ଶ୍ୟାମ ରୂପ - ଅଜୟ କୁମାର ମହାନ୍ତି

 


ଶ୍ୟାମରାୟ ଗୋ ସଖୀ ସେ ଶ୍ୟାମ ରାୟ 

ତ୍ରୀଭଙ୍ଗ ଭଙ୍ଗୀରେ ଶୋଭା କଦମ୍ବ ତଳାୟ। 

ଚୁର୍ଣ୍ଣ କୁନ୍ତଳରେ ଚୂଡ଼ା ମଲ୍ଲୀ ମାଳତୀରେ ବେଢ଼ା 

ମୟୂର ଚନ୍ଦ୍ରିକା ତାର ବାମେ ଶୋଭା ପାଏ। 

କପୋଳେ ଚନ୍ଦନ ବିନ୍ଦୁ ନିନ୍ଦେ ଶତ ଶତ ଇନ୍ଦୁ 

ଆକାଶରୁ ଚନ୍ଦ୍ରମା କି ଭୁମେ ଲୋଟି ଯାଏ। 

କର୍ଣ୍ଣରେ କୁଣ୍ଡଳ ସାଜେ କୋଟି ରବି ତେଜ ଗଞ୍ଜେ 

ଅଧରେ ବାଜେ ମୂରଲୀ ରାଧା ରାଧା ଗାଏ। 

ବର୍ଣ୍ଣରେ ଚିକ୍କଣ କଳା ଗଳେ ଝୁଲେ ବନମାଳା 

କଳାମେଘେ ଦିଶେ ବକପଂକ୍ତିର ପରାଏ। 

କଟିରେ ସାଜେ କିଙ୍କିଣି ନାରୀଙ୍କ ମନ ନିଏ କିଣି 

ନବୀନ ମେଘେ ଇନ୍ଦ୍ରଧନୁ ପରି ଶୋଭା ପାଏ। 

ଚରଣେ ସାଜେ ନୂପୁର ବାଜେ ମଧୁର ମଧୁର 

ବାଙ୍କ ଚାହାଁଣିରେ ସର୍ବ ମନକୁ ଭୁଲାଏ ।।


 ହରିପୁର,

କବୀର ପୁର,ଯାଜପୁର।

Post a Comment

0 Comments