ପାଞ୍ଚ ବର୍ଷ ପୂର୍ବେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା ମା ପ୍ରାଣ ହରାଇବା ପରେ, ଆଠ ବର୍ଷର ବାପ ମା ଛେଉଣ୍ଡ ପୁପୁନ୍ କୁ ଦେବଶିଶୁ ଭାବି କୋଳେଇ ନେଇଥିଲେ ସନ୍ତାନହୀନ ପୁପୁନ୍ ବାପାଙ୍କ ବଡ଼ଭାଇ ଭାଉଜ।ସବୁ ସ୍ନେହ ଭଲପାଇବା ଅଜାଡ଼ି ଦେଇଛନ୍ତି ତା'ଉପରେ। ବଡ଼ମା' ପିଲାଟି ବେଳୁ ଭକ୍ତ-ଭଗବାନଙ୍କ ଲୀଳାମୟ କାହାଣୀମାନ କହି ଭଗବତ୍ ବିଶ୍ବାସୀ କରିତୋଳିଛନ୍ତି। ଯେଉଁ ବୟସରେ ଶିଶୁ ମାନେ ଖେଳନା,କଣ୍ଢେଇ ପାଇଁ ଜିଦ୍ କରନ୍ତି ସେଇ ବୟସରେ ସେ ଭଗବାନଙ୍କ କାହାଣୀମାଳା ପୁସ୍ତକ ପାଇଁ ବଡ଼ବାପାଙ୍କ ପାଖେ ଅଝଟ କରେ।ସାରା ଗାଁ ର ଲୋକମାନେ ପୁପୁନ୍ କୁ ଭଲପାଆନ୍ତି।
ପ୍ରତିବର୍ଷ ଗାଁର ପିଲାମାନେ ଧୂମଧାମରେ ଗଣେଶ ପୂଜା କରନ୍ତି।ପୂଜାର ପୂର୍ବଦିନ ରାତିରେ ଗାଁ ସାରା ବୁଲି କାହା ବାଡ଼ିରୁ କଦଳୀ,କାହା ବାଡିରୁ କଖାରୁ, ଅମୃତଭଣ୍ଡା ଆଦି ପରିବା ଚୋରି କରିନିଅନ୍ତି।
ପୁପୁନ୍ ଆଖିରେ ନିଦ ନାହିଁ...ରାତି ପାହିଲେ ଗଣେଶ ପୂଜା ତା ସାଙ୍ଗକୁ ତା ଜନ୍ମଦିନ।ବାରମ୍ବାର କାନ୍ଥ ଘଣ୍ଟାକୁ ଚାହିଁ ସମୟ ଦେଖୁଛି।ବଡ଼ବାପା ଆଣିଥିବା ନୂଆଡ୍ରେସ ଦେଖିଛି ସେ,ଆନନ୍ଦରେ ଅଧୀର ହୋଇପଡ଼ୁଛି।"ସକାଳୁ ଉଠି ଗାଧୋଇ ପାଧୋଇ ନୂଆ ଜାମା ପ୍ୟାଣ୍ଟ ପିନ୍ଧିବ,ବଡ଼ମା' ଚନ୍ଦନ ଟୋପା ଲଗେଇଦେବେ, ମନ୍ଦିର ଯିବ , ସ୍କୁଲ୍ ଯିବ, ପୂଜା କରିବ,ସାଙ୍ଗମାନଙ୍କୁ ଚକଲେଟ୍ ବାଣ୍ଟିବ,ଭୋଗ ଖାଇବ...."ଏମିତି ଅନେକ ଲିଷ୍ଟ୍ ବନେଇଚାଲିଛି ମନେ ମନେ...ଏତିକିବେଳେ ହଠାତ୍ ବାଡ଼ିପଟୁ କାହାର ଫିସ୍ ଫିସ୍ କଥା ସାଙ୍ଗକୁ ଶୁଖିଲା ପତ୍ର ଉପରେ ଚାଲିବାର ଶବ୍ଦ ଶୁଭିଲା। କାନ ଡେରିଲା ମାତ୍ର କିଛି ବୁଝିପାରିଲା ନାହିଁ,ଧୀରେ ଧୀରେ ବାଡ଼ିପଟ କବାଟ ଖୋଲି ବାହାରକୁ ଗଲା।ଦେଖିଲା ପାଞ୍ଚ ଛଅ ଜଣ କେହି ଠିଆ ହେଇଛନ୍ତି।ଅନ୍ଧାରରେ ବି ସେ ଚିହ୍ନି ପାରିଲା ସେମାନଙ୍କୁ।ସେମାନଙ୍କ ଭିତରୁ ଜଣେ ନଇଁପଡ଼ି କଖାରୁ ଛିଣ୍ଡାଇବା ପାଇଁ ଚେଷ୍ଟା କରୁଛନ୍ତି,ଅନ୍ୟମାନେ ଏପଟେ ସେପଟେ ଚାହୁଁଛନ୍ତି 'କେହି ଦେଖୁନାହାନ୍ତି ତ?' ।
ପୁପୁନ୍ ବଡ଼ ପାଟିରେ କହିଉଠିଲ" ପିଣ୍ଟୁ ଭାଇ କଖାରୁ ଛିଡ଼ାନି,ସେ କଖାରୁରେ ଭଗବାନ ଅଛନ୍ତି।ସେ କଖାରୁ ଲତା,କଖାରୁ ଫୁଲ ଆଉ ପତ୍ରରେ ବି ଭଗବାନ ଅଛନ୍ତି।ତୁମକୁ ଦଣ୍ଡ ଦେବେ..."
ହଠାତ୍ ପାଟି ଶୁଣି ସମସ୍ତେ ଭୟଭୀତ ହୋଇପଡିଲେ।ଏତେ ରାତିରେ ପୁପୁନ୍ ର ପାଟି ଶୁଣି ବଡ଼ମା' ଧାଇଁ ଆସିଲେ ଛାଇନିଦ ରୁ ଉଠି।
ସବୁପିଲା ଧରା ପଡ଼ିଯିବା ଭୟରେ ପାଚେରୀ ଆଡ଼କୁ ଦଉଡ଼ିଲେ।ମାତ୍ର ହଠାତ୍ ସେମାନଙ୍କ ଭିତରୁ ଜଣକର ଗୋଡ଼ ପାଚେରୀ ଶିଉଳିରେ ଖସିଯିବାରୁ ଦାଢ଼ଭୁସ୍ ହେଇ ପଡ଼ିଲା ଜହ୍ନି ଆଉ କାକୁଡ଼ିର ରଞ୍ଜା ଉପରେ।ପୁପୁନ୍ ଓ ବଡ଼ମା' ବଡ଼ବାପାଙ୍କୁ ଉଠାଇ ଟର୍ଚ୍ଚ ଟାଏ ଧରି ଦୌଡ଼ି ଆସିଲେ।
ପିଲାଟିକୁ ବଡ଼ କଷ୍ଟରେ ଉଠାଇ ଘରକୁ ନେଲେ।ଆଲୋକରେ ଦେଖିଲେ ସେ ପିଣ୍ଟୁ।ମୁଣ୍ଡ ଫାଟି ରକ୍ତ ଛୁଟୁଛି, ଦେହସାରା ଖଣ୍ଡିଆ ଖାବରା।ବଡ଼ମା' ରୋଷେଇଘରୁ ଗରମପାଣି କରି ଆଣିଲେ,ପୁପୁନ୍ ଯାଇ ଔଷଧ ଡବା ନେଇଆସିଲା।ମଲମପଟି ପରେ ପିଣ୍ଟୁ ଟିକେ ସୁସ୍ଥ ହେବାରୁ ଉଷୁମ କ୍ଷୀର ଗିଲାସେ ବଡ଼ମା' ଆଣିଦେଲେ।ମାତ୍ର, କୃତକାର୍ଯ୍ୟ ପାଇଁ ସେ ଲଜ୍ଜିତ ଅନୁଭବ କରୁଥାଏ।ବଡ଼ମା' ପାଖରେ ବସି ତା' ମୁଣ୍ଡ ଆଉଁସି ଦେଇ କହିଲେ"ବାବୁରେ,ଗଣେଶ ହେଉଛନ୍ତି ବିଦ୍ୟାଦାତା।ଭକ୍ତିରେ ପୂଜା କର।ଏମିତି ଚୋରି ଡକାୟତି କରନାହିଁ...."
ପୁପୁନ୍ କହିଲା"ପିଣ୍ଟୁ ଭାଇ ତୁମେ ଜାଣନା କି? ଭଗବାନ ସବୁ ସ୍ଥାନରେ ଅଛନ୍ତି, ସବୁ ଦେଖୁଛନ୍ତି।ଭଗବାନ ଦେଖିଲେ ତୁମେ ଚୋରି କଲ, ସେଥିପାଇଁ ତୁମକୁ ଦଣ୍ଡ ଦେଲେ।ଆଉ କେବେ ଚୋରି କରିବ ନାହିଁ..."।
ନିଜଠାରୁ ବୟସରେ ଢେର୍ ସାନ ପୁପୁନ୍ ର କଥା ଶୁଣି, ପିଣ୍ଟୁ ନିଜକୁ ଧିକ୍କାର କଲା। ପ୍ରତିଜ୍ଞା କଲା କେବେହେଲେ
ଏପରି ଖରାପ କାମ କରିବ ନାହିଁ। ସକାଳୁ ବଡ଼ମା' ସବୁପିଲାଙ୍କୁ ଡାକି ବୁଝାଇଲେ ଏବଂ ଗୋଟାଏ ବଡ଼ କଖାରୁ ଆଉ କଦଳୀ ଦୁଇ ଫେଣା ଦେଲେ।
ସେହିଦିନଠାରୁ ସମସ୍ତେ ମନଖୁସିରେ ପୂଜା କରନ୍ତି।କେହି ଚୋରି କରନ୍ତି ନାହିଁ।
ପି.ଏମ୍.ମନସ୍ଵିନୀ ରାଉତରାୟ
ବ୍ଲକ:- ବଡ଼ଚଣା
ଜିଲ୍ଲା:- ଯାଜପୁର




3 Comments
Galpata bahuta hrudaysparsi heichhe.
ReplyDeleteBahut sunder
ReplyDeleteWell done ..Go ahead🤗
ReplyDelete