ନାରୀ ନାରାୟଣୀ ସାଜିଛି ଏକ୍ଷଣୀ
ସଜାଇ ନିଜକୁ ଆଜ
ଆସହେ ମାନବ ନର ରୂପ ଧରି
ମାନବତ୍ବେ ହୋଇ ସଜ ।।
ମୋ ଶୀତଳ ଛାଇ ଦେବି ମାତା ତୁଲ୍ୟ
ଲଭିବ ଶାନ୍ତି ଜୀବନେ
ହୃଦ ପୁଷ୍ପ ନେଇ ସାଇତି ରଖିବ
ଭଗ୍ନି ରୂପେ ତୁମ ମନେ ।।
ଭୋକର ଜ୍ବାଳାକୁ ପ୍ରଶମିତ କରି
ଖାଅ ମୋର ଯେତେ ଫଳ
ଚିର ଶାନ୍ତି ଲଭି ପ୍ରେମ, ବିଶ୍ବାସରେ
ବାନ୍ଧିହୁଅ ଚିରକାଳ ।।
ନାରୀ ମୁହିଁ ଅଟେ ମାତା, ଭଗ୍ନି ପୁଣି
ସହଧର୍ମିଣୀ ତୁମରି
ସସମ୍ମାନେ ଆସ ସମ୍ମାନ ଲଭିବ
ସଦା ଥିବି ସହଚରୀ ।।
ନିସର୍ତ୍ତେ ଅଜାଡି ଦେବି ସବୁ କିଛି
ନିଃଶବ୍ଦେ ସହିବି ସବୁ
ଖାଲି ସ୍ନେହ, ପ୍ରେମ ଅଜାଡି ଦେବୁ ତୁ'
ହୃଦୟେ ସମ୍ମାନ ଦେବୁ ।।
ଛାତିର ଅମୃତ ପିଇ ହେବୁ ତୃପ୍ତ
ମମତା ଛାଉଣୀ ଦେବି
ପୂଜାରିଣୀ ସାଜି ପୂଜିବି ପୟର
ପୂଜାଫୁଲ ସଂଜେ ଦେବି ।।
ସ୍ବାର୍ଥପର କେବେ ହେବୁ ନାହିଁ ତୁ' ରେ
ଜୀବନ୍ତ ଦଗ୍ଧ ହୋଇବି
ଅସହାୟ ପଣେ ଗଣଦୁଷ୍କର୍ମରେ
ପୀଡିତା ମୁଁ ସାଜିଯିବି ।।
କି ଯଶ ବାନା ତୁ' ଉଡାଇବୁ କହ
ନାରୀ ବିନା କି ରେ ନର ?
ପୁରୁଷତ୍ବ ଯଦି ଅଛି ତୁମ ଠାରେ
ସଦୁପଯୋଗ ତା' କର ।।
ବଞ୍ଚିବାକୁ ଦିଅ ନିଜେ ବଞ୍ଚିରୁହ
ରାମ,ସୀତା ଭାବ ପ୍ରୀତି
ହେଲେ ତୁହି କୃଷ୍ଣ ହେବ ସିଏ ରାଧା
ପାଇବୁ ପରମ ତୃପ୍ତି ।।
ନାରୀ ହିଁ ନମସ୍ୟା ଜପ,ତପ,ଧ୍ୟାନ
ସିଏ ତୋର ଚିରସାଥୀ
ସୁରକ୍ଷିତ ରଖ ଦେଇ ତୁ' ମର୍ଯାଦା
ତା' ବିନା ନାହିଁ ତୋ' ସ୍ଥିତି ।।
ମେଲଛାମୁଣ୍ଡା, ବରଗଡ




0 Comments