ମୁଁ ତମ ପ୍ରେମିକ - ଜୟନ୍ତୀ ବରିହା

 



କବିତା ଗୋ ତମେ ଦୁରେଇ ଯାଅନି

କରି ଦେଇ ମତେ ପର ,

ତମେ କି ଜାଣନି ମୁଁ ତମ ପ୍ରେମିକ

ତମେ ଯେ ପ୍ରେମିକା ମୋର        ।।


ଜହ୍ନ ରାଇଜରେ ଅବା ତାରା ଫୁଳେ

ଅବା ଗୋଧୂଳି ର ସଂଜେ ,

ନିରୋଳା ରାତିରେ ଅବା ନଇ ଧାରେ

ତମକୁ ମୁଁ ଖାଲି ଖୋଜେ            ।।


ହସ ରେ ଳୁହ ରେ ଅବା ବିରହ ରେ 

କ୍ଷଣେ ଅବା ପ୍ରତିକ୍ଷଣେ  ,

ଦିନ ଅବା ରାତି ସବୁ ଯାଏ ବିତି

ଖାଳି ତମ ଅନ୍ବେଷଣେ          ।।


ତମକୁ ମୁଁ ଖୋଜି ଆଖି ଦିଏ ବୁଜି

ମନରେ ହଜାରେ କୋହ ,

ହନ୍ତ ସନ୍ତ ମତେ କର କାଇଁ ଏତେ

ମୁଁ କି ଜମା ଭଳ ନୁହ          ।।


କଳମ ଶିକୁଳିରେ ବାନ୍ଧି ଗୋ କବିତା

ତମକୁ ମୁଁ ଭିଡ଼ି ଆଣି ,

କାଗଜ ପଞ୍ଜୁରୀ ରେ ଭରି ଦିଅନ୍ତି ମୋ

ହୃଦୟେ କରନ୍ତି ରାଣୀ           ।।


ଫୁଲ ପଛେ ପଛେ ଭଅଁର ଯେମିତି

ସେମିତି ମୁଁ ତମ ପଛେ ,

ସତ କହୁଛି ଗୋ ଅନୁପମା ପ୍ରିୟା

ଭାବିବନି ମିଛେ ମିଛେ         ।।  

            

ଧଉଁରା ଖମନ, ଗୌରେନ ମୁଣ୍ଡା

Post a Comment

0 Comments