ଜୟ ମା ଦୁର୍ଗା - ବାସନ୍ତୀ ଲତା ଜେନା

 



ଶରତ ଋତୁରେ ପାର୍ବଣର ସଜ୍ଜା 

       ଦେବୀ ଆଗମନ ପାଇଁ 

ଆଦ୍ୟା ଶକ୍ତି ମାତା ଜଗତ ଜନନୀ 

      ଜୟ ମା ଦୁର୍ଗା ତୁହି     l୧l


ତୋର ପୂଜା ପାଇଁ ମଣ୍ଡପ ସଜ୍ଜିତ 

       ଖୁସିର ପସରା ନେଇ 

କାଶ ତଣ୍ଡି ଫୁଲ ପବନେ ଦୋହଲେ 

      ତୋର ଅରଚନା  ପାଇଁ     l୨l


ତ୍ରେତୟା ଯୁଗରେ ପୂଜିଲେ ଶ୍ରୀରାମ 

           ନୀଳ ପଦ୍ମ ତୋତେ ଦେଇ 

ତୋର କୃପା ବଳେ ରାବଣ ବଦ୍ଧିଲେ 

           ଅଧର୍ମ ନାଶ କରଇ    l୩l


ଦୁର୍ଗତି ନାଶିନୀ ଅଭୟ ଦାୟିନୀ 

          ତୁମେ ଶଙ୍କର ଘରଣୀ 

ଅଗ୍ନିରୁ ସମ୍ଭୁତା ତୁମେ ହେଲ ମାତା 

        ହେଲ ଶକ୍ତି ସ୍ୱରୂପିଣୀ      l୪l


ଦେବ ଗଣ ତୋତେ ଶକ୍ତି ସମର୍ପିଲେ 

       ନିଜର ଅସ୍ତ୍ରକୁ ଦେଇ 

ଶକ୍ତିମୟୀ ମାତା ଦଶ ଭୁଜା ହେଲ 

       ଚଣ୍ଡୀକାର ରୂପ ନେଇ     l୫l


ଗିରି ବନେ ତୁମେ ଘୁରି ବୁଲୁ ଥିଲ 

       ଚଣ୍ଡ ମୁଣ୍ଡକୁ ମାରିଲ 

ଶେଷରେ ମହିଷା ସୁରକୁ ବଦ୍ଧିଲ 

        ସିଂହ ବାହିନୀ ସାଜିଲ       l୬l


ତ୍ରିପୁରକୁ ରକ୍ଷା କରିଲ ମା ଦୁର୍ଗା 

        ପାପକୁ ନାଶ କରିଲ 

ତୁମେ ସ୍ନେହ ମୟୀ ମମତା ଦାୟିନୀ 

       ସୃଷ୍ଟିକୁ ବଞ୍ଚାଇ ଥିଲ     l୭l


ଆସ ଅବତରି ଏ ଧରା ଧାମକୁ 

     କରୁଛୁ ମା ଆବାହନ 

ଅସୁରିୟ ଶକ୍ତି ଦୂର କରିଦିଅ

     ସଂସାରକୁ କର ଧନ୍ୟ     l୮l


ଅଧର୍ମ ଉପରେ ଧର୍ମର ବିଜୟ 

       ମାତା ହେଲା ତୁମ ପାଇଁ 

ଅନ୍ୟାୟ ଉପରେ ନ୍ୟାୟର ପତାକା

           ଉଡୁଛି ଆକାଶ ଛୁଇଁ   l୯l


ତୋହରି ସନ୍ତାନ ତୋ ଗୁଣ ଗାଆଁନ୍ତି 

         ଆଶିଷ ମା ଢାଳି ଦେବୁ 

ଶାନ୍ତି ପ୍ରଦାୟିନୀ କରୁଣା ମୟୀ ମା 

       ଘଣ୍ଟ ଘୋଡାଇ ରଖିବୁ     l୧୦l


ବାସନ୍ତୀ ଲତା ଜେନା 

ଗାନ୍ଧିନଗର, ନବରଙ୍ଗପୁର

Post a Comment

0 Comments