ସେ ଓ କାଗଜ ଫୁଲ - ସୁମିତା ବେହେରା

 


                        

ସେ..     ଦେହରେ ଏତେ ସୁନ୍ଦର ରଙ୍ଗ ଭରି ବି ଉଦାସ କାହିଁକି ?


କାଗଜ ଫୁଲ.... ମୁଁ ଯେ ଏକ ବାସହୀନ କାଗଜ ଫୁଲ। 


ସେ....   ମୁଁ ତୁମ ରୂପରେ ମୁଗ୍ଧ, ତୁମ ନାରୀ ସୁଲଭ ଗୁଣରେ ମୁଗ୍ଧ।


କାଗଜ ଫୁଲ....  ମୁଁ  ଏକ ଆଖୋଜା ଅଲୋଡା ଫୁଲ। ନା ମୁଁ ଦେବତାଙ୍କ ଚରଣେ ଲାଗି ହୁଏ, ନା ମୋ ସୁଗନ୍ଧରେ ମଧୁପ ଆକୃଷ୍ଟ ହୁଏ।


ସେ.....   ଦେଖନା ମୁଁ ତ ତୁମ ପାଖକୁ ଟାଣି ହୋଇ ଆସିଛି। ଏ ବଗିଚାରେ ତ ଆହୁରି ଅନେକ ଫୁଲ ଅଛନ୍ତି। ତୁମ ପରି କିନ୍ତୁ କେହି ଜଣେ ବି ନୁହନ୍ତି।


କାଗଜ ଫୁଲ....  ତୁମେ ମୋର ଅତି ପାଖକୁ ଆସିଲେ ଆପେ ବୁଝିଯିବ , ମୁଁ ତୁମ ଶ୍ରଦ୍ଧାର ଯୋଗ୍ୟା ନୁହେଁ।


ସେ.... ଯଦି ତୁମ ଧାରଣାକୁ ମୁଁ ଭୁଲ ବୋଲି ପ୍ରମାଣିତ      କରିଦିଏ !!


କାଗଜ ଫୁଲ... କେମିତି????


ସେ....    ଅତି ଆଦରରେ ତୁମକୁ ମୁଁ ମୋ ପାପୁଲିରେ ଭରିନେବି  ଓ ସବୁଦିନ ପାଇଁ ରଖିନେବି ମୋ ହୃଦୟରେ। କିଏ କହେ କାଗଜ ଫୁଲ ଦେବତାଙ୍କୁ ଲାଗି ହୁଏନି ? କୃଷ୍ଣଙ୍କୁ ତ ମାତା ଯଶୋଦା ବନଫୁଲରେ ସଜାଉଥିଲେ।


କାଗଜ ଫୁଲ..... ଲୋକେ ହସିବେ ତୁମ ଉପରେ ଦେଖିବ। କହିବେ ଏତେ ସୁଗନ୍ଧିତ ପୁଷ୍ପ ଥାଉ ଥାଉ ସାମାନ୍ୟ କାଗଜ ଫୁଲ ସହ ଭାବ !! 


ସେ...   ସେଇଟା ହିଁ ତ 'ସମସ୍ତେ' ଓ 'ମୋ' ଭିତରର ପାର୍ଥକ୍ୟ। ମୁଁ ସ୍ୱତନ୍ତ୍ର। ମୁଁ ନିଜ ପରି। ଆଉ କାହା ପରି କାହିଁକି ହେବି?? ତୁମେ ସ୍ଵଛ,ପବିତ୍ର । ତୁମେ ନିଜ ପରି। ଆଉ କାହା ପରି ନୁହେଁ। ତୁମେ ଅନନ୍ୟା।


କାଗଜ ଫୁଲ....ସତେ କ'ଣ ତୁମେ ମୋ ପାଇଁ ସାରା ଦୁନିଆକୁ ସାମ୍ନା କରି ପାରିବ? ମୋତେ ସମାଜରେ ସମ୍ମାନ ଦିଆଇ ପାରିବ?

ମୋ ପାଇଁ କିଛି ବି କରି ପାରିବ? କିଛି ବି???


ସେ.....  ଆଜିଠାରୁ ତୁମେ ମୋ ବୁକୁଲଗ୍ନା ହୋଇ ରହିବ, ଚିରଦିନ ପାଇଁ। ଏଇ ଦେଖ ଅତି ଆଦରରେ ତୁମକୁ ମୁଁ ତୋଳିନେଲି।

            

ସୁମିତା ବେହେରା

 ଭୁବନେଶ୍ବର

Post a Comment

0 Comments