାହିଁ l କେବଳ ମାତ୍ର ଭକ୍ତି ଓ ନିଷ୍ଠାର ସହ ମୁଁ ନିଜର କର୍ତ୍ତବ୍ୟ କରି ଚାଲିଛି l ଏହାର ସୁପ୍ରଭାବରେ ମୁଁ ଶକ୍ତି ପ୍ରାପ୍ତ ହୋଇଛି ଯେ ମୁଁ ଅନ୍ୟର ମନକଥା ଜାଣିପାରେ l ହେ ସନ୍ନ୍ୟାସୀ ମୁଁ ଜାଣି ସାରିଛି ତୁମ କୋପ ଦୃଷ୍ଟି ପଡ଼ିବା ମାତ୍ରେ କାକ ପକ୍ଷୀଟିଏ ମରିଗଲା l ହେ ସିଦ୍ଧ ସନ୍ନ୍ୟାସୀ ! କ୍ରୋଧିତହେବା ତୁମପକ୍ଷରେ ଶୋଭା ପାଏ ନାହିଁ l ତୁମେ ସିନା ବେଦ ଅଧ୍ୟୟନ କରିଛ, ମାତ୍ର ତୁମେ ଧର୍ମର ମର୍ମ ଠିକ୍ ଭାବେ ବୁଝିନାହଁ l ଧର୍ମ କଅଣ ବୁଝିବାକୁ ହେଲେ ମିଥିଳାରେ ଯାଇ ଧର୍ମବ୍ୟାଧଙ୍କ ସହ ସାକ୍ଷାତକର,ତୁମ ମନର ସକଳ ଭ୍ରାନ୍ତି ଦୂର ହୋଇ ଯିବ l ଜଣେ ବ୍ୟାଧକୁ ସାକ୍ଷାତ କରିବାକୁ ପ୍ରଥମେ କୁଣ୍ଠା ବୋଧ କରୁଥିବା ସେହି ସନ୍ନ୍ୟାସୀ ଶେଷରେ ମିଥିଳା ଯିବାପାଇଁ ମନସ୍ଥ କଲେ l
ମିଥିଳାରେ ଯାଇ ଧର୍ମ ବ୍ୟାଧଙ୍କ ନିକଟରେ ପହଞ୍ଚି ସେ ଦେଖିଲେ ବ୍ୟାଧ ପେଶାରେ ଜଣେ କଂସେଇ ଏବଂ ସେ ମାଂସ କାଟିବାରେ ଲାଗିଛି l ସନ୍ନ୍ୟାସୀ ମନ ଉଣାକରି କଅଣ ଇଆଡୁ ସିଆଡୁ ଭାବୁଥାନ୍ତି ଏହି ସମୟରେ ବ୍ୟାଧ କହିଲା, ହଁ, ମୁଁ ଜାଣିଥିଲି ତୁମେ ଆସିବ ବୋଲି l ତୁମକୁ ଏକ ମହିଳା ମୋ ପାଖକୁ ଧର୍ମ କଅଣ ଜାଣିବା ପାଇଁ ପଠାଇଛନ୍ତି l ହଉ ତେବେ l ଆସ ଘରକୁ ଯିବା l
ସନ୍ନ୍ୟାସୀ ଆଶ୍ଚର୍ଯ୍ୟହୋଇ ବ୍ୟାଧ ପଛେପଛେ ତା ଘରେ ଯାଇ ପହଞ୍ଚିଲେ l ବସିବା ପରେ ବ୍ୟାଧଙ୍କୁ ସେ ପଚାରିଲେ,ଆପଣ ଧର୍ମାତ୍ମା l ଆପଣ ଧର୍ମର ତତ୍ତ୍ଵ ଜାଣି ଥାଇ ମଧ୍ୟ ଏ କଂସେଇ କାର୍ଯ୍ୟ କାହିଁକି କରୁଛନ୍ତି ? ବ୍ୟାଧ ଉତ୍ତର ଦେଲେ:-
 କୁଲୋଚିତମିଦଂ କର୍ମ ପିତୃପିତାମହଂ ପରମ୍ l
            ବର୍ତ୍ତମାନସ୍ୟ ମେ ଧର୍ମେ
            ସ୍ୱେ ମନ୍ୟୁଁ ମା କୃଥା ଦ୍ୱିଜ ll
ଅର୍ଥାତ୍,ହେ ବ୍ରାହ୍ମଣ, ଏହା ମୋର କୌଳିକ ବୃତ୍ତି l ବାପଅଜା ଅମଳରୁ ଏହା ଆମର କୁଳ ବେଉସା l ଏଣୁ ସେହି ବୃତ୍ତିରେ ପ୍ରବୃତ୍ତହୋଇ ଏହି କଂସେଇ କାର୍ଯ୍ୟ ମୁଁ କରୁଛି l ଏହା, ମୋ ପାଇଁ ବିଧି ନିର୍ଦ୍ଦିଷ୍ଟ କାର୍ଯ୍ୟ, ଏଥିରେ ତ ମୁଁ ହିଂସା ଆଚରଣ କରୁନାହିଁ ଏଣୁ ଅଧର୍ମର ପ୍ରଶ୍ନଆସିଲା କୁଆଡୁ l ଏପରି ବହୁ ଆଲୋଚନା ପରେ, ସନ୍ନ୍ୟାସୀ ଜଣକ ବୁଝି ଗଲେ ଏହି ବ୍ୟାଧହିଁ ପ୍ରକୃତ ଧର୍ମର ମର୍ମ ଜାଣନ୍ତି l ତାଙ୍କୁ ସେ ଧର୍ମ ବିଷୟକ ନାନା ପ୍ରଶ୍ନ, ପଚାରି ଚାଲିଲେ ଏବଂ ଧର୍ମବ୍ୟାଧ ସେ ସମସ୍ତ ତତ୍ତ୍ଵ ତାଙ୍କୁ ଯଥାଯଥ ଭାବେ ବୁଝାଇ ଦେଲେ l ସନ୍ନ୍ୟାସୀଙ୍କୁ ବ୍ୟାଧ ସର୍ବ ଶେଷରେ କହିଲେ:-
  କାମକ୍ରୋଧୋ ବଶେ କୃତ୍ୱା
                   ଦମ୍ଭଂ ଲୋଭମନାର୍ଜବମ୍ l
   ଧର୍ମମିତ୍ୟେବ ସନ୍ତୁଷ୍ଠାସ୍ତେ
                      ଶିଷ୍ଟାଶିଷ୍ଟ ସମ୍ମତ୍ଆଃ ll
ଅର୍ଥାତ୍, କାମ, କ୍ରୋଧ, ଦମ୍ଭ ତଥା ଲୋଭର ବଶ ନ ହୋଇ ନିଜର ନିର୍ଦ୍ଧାରିତ କର୍ମ କରିବା ଉଚିତ୍ l ବିଜ୍ଞ ଓ ବୁଦ୍ଧିମାନ ବ୍ୟକ୍ତି ଏହାକୁ ପରିତ୍ୟାଗ କରି ଥାନ୍ତି l 
ସେ ପୁଣି କହିଲେ, ସେହି ସ୍ତ୍ରୀ ଲୋକଟି ଉପରେ ତୁମର କ୍ରୋଧିତ ହେବା ଉଚିତ୍ ନ ଥିଲା l କାରଣ ସେ ତା'ର ଧର୍ମ ପାଳନ କରୁଥିଲା l ତୁମେ ତୁମର ଧର୍ମ ପାଳନରେ ବ୍ୟର୍ଥ ହୋଇଛ l କାରଣ ତୁମେ ଗୃହତ୍ୟାଗ କରିବାରୁ ତୁମର ପିତା ମାତା ଶୋକ ଜର୍ଜରିତ ହୋଇ, ଅନ୍ଧ ହୋଇ ଯାଇଛନ୍ତି l ତୁମେ ଏବେ ଘରକୁ ଫେରିଯାଇ ସେମାନଙ୍କ ଯତ୍ନ ନିଅ ଓ ବେଦ ଅଧ୍ୟୟନ କର l
ୠଷି ମାର୍କଣ୍ଡେୟ ଶେଷରେ ଯୁଧିଷ୍ଠିରଙ୍କୁ କହିଲେ, ମନରେ ହିଂସାଭାବ ନରଖି ଜଣେ ବ୍ୟାଧ କିପରି କର୍ମ ସହ ଧର୍ମାଚରଣ କରି ଚାଲିଛି, ତାହା ଶିକ୍ଷା ଲାଭ କରି ସନ୍ନ୍ୟାସୀ ଫେରି ଆସିଲେ l ନିଷ୍କାମ ଭାବେ ନିଜର କର୍ମ କରିଯିବା ହିଁ ବିଜ୍ଞତା l
ସ୍ଵୟଂ ଭଗବାନ୍ ମଧ୍ୟ, ଶ୍ରୀମଦ୍ ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟ,ମୋକ୍ଷସନ୍ନ୍ୟାସ ଯୋଗରେ ଏହି (ଶ୍ଲୋକ ୪୬) ଉପଦେଶ ଦେଇଛନ୍ତି :-
ଯତଃ ପ୍ରବୃତ୍ତିର୍ଭୂତାନାଂ ଯେନ ସର୍ବମିଦଂ ତତମ୍ l
ସ୍ୱକର୍ମଣା ତମଭ୍ୟର୍ଚ୍ୟ ସିଦ୍ଧିଂ ବିନ୍ଦତି ମାନବଃ ll ଅର୍ଥାତ୍, ନିଜର ସ୍ୱାଭାବିକ ବୃତ୍ତି ମାଧ୍ୟମରେ ଯିଏ ସମସ୍ତ ପ୍ରାଣୀଙ୍କର ଉଦ୍ଭବ ସ୍ଥଳ ତଥା ବିଶ୍ୱବ୍ୟାପ୍ତ ସୃଷ୍ଟି କର୍ତ୍ତାଙ୍କର ଉପାସନା କରିଥାଏ, ସେହି କର୍ମ ସମ୍ପାଦନ କରି ସେ ସହଜରେ ସିଦ୍ଧିଲାଭ କରେ l
ବାସ୍ତବପକ୍ଷେ କୌଣସି କର୍ମ କୁତ୍ସିତ ବା ଅପବିତ୍ର ନୁହେଁ l କର୍ମର ମୂଲ୍ୟ ନିରୂପଣ ଆମର ଭାବନା ଅନୁସାରେ ହିଁ ହୋଇଥାଏ l
ସ୍ବାମୀ ବିବେକାନନ୍ଦ ତାଙ୍କ କର୍ମଯୋଗ ଭାଷ୍ୟରେ ଧର୍ମବ୍ୟାଧଙ୍କ ଏହି ଆଖ୍ୟାନ ଉତ୍ଥାପନ କରିଛନ୍ତି l ମହାଭାରତ ବନପର୍ବରେ ଥିବା ଏହି ଉପାଖ୍ୟାନ ବ୍ୟାଧ ଗୀତା ନାମରେ ପ୍ରସିଦ୍ଧ l
                    
                       
ଅର୍ଜୁନୀ ଚରଣ ବେହେରା 
ମୋ -7693091971

Post a Comment

0 Comments