ପୌଷ ମାସେ ସୂର୍ଯ୍ୟ ମକର ରାଶିରେ
ପ୍ରବେଶ ହୋଇବେ ଆଜି,
ହିନ୍ଦୁ ମାନଙ୍କର ପ୍ରସିଦ୍ଧ ପରବ
ଦାନ, ପୁଣ୍ୟ, ପ୍ରଭୁ ଭଜି।।
ଦେବ ଅଂଶୁମାଳି ପୁତ୍ର କଥା ଭାଳି
ଶନିଙ୍କ ନିକଟେ ଆସି,
ଶୁଭ କାଳ ଏବେ ପ୍ରବେଶ ମହୀରେ
ଶୁଭ କାର୍ଯ୍ୟ କର ହସି ।।
ଆମିଷ ବର୍ଜନ କରିବ ଏ ଦିନ
ପ୍ରାତଃ ସମୟରେ ସ୍ନାନ,
କ୍ରୋଧ ତ୍ୟାଗ କର ମଧୁର ବଚନ
ଅସହାୟେ ଦିଅ ଦାନ।
ଚାଷୀ ମହା ଖୁସି ଚାଉଳକୁ ପେଶି
ବନାଇ ନାନା ମିଷ୍ଟାନ୍ନ,
କଦଳୀ ନଡ଼ିଆ ଗୁଡ଼ ରାଶି, ଛେନା
ମିଶାଇ ମକର ଅନ୍ନ।।
ସୂର୍ଯ୍ୟଙ୍କର ଗତି ଉତ୍ତରେ ଚଳନ୍ତି
ବଡ଼ ହୋଇଯିବ ଦିନ,
ମଳୟ ପବନ ସଧୀରେ ବହିବ
ବସନ୍ତର ଆଗମନ।।
ବିଭିନ୍ନ ସ୍ଥାନରେ ଭିନ୍ନ ପରକାରେ
ପାଳନ ବିଧି ମକର,
କେଉଁଠି ପୋଙ୍ଗଲ ଗୁଡ଼ି ଉଡାଇବା
ନାଚ ଗୀତରେ ବିଭୋର ।।
ମହାନ ପରବ ଅଟଇ ମକର
ଭାରତୀୟ ପରମ୍ପରା
ଯେତେ ଲେଖିଲେ ବି ଶେଷ ହେବ ନାହିଁ
ଆନନ୍ଦେ ବିଭୋର ଧରା ।।




0 Comments