ନିର୍ଦୟ ଆଜି ନ ହୁଅ - ନରେନ୍ଦ୍ର ପ୍ରସାଦ ବେହେରା



ନିର୍ଦୟ ଆଜି ନ ହୁଅ
ଅଦିନ ବରଷା ଭାଙ୍ଗି ଦେଇଗଲା
ଛୋଟ କୁଡିଆ ତୁମର
କରନାହିଁ ମନ ଦୁଃଖରେ ଭଉଣୀ
ଆଗକୁ ଅଛି ଜାଗର ।୧।
ଶିବ ମହାପ୍ରଭୁ କରିବେ ହରଣ
ଜୀବନ ଯାକର ଦୁଃଖ
ଲୟ ରଖିଥିବ ପୟରେ ତାଙ୍କର
ପାଇବ ଅନେକ ସୁଖ ।୨।
ଯିବାକୁ ରହିଛି ପଥ ବହୁଦୂର
ହୁଅନାହିଁ ବାଟଵଣା
ମିଛ ମାୟା ଏହି ସଂସାରର ପଥ
ସଭିଙ୍କୁ ଏକଥା ଜଣା ।୩।
ଘଟିବାକୁ ଯାହା ଥିଲା ତ ଜୀବନେ
ଯାଇଛି ତାହା ଘଟିଣ
ବଞ୍ଚିବାକୁ ହେଲେ ଏ ଜୀବନ ଧରି
ପ୍ରଭୁଙ୍କୁ କର ଜଣାଣ ।୪।
ଶିବ ମହାପ୍ରଭୁ ନୁହଁଇ ନିଷ୍ଠୁର
ସଂସାରରେ ପୁଣି ସାର
ଅବାଟରେ ଗଲେ ପଥ ଦେଖାଇବେ
ଦୁଃଖକୁ କରିଣ ଦୂର ।୫।
ଧୂପ ଦୀପ ଦେଇ ଗୁହାରି କରିବ
ଆଗାମୀ ଜୀବନ ପାଇଁ
ବିପଦ ସମୟେ ଡାକିଦେଲେ ଥରେ
ପାଖକୁ ଆସିବେ ଧାଇଁ ।୬।
ପଛକଥା ଭାବି କରନାହିଁ ଦୁଃଖ
ପାଇବ ଅନେକ କଷ୍ଟ
ଜୀବନର ମାନେ ବୁଝିବା ଆଗରୁ
ହୁଅନାହିଁ କେବେ ନଷ୍ଟ ।୭।
ମଝି ଦରିଆରେ ବୁଡିଗଲେ ଡଙ୍ଗା
ନାଉରି ଛାଡେନି ବୃତ୍ତି
କଳା ବାଦଲଟା କାହିଁ ଲୁଚିଥିଲା
ଦେବାକୁ ମନେ ବିପତ୍ତି ।୮।
ସମୟର ଗତି ଜୀବନ ପଥରେ
ରାଜା ହେଲା ଯୋଗୀ ପୁଅ
କର୍ମଗୁଣେ ପୁଣି ନଳରାଜା ଦିନେ
କାଟିଥିଲେ ଘାସ ଖିଅ ।୯।
ମନର ବେଦନା ଶୁଣିବାକୁ ଆଜି
ନାହାନ୍ତି କେହି ନିଜର
ଏକା ମହାଦେବ ବସିଛି ମନ୍ଦିରେ
କରିବାକୁ ଦୁଃଖ ଦୂର ।୧୦।
କରୁଛି ବିନତି ହେ ପାର୍ବତୀ ପତି
ନିର୍ଦୟ ଆଜି ନ ହୁଅ
ଆଦିଅନ୍ତ ତୁମେ ସମସ୍ତଙ୍କ ପାଇଁ
ଭଉଣୀଙ୍କୁ ସୁଖ ଦିଅ ।୧୧।
ଯୁଗେ ଯୁଗେ ତୁମ ନାମ ରହିଥିବ
ଇତିହାସେ ଲେଖା ହୋଇ
ଅବଳା ଦୁର୍ବଳା ନିତି ଝୁରୁଥିବେ
ତୁମରି ଦର୍ଶନ ପାଇ ।୧୨।


ସମ୍ପାଦକ--ମୋ ଅନୁଷ୍ଠାନ, ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦

ଆଳଦା, ଖଇରା,ବାଲେଶ୍ବର

Post a Comment

0 Comments