ବୀଣାପାଣି - ଅରୁଣ କୁମାର ମହାପାତ୍ର


ବସନ୍ତ ଋତୁର ମୃଦୁ ମଳୟରେ
ମନ ହୁଏ ପୁଲକିତ
ବସନ୍ତ ପଞ୍ଚମୀ ଆଜିର ତିଥିରେ
ମାଆ ଆସି ଆବିର୍ଭୁତ।
ଶୁକ୍ଲ ବସ୍ତ୍ରାନ୍ଵିତା ବୀଣା ଓ ପୁସ୍ତକ
ହସ୍ତରେ ବଢାଏ ଶୋଭା
ପୂଜା ପାଇଁ ସବୁ ଆଗଭର ଆଜି
ବିଦ୍ୟାଦାତ୍ରୀ ଆସି ଉଭା।
ସ୍ନାନ ଶୌଚ ହୋଇ ସକଳୁ ଅପେକ୍ଷା
ଦେବେ ସର୍ବେ ପୁଷ୍ପାଞ୍ଜଳି
ବିଦ୍ୟାରମ୍ଭ ପାଇଁ ଏ ଶୁଭ ମୁହୂର୍ତ୍ତ
କୁନି ପିଲା ମାନେ ମେଳି।
ବିଦ୍ୟାଳୟ ସବୁ ମୁଖରିତ ହୁଏ
ଲଗାନ୍ତି ଭିଡ ପିଲାଏ
ରାତି ଦିନ ଲାଗି ଆୟୋଜନ ଏଠି
ଲାଗୁଛି ପାର୍ବଣ ପ୍ରାୟେ।
ହଂସ ବାହିନୀ ମା ବିଦ୍ୟା ପ୍ରଦାୟିନୀ
ବିଦ୍ୟା ଅଧିଷ୍ଠାତ୍ରୀ ଦେଵୀ
ସଙ୍ଗୀତ ସାଧକ ବିଦ୍ୟାର୍ଥୀ ପୂଜନ୍ତି
ମାଆଙ୍କ ଚରଣ ସେବୀ।
ନାହିଁ ଆଜି ଆଉ ସେ ନଡ଼ିଆ ଖୋଜା
ଦାଣ୍ଡ ମାଗୁଣିର ବିଧି
ତରତର ହୋଇ ଧାଉଁଥିଲେ ପିଲା
ନୂଆଁ ପରିଧାନ ପିନ୍ଧି।
ହେ ବିଦ୍ୟାଦାୟିନୀ କରୁଛି ମାଗୁଣି
ରଖିଥିବ ଦୟା ଦୀନେ
କଲମ ଚାଲିବ ତୋ ଦୟାରେ ମାଆ
ଶବଦ ଆସିବ ମନେ।


ପ୍ରତାପ ପୁର, ଗଞ୍ଜାମ
(ଅଶ୍ୱପୁରମ, ତେଲେଙ୍ଗାନା)

୯୪୪୧୫୦୭୫୧୮


Post a Comment

0 Comments