ବୁଦ୍ଧି ଥିଲେ - ନିବେଦିତା ମହାପାତ୍ର




ଅସମ୍ଭବ ବୋଲି କିଛି ରହେ ନାହିଁ
ପାଶେ ଯା'ର ଅଛି ବୁଦ୍ଧି
କଷ୍ଟସାଧ୍ୟ ଯେତେ କାର୍ଯ୍ୟରେ ମିଳ‌ଇ
ଅକ୍ଲେଶରେ ସର୍ବ ସିଦ୍ଧି।
ଘୋର ବିପଦରେ ପୋଥିଗତ ବିଦ୍ୟା
କାମ ଯେବେ ନ କର‌ଇ
ସେହି ସମୟରେ ଉପସ୍ଥିତ ବୁଦ୍ଧି
ରକ୍ଷା କର୍ତ୍ତା ଯେ ସାଜ‌ଇ।
ଦିଗନ୍ତ ବିସ୍ତାରୀ ନୀଳ ଗଗନରେ
ଉଡୁଥିଲା କାକଟିଏ
ଘୁରି ଘୁରି ଅନ୍ବେଷଣ କରୁଥିଲା
ନିଜ ପାଇଁ ଖାଦ୍ୟ ସିଏ।
ପ୍ରଚଣ୍ଡ ଉତ୍ତାପେ ତଣ୍ଟି ଶୁଖିଗଲା
ହୋଇଲା ସେ ବିଚଳିତ
ପାଣି ଟୋପେ ଖୋଜି ନ ପାଇ ହୋଇଲା
ଶୋଷରେ ଯେ ହନ୍ତସନ୍ତ।
କିଛି ଦୂରେ ଯାଇ ଦେଖିଲା ବାଟରେ
କଳସୀରେ ଅଛି ନୀର
ହେଲେ ଶତ ଚେଷ୍ଟା କରିବି ଶେଷରେ
ଥଣ୍ଟ ପାଇଲାନି ତା'ର।
ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିଲା
ଆଣି ଗୋଟି ଗୋଟି ଗୋଡି
ପକାଇବାରୁ ନେଇ କଳସୀ ମଧ୍ୟେ
ଜଳସ୍ତର ଗଲା ବଢ଼ି।
ନିଜ ତୃଷ୍ଣାକୁ ସେ ମେଣ୍ଟାଇ ପାରିଲା
କଳସୀରୁ ପିଇ ପାଣି
ବୁଦ୍ଧି ଉପଯୋଗେ ସଫଳ ହୋଇଲା
ତୃଷାକୁ ଗଲା ତ ଜିଣି।
ବୁଦ୍ଧି ଥିଲେ ନର ଅବା ଜୀବଜନ୍ତୁ
ଅସାଧ୍ୟ ସାଧନ କରେ
ବୁଦ୍ଧି ହୀନ ପ୍ରାଣୀ ଏ ସଂସାରେ ସଦା
ଦିନ କାଟ‌ଇ ଦୁଃଖରେ।
ବୁଦ୍ଧିର ଶ୍ରେଷ୍ଠତା ପଢିବାକୁ ମିଳେ
ପଞ୍ଚତନ୍ତ୍ର କାହାଣୀରେ
ବୁଦ୍ଧି କରାମତି ଶୁଣିବାକୁ ମିଳେ
ଯଦୁମଣିଙ୍କ ବ୍ୟଙ୍ଗରେ।
ବୀରବଲଙ୍କର ବିଚକ୍ଷଣ ବୁଦ୍ଧି
ଚତୁରତା ବାଣୀ ଶୁଣି
ସ୍ତବ୍ଧ ଚକିତ ହେଉଥିଲେ ମୋଗଲ
ଦରବାରୀ ଜ୍ଞାନୀ ଗୁଣି।
ବୁଦ୍ଧି ବଳେ କିପରି ଅଜ୍ଞାନୀ ବ୍ୟକ୍ତି
ଜ୍ଞାନୀକୁ ଦିଏ ହରାଇ
ମହାଜ୍ଞାନୀ କବି ଶ୍ରେଷ୍ଠ କାଳିଦାସ
ଉପାଖ୍ୟାନରୁ ଯେ ମିଳ‌ଇ।
ବୁଦ୍ଧି ବଳେ ଭାରତୀୟ ବାୟୁସେନା
ଧରି ମିରାଜ ବିମାନ
ନିକ୍ଷେପି ଲେଜର ବୋମା ସୁଦର୍ଶନ
ନାଶିଲେ ଶତ୍ରୁ ଭବନ।
ବୁଦ୍ଧି ଖଟାଇ ଡିଜିଟାଲ ଷ୍ଟ୍ରାଇକ୍
କରିନେଇ ଆପଣାର
ପ୍ରଧାନମନ୍ତ୍ରୀ ଦେଲେ ଶାସ୍ତି ଚୀନକୁ
ମିଛ କହି ଠକିବାର।
ବିଦ୍ୟା ମହାଧନ ଶ୍ରେଷ୍ଠ ଏ ଜଗତେ
ଯେତେ ବାଣ୍ଟିଲେ ନ ସରେ
ସେଇ ବିଦ୍ୟା ପୁଣି ନ ଲାଗ‌ଇ କାର୍ଯ୍ୟେ
ବୁଦ୍ଧି ନାହିଁ ଯା' ପାଖରେ।।


ମୁକୁନ୍ଦ ମିଶ୍ର ନଗର, ପୁରୀ

Post a Comment

0 Comments