ତୁମେ ବିତ ନାରୀ - ମିନତୀ ଦାଶ



ହୋଇ ପାର ଅଯୋନି ସମ୍ଭୁତା 

ତୁମେ ବିତ ନାରୀ !

ଭିନ୍ନ ଭିନ୍ନ ବିନ୍ୟାସରେ 

ନିର୍ଭୟା ଇତିଶ୍ରୀ ପିହୁ ଛବି ଆଉ ପରୀ !

ପୁରାଣର ପୁରୁଣା ପୃଷ୍ଠାରେ ଲେଖା 

ତୁମ ପାଇଁ ସୃଷ୍ଟିରେ ପୂର୍ଣ୍ଣତା, 

ଚନ୍ଦ୍ର ସୂର୍ଯ୍ୟ ନିର୍ଝର ସାଗର, 

କୀଟ ଠୁ ମାନସ ପୁଣି ଦୁବ ଠାରୁ ଦାରୁ... 

ବିଚିତ୍ର ବୈଚିତ୍ରମୟ ଜୈବ ବିବିଧତା. 

କିଏ କହେ ତୁମେ କାଳେ ଈଶ୍ୱରଙ୍କ ସ୍ୱର !

ବାକ୍ୟଦେବୀ ବାକ୍ୟ ତଵ ସର୍ବଦା ଅଟଳ !

କେମିତି ରଚିଲ ମାତ! 

ପ୍ରବଞ୍ଚନା ପ୍ରତାରଣା   ସାଥେ ପ୍ରହେଳିକା, 

ସମସ୍ତ ନକାରପଣ ନାରୀ ଭାଗ୍ୟେ ଲେଖା? 

କେସନ ମାଖିଲ ମାତ କଳ୍ପନାରେ କରାଳର କାଳି, 

ଅଦୃଷ୍ଟରେ ଅଣାୟତ୍ତ ଅସ୍ତିତ୍ବ ଅବ୍ଜା ର 

ଆବେଗ ଆଡରେ ଠିଆ, 

ପ୍ରଣବତା ଆତୁରତା ହରିଛି ଜୀବନୁ 

ଅଣଦେଖା ସ୍ବପ୍ନସବୁ ଖାଲି !

ସ୍ତୁତା ନିତି ତିରସ୍କୃତା.. 

ପୂଜ୍ୟା ଆଜି ପନ୍ୟା

ଉପାସ୍ୟା ବି ଉପେକ୍ଷିତା ପୁଣି ନିଷ୍ପେସିତା 

ବରାଙ୍ଗୀ ସାଜଇ ବାରାଙ୍ଗନା, 

ଅପେକ୍ଷା ଉପେକ୍ଷା ହୁଏ.. . 

ବର୍ବରତା ଲୋଲୁପତା ଟହ ଟହ ହସେ 

ବିଭତ୍ସ ବିକଟପଣେ ଶିତ୍କାରିବା ମନା!

ବସନ୍ତ ବାସରେ.. ବିଞ୍ଚିଯାଉ ଵିପଞ୍ଚିର ବାଦ 

ବାରିଯାଉ ବର୍ବରତା.. ସାଥେ ଲୋଲୁପତା 

 ବରଦା !ବ୍ରାହ୍ମଣୀ! ବାଣୀ !ଭାରତୀ! ବାଗ୍ଦେବୀ !

ଦିଅ ବର !

କଅଁଳନ୍ତୁ,  କୁମାରୀ କୁଆଁରୀ-- 

ମନେ ଭରି ପୁଷ୍ପ ପ୍ରଫୁଲ୍ଲତା. 

ବ୍ୟଭିଚାରୀ ବିଷ ଯାଉ ହରି... 

ଅଦୃଜା ଅବ୍ଜା  ୠତଜା..

 ନହୁ ଖାଲି ରମ୍ୟା କମନୀୟା 

ବନ୍ଦନୀୟା ପୂଜନୀୟା  ନାରୀ ।।


 

ବାରିପଦା, ମୟୁରଭଞ୍ଜ.

Post a Comment

0 Comments