ସେଦିନ ତୁମକୁ ଦେଖୁଥିଲି
ପ୍ରୀତିର ମଧୁର ଛନ୍ଦରେ ଗୀତ ଗାଇ
ପ୍ରଗଳଭତାରେ ଡେଇଁ ଡେଇଁ ବୁଲୁଥିଲ
ମନଭୁଲାଣିଆ ରଙ୍ଗୀନ ଫୁଲ ବଗିଚାରେ
ବୋଧେ ଇଛାଥିଲା ଝୁଲିବାକୁ ଗଛଝୁଲଣାରେ
ଏକ ଅସଂଜତ ମୁହୂର୍ତ୍ତରେ
ଆକାଶ ଛାତିରୁ ଖସିପଡ଼ିଲା
ମୋ ଗୁଡ଼ିଟା ତୁମ ମୁଲାୟମ ହାତ ପାପୁଲିରେ
ହାତରେ ମୋର ନଟେଇର ବଳକା ସୂତା
ତୁମେ କିନ୍ତୁ ଫିକକରି ହସିଦେଇ ଉଡିଗଲ
ଚିତ୍ରିତ ହରରଙ୍ଗୀ ପ୍ରଜାପତିଟେ ଭଳି !!
ଫଗୁଣ ଖବର ବାଣ୍ଟିଗଲା ଗାଁ ଦାଣ୍ଡରେ
ଫୁଲ ବଗିଚାରେ /ନଈପଠାରେ ବି
ଫଗୁର ଫୁଆରାରେ ସମସ୍ତେ ମତୁଆଲା
ସଭିଏଁ ମଧୁର ରୋମାଞ୍ଚରେ ବିଭୋର
ଉଜାଗରେ ଦିହୁଡି ଜାଳୁଥିଲେ
ଭାବ ପୀରତିର /ପ୍ରେମ ପ୍ରଣୟର
ମୁଁ କିନ୍ତୁ ଅବଲୋକନ କରୁଥିଲି
ସଂକ୍ଷିପ୍ତ ଚୂର୍ଣ୍ଣକୁନ୍ତଳ ଭିତରୁ
ଅନିନ୍ଦ୍ୟ ରୂପଲାବଣ୍ୟ ପରିପାଟିରେ
ଚନ୍ଦନ ଚନ୍ଦନଚର୍ଚ୍ଚିତ ଶଙ୍ଖଗ୍ରୀବା ମୁଖଟି ତୁମର
ଲକ୍ଷେ ଫଗୁଣକୁ ଫୁତ୍କାରୁଥିଲା !!
ଆଜି ଦେଖୁଛି କ୍ରୁର ବୈଶାଖୀ କେମିତି
ଜାଳିଦେଇଛି ପଲ୍ଲବିତ ଶ୍ୟାମଳ ବୃକ୍ଷରାଜି
ଚଳୁକରି ଶୋଷିନେଇଛି ସମୁଦ୍ରର ଜଳ
ଆକାଶ ଛାତିରେ ଇନ୍ଦ୍ରଧନୁର ନୀରବତା
ନିଷ୍ଠୁର ସମୀରର ମିଥ୍ୟା ଦାମ୍ଭିକତା
ଯେତେବେଳେ ମୁଁ ଅରୁଣସ୍ତମ୍ଭ ପାଖରୁ
ହାତବଢ଼େଇ ନିଃସ୍ଵତାରେ ମାଗୁଥିଲି
ସ୍ବର୍ଗଦ୍ୱାରରେ ଚାରିହାତ ଜାଗା
ସେତେବେଳେ ତୁମେ ଗରୁଡସ୍ତମ୍ବ ପାଖରେ
ହାତଟେକି ସନ୍ତର୍ପଣେ ମୁଦ୍ରିତ ନେତ୍ରରେ
କାହାପାଇଁ କଅଣ ମନାସୁଥିଲ !!
ଶ୍ରୀ ଶୁଭେନ୍ଦୁ କୁମାର ମହାପାତ୍ର




0 Comments