*******
ମଥାରେ ଆଲୋକିତ ପିତ୍ତ ବର୍ଣ୍ଣର ବିନ୍ଦି
ଦିନ ଶେଷେ ନେଶିହେଇ ଲିଭିଗଲେ,
ନାଲି ଟିକିଲି ପିନ୍ଧୁଥିବ,
ନୂଆ ଜୀବନର ପୁନଃ ଅସ୍ଥାୟୀ
ଓ ନିୟମିତ ଶୁଭ୍ର ସକାଳ ଖୋଜୁଥିବ।
ବାଡେଇଛାଟି ହଉଥିବ ତା ଆଖିର ଲୁହ
ନବସର୍ଜନା କରୁଥିବା ବାଦଲ
ଖସି ପଡୁଥିବ ଉଲ୍କା ପିଣ୍ଡ,
ଆଉ ମୁଁ ପଠାଣି ସାମନ୍ତ ହୋଇ
ଗଣୁଥିବି ତାରକା, ନକ୍ଷତ୍ର
ଲୀନ ଥିବି ସୌରଜଗତର ପରିକଳ୍ପନାରେ
ସ୍ମରଣରେ ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି,
ଶନି , ଇୟୁରେଂସ ଓ ନେପଚୁନ ଆଦି
ଅଷ୍ଟଗ୍ରହ ଥିବ।
ବିଗାଡି ଦେଇ ଧ୍ୟାନ
ଆକାଶ ତା' ଇନ୍ଦ୍ରଧନୁ ରଙ୍ଗ ଦେଖାଇବ।
ଜନ୍ମରୁ ବର୍ତ୍ତମାନ ଓ
ବର୍ତ୍ତମାନରୁ ଭବିଷ୍ୟତ ପର୍ଯ୍ୟନ୍ତ
ପୁରା ଆକାଶଟା ମୋର ଓ
ମୋ ଆପାଦମସ୍ତକ ଶରୀର ଆକାଶର
ଥିଲା, ଥିବ ଆଉ ରହିଥିବ
ଆଉ ସେମିତି,
ଦିନ ପରେ ଦିନ ଗଡୁଥିବ।
ଆଦିରୁ ଅନନ୍ତ ମୋର ହୃଦୟ କଳ୍ପନା,
କିନ୍ତୁ,
ମୋ ମସ୍ତି୍ଷ୍କର ହିପୋକାମ୍ପସରେ
କଲବଲ୍ ହଉଥିବା ଦୁଇ ଚାରି ଧାଡ଼ି କବିତା
କେବଳ ଆଉ କେବଳ ଆକାଶଲଗ୍ନ ଥିବ।
ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ,
ଐଶାନ୍ୟ, ଅଗ୍ନି, ନୈରୁତ,
ବାୟୁ ଓ ଉର୍ଦ୍ଧ୍ୱ -
ନବଦିଗ ଦୃଶ୍ୟମାନ ଏ ଆକାଶ
କେବେ ନୀଳ ଶାଢ଼ୀ ତ କେବେ ଧଳା
କେବେ ପୁଣି କଳା ପିନ୍ଧିଥିବ।
ହେଲେ,
ନୀଳ ଶାଢ଼ୀରେ ଖୁବ୍ ସୁନ୍ଦର ଦିଶେ,
କେଜାଣି କଣ ଯାଦୁ ଅଛି ସେ ରଙ୍ଗରେ ତାର
ମୋର ସବୁ କ୍ରୋଧ, ରାଗ, ହିଂସା, ଈର୍ଷା, ଗର୍ବକୁ
ତତକ୍ଷଣାତ୍ ଧୂଳିସାତ କରିଦେଇ
ମୋତେ ତା ମାୟାରେ ଛନ୍ଦୁଥିବ।
ନାରାୟଣ ସାହୁ




0 Comments