ରଜପର୍ବରେ ନାରୀର ଭୂମିକା - ଡ. ପ୍ରିୟମ୍ବଦା ସାମଲ

 
        ଈଶ୍ବରଙ୍କ ସଂରଚନାରେ ଛପନ କୋଟି ପ୍ରାଣୀ ମଧ୍ଯ ରୁ ମନୁଷ୍ଯ ଶ୍ରେଷ୍ଠ ଜୀବ। ସବୁ ଜୀବଙ୍କ ସହ ସେ ସମାନ ନୁହେଁ କାରଣ ତାଠାରେ ଚିନ୍ତା, ବିଚାର ବୋଧ ସ୍ନେହ, ପ୍ରେମ, ମମତା, ବୁଦ୍ଧି ଅଛି। ନିରନ୍ତର କର୍ମରତ ପ୍ରାଣୀ ସେ ପୁଣି ବୁଦ୍ଧି ବିବେକକୁ ପରିଚାଳିତ କରି। ତେଣୁ କର୍ମ ମୟ ଜୀବନରେ ଶାନ୍ତି, ସୁଖ, ସୌହାର୍ଦ୍ଦ୍ୟ ସହାନୁଭବତା, ଶିଷ୍ଟ ତାକୁ ଧାରଣ କରି କିଛି ପରିବର୍ତ୍ତନ ଆଣିବା ପାଇଁ ପର୍ବପର୍ବାଣୀ କୁ ଆନନ୍ଦ, ଆଗ୍ରହ, ଆନ୍ତରିକତା ର ସହ ପାଳନ କରାଯାଏ। ଏହା ଦ୍ବାରା ମଣିଷ ଆନନ୍ଦ ଓ ସୁଖ ଲାଭ କରିବା ସହିତ ନୂତନ ଭାବନାରେ ଉଦବୁଦ୍ଧ ହୋଇଥାଏ। ଆମୋଦ ପ୍ରମୋଦ ସହିତ ଆଧ୍ଯାତ୍ମିକ ଭାବ ଓ ଭାବନାରେ ଏହିପର୍ବ ଦିନରେ ସେ ଏକ ନୂତନ ଖୁସିକୁ ପାଇ ପ୍ରଫୁଲ୍ଲିତ ହୁଏ ଆଗାମୀ ଦିନ ପାଇଁ। ଈଶ୍ବର ଆରାଧନା ନୂତନ ବସ୍ତ୍ର ପରିଧନ ଓ ଖାଦ୍ୟ ର ନୂଆ ସ୍ବାଦ ତାର ମନରେ ପରିବର୍ତ୍ତନ ଆଣେ। ରଜପର୍ବ ଓଡିଶା ର ଏକ ଗଣପର୍ବ, ଆନନ୍ଦ ଉଲ୍ଲାସ ତଥା ଉତ୍କଣ୍ଠାର ପର୍ବ। ଏହି ପର୍ବକୁ ତିନି ଦିନ ପାଳନ କଲେ ମଧ୍ଯ ପାଂଚ ଦିନ ପାଳନ କରାଯାଏ। ରଜ ସଜବାଜ, ପ୍ରଥମ ରଜ, ରଜ ସଂକ୍ରାନ୍ତି, ଶେଷରଜ ଓ ବସୁମତୀ ସ୍ନାନ। ଏମିତି ଧରଣର ପର୍ବ ବୋଧହୁଏ ସମଗ୍ର ବିଶ୍ବରେ ପାଳନ ହେବାର ଦେଖାଯାଏ ନାହିଁ। ତେଣୁ ରଜପର୍ବ ଏକ ଅନନ୍ଯ ପର୍ବ। 
  ପର୍ବପର୍ବାଣୀରେ ନାରୀର ଭୂମିକା ମୁଖ୍ଯ। ନାରୀ ଘରର ମେରୁଦଣ୍ଡ। ତାର ସ୍ନେହ, ଆଦର, ଆନ୍ତରିକତା ଓ ଅନୁଶାସନରେ ଘର ସ୍ବର୍ଗ ପାଲଟିଯାଏ। ସବୁ ପର୍ବପର୍ବାଣୀ ପଛରେ ପୌରାଣିକ କାହାଣୀ ସହିତ ବୈଜ୍ଞାନିକ ଯୁକ୍ତିଯୁକ୍ତ ତଥ୍ଯ ନିହିତ ରହିଛି। ଯେହେତୁ ନିଷ୍ଠୁର ନିଦାରୁଣ ଗ୍ରୀଷ୍ମ ର ଦାବାନଳରେ ଧରିତ୍ରୀ ଓ ତା ପୃଷ୍ଠରେ ଥିବା ଜୀବଜନ୍ତୁ ଜଳବିନ୍ଦୁ ପାଇଁ ଚାତକ ପରି ଚାହିଁ ରହିଥାନ୍ତି ସେତେବେଳେ ମୌସୁମୀ ପ୍ରାଣର ସଂଚାର କରେ। ଆଦ୍ଯ ଆଷାଢ଼ ର ବୁନ୍ଦା ବୁନ୍ଦା ଜଳ ବର୍ଷଣରେ,ଭସା ବାଦଲର ପରଶରେ ଧରଣୀ ହୁଏ ଶାନ୍ତ ସ୍ନିଗ୍ଧା ସବୁଜିମା। ଜ୍ଯେଷ୍ଠ ବୈଶାଖ ର ରୌଦ୍ରତାପ ରୁ ରକ୍ଷା ପାଏ ଧରା। ଗଛଲତା ଫୁଲ ଫଳ ରେ ହସି ଉଠେ ଧରିତ୍ରୀ ମାଆ। ଯେହେତୁ ଆମ ଦେଶ କୃଷି ପ୍ରଧାନ ତେଣୁ ଚାଷୀ ଭାଇମାନେ ନିଜର କ୍ଷେତ କୁ ସୁନ୍ଦର, ସୁଶୋଭିତ ଓ ଫସଲ ରେ ଭରପୁର କରିବା ପାଇଁ ଅଣ୍ଟା ଭିଡନ୍ତି। ଧରିତ୍ରୀ ମାତା ରଜସ୍ବଳା ହୋଇଥିବାରୁ ତାଙ୍କର ଆବାହନ ପାଇଁ ସଜବାଜ ଦିନ ନାରୀମାନେ ତତ୍ପର ହୋଇ ଉଠନ୍ତି। ଘରେ ଘରେ ସାଜସଜ୍ଜା ସହିତ ତିନିଦିନ ପାଇଁ ପିଠା, ମିଠା, ଖିରି ଓ ଅନ୍ଯାନ୍ଯ ସରଂଜାମ କୁ ସଜାଇ ରଖନ୍ତି।ପ୍ରାତ ସ୍ନାନସାରି ନୂତନ ବସ୍ତ୍ର ପରିଧାନ କରି ଈଶ୍ବରଙ୍କ ପୂଜାପରେ ଘରର ମାଆ ବୋହୂମାେନ ବିଭିନ୍ନ ପ୍ରକାର ପିଠା ଖିରି ଇତ୍ୟାଦି ତିଆରି କରି ସାଇପଡିଶା ରେ ସ୍ନେହ ସୌହାର୍ଦ୍ଦ୍ୟ ରେ ବାଣ୍ଟନ୍ତି। ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ସଜ୍ଜିତ ହୋଇ ଘର ଘର ବୁଲି ପିଠା ଖାଇ ଖୁସିର ପସରା ବାଣ୍ଟନ୍ତି। ରଜ ଦୋଳି ଖେଳି ଭାଇର ଶୁଭ ମନାସନ୍ତି। ସେଥିପାଇଁ ଗୀତ ଅଛି-

ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡ ରେ
ସୁନା ମୁକୁଟ, ସୁନା ମୁକୁଟ ଯେ
ଦୂରକୁ ସେ ଝଟମଟ। 

ଯୁବକମାନେ ବାଗୁଡି,କ୍ରିକେଟ, ତାସ ଓ ଅନ୍ଯାନ୍ଯ ଖେଳ ଖେଳନ୍ତି ଓ ଭଉଣୀମାନଙ୍କୁ ସହାୟତା କରନ୍ତି। ସଂକ୍ରାନ୍ତି ରେ ନାରୀମାେନ ଘରର ମଙ୍ଗଳ କାମନା ପାଇଁ ଦେବଦେବ ମହାଦେବ ଙ୍କୁ ପୂଜା କରିବା ପାଇଁ ମନ୍ଦିର ଯାଆନ୍ତି। ଏକ ଆଧ୍ଯାତ୍ମିକ ବାତାବରଣ ସୃଷ୍ଟି ହୁଏ। ଦିନବାର ଦେଖି ଆମୀଷ ମଧ୍ଯ ଖାଆନ୍ତି। ପିଠା ପଣା, ଆମ୍ବ ପଣସ ଏବଂ ସ୍ବାଦିଷ୍ଟ ବ୍ଯଂଜନରେ ପର୍ବ ପାଳିତ ହୁଏ। ବସୁମତୀ ସ୍ନାନ ଦିନ ରଜସ୍ବଳା ଧରିତ୍ରୀ ମାତାଙ୍କୁ ଶୁଦ୍ଧ ସ୍ନାନ କରାଯାଏ। ପ୍ରାତଃସ୍ନାନ କରି ସୂର୍ଯ୍ୟୋଦୟ ସମୟରେ ସିମନ୍ତିନୀମାନେ ନୂଆ ପିଢା ରେ ଲଂଗଳ  ଲୁହା, ସିନ୍ଦୁର, କଜ୍ଜଳ, ଫୁଲ ଚନ୍ଦନ, ଦୁର୍ବା, ବଦରୀ ସହିତ ହୁଳହୁଳି ଶଂଖର ମାଙ୍ଗଳିକ ପରିବେଶ ରେ ଧରିତ୍ରୀ ମାତାଙ୍କୁ ପୂଜାର୍ଚ୍ଚନା କରନ୍ତି। ତା ପରଠାରୁ ଭୂମି ହୁଏ କର୍ଷିତା।ବୀଜ ହୁଏ ବପନ। ଅସରନ୍ତି ଆଶା ଓ ଆନନ୍ଦ ନେଇ ଚାଷୀ ଭାଇ ଆମୋଦିତ ହୋଇ ତାର ନୂତନ କର୍ମ ରେ ଆଗେଇ ଯାଏ। 
ତେଣୁ ନାରୀର ଭୂମିକା ପୂଜା ପାର୍ବଣରେ ମୁଖ୍ଯ। ସେ ସର୍ବଦା କର୍ମ ତତପର,ସ୍ନେହମୟୀ, ଶାନ୍ତ, ଶୋଭନୀୟ, ଶିକ୍ଷିତା, ସହନଶୀଳା ହୋଇ ଘରର ମେରୁଦଣ୍ଡ ଭାବରେ ଛିଡା ହୋଇଥାଏ। ଘର, ସମାଜ, ସଂସ୍କୃତି ଓ ପରଂପରା କୁ ଆଗେଇ ନେବାରେ ନାରୀର ଭୂମିକା ଯେ ତାତ୍ପର୍ଯ୍ୟପୂର୍ଣ୍ଣ ଏହା କହିଲେ ସତ୍ଯର ଅପଳାପ ହେବନାହିଁ। 

 ଭୁବନେଶ୍ୱର

Post a Comment

0 Comments