ଜୟ ଜଗଜ୍ଜନନୀ ଦେବୀ ବିରଜା
ମଧୁର ମା ନାମ ବିଶ୍ୱାସେ ଡାକନ୍ତି
ରଙ୍କ ହେଉ କିଂବା ରଜା ।
ପୂର୍ଣ୍ଣ ଗର୍ଭା ମାଆ ପବିତ୍ର ଜାହ୍ନବୀ
ବୈତରଣୀ ପୂତ ଧାରା
ଯଜ୍ଞ ହୋମ ବେଦୀ ପ୍ରଜ୍ଜଳିତ ଅଗ୍ନି
ମା ଅମୃତ ମଧୁକ୍ଷରା
ପ୍ରଣବ ପ୍ରକୃତି ମାତା ଗରିୟସୀ
ଅଗ୍ରପୂଜ୍ଯା ମା ବିରଜା ।
ଜୟ ଜଗଜ୍ଜନନୀ-----
ମାତା ତେଜ ଶକ୍ତି ରଜ ସ୍ୱରୂପିଣୀ
ମା ଜନ୍ମ ଜୀବନଦାତ୍ରୀ
ମାଆ ମାଆ ଡାକ ସବୁଠୁ ସୁନ୍ଦର
ସ୍ୱତଃ କଣ୍ଠୁ ଉଠେ ସ୍ଫୁରି
କଲ୍ୟାଣମୟୀ ମାତା ମହିୟସୀ
ମାତୃରୂପା ମା ବିରଜା ।
ଜୟ ଜଗଜ୍ଜନନୀ-------
ମମତା ସେନେହ ବିମଳ ପ୍ରବାହ
ସୁକୋମଳ ତା ପରଶ
ସରଜେ ଓ ପାଳେ ଜୀବନ ସ୍ୱସ୍ତିକେ
ଫୁଟାଏ ମୁଖେ ହରଷ
ମାତା ଆଦିଶକ୍ତି ସତ୍ୟ ଚିରନ୍ତନୀ
ମା ଭବାନୀ ମା ଦୁର୍ଗା ।
ଜୟ ଜଗଜ୍ଜନନୀ-----
ତ୍ରିଶୂଳ ଧାରିଣୀ ମା କାଳଭୈରବୀ
ମୃତ୍ୟୁ ଭୟ ନିବାରିଣୀ
ଅଙ୍ଗୁ ବସ୍ତ୍ର ଫେଡି ଜନ୍ମ ଦିଏ ଶିଶୁ
ଢାଳେ ବକ୍ଷୁ ନିର୍ଝରିଣୀ
ଜୟ ଜୟ ଶ୍ୟାମା ଅମୃତମୟୀ ମା
ଜଗଧାତ୍ରୀ ମା ବିରଜା ।
ଜୟ ଜଗଜ୍ଜନନୀ-----
ତୋର ପାଦଧୂଳି ବିଜୟ ତିଳକ
ଶୋଭାପାଉ ମସ୍ତକରେ
ତୋହର ସନ୍ତାନ ହେଉ ଶୂରବୀର
ତୋ ଶୁଭ ଆଶିଷ ବଳେ
ବରଦା ସୁଖଦା ମାତା ବୈଜୟନ୍ତୀ
ଉଡୁ ବାନା ସିଂହ ଧ୍ଵଜା ।
ଜୟ ଜଗଜ୍ଜନନୀ....।।
ଉପର ବରୁଆଁ, କବୀର ପୁର
ଯାଜପୁର




0 Comments