ଟୋପାଏ ସିନ୍ଦୁର - ସୁମିତ୍ରା ସାହୁ



"ବିବାହ ବନ୍ଧନେ ବାନ୍ଧି ହେବା ପରେ
ସିନ୍ଦୁରର ଶକ୍ତି କେତେ,
ବାପା ଠାରୁ ଝିଅ ଅଲଗା ହୁଅଇ
ଦେଇ କେତେ ଦ୍ୱାହି ସତେ।।

ଦୁଇପଟ ସେହି ଶଙ୍ଖା କିଣିନିଏ
ଝିଅର କୋମଳ ମନ,
ନୀତିନିୟମରେ ବାନ୍ଧି ହେଇଯାଏ
ଭୁଲି ତା'ର ପିଲାଦିନ।।

ହୃଦୟ ଛନ୍ଦଇ ଅଳତାର ଗାରେ
ଲଗାଏ ଯେବେ ତା' ପାଦେ,
ବାପଘର ବନ୍ଧ ଡେଇଁ ଶାଶୁଘରେ
ସମ୍ପର୍କର ଡୋରି ବାନ୍ଧେ।।

ପ୍ରଥମେ ପ୍ରଥମେ ଭାରି ମନେପଡେ, 
ପିଲାଦିନର ସେ' ସ୍ମୃତି,
ବାପା ମା' କୋଳେ ବିତିଥିବା କେତେ
ଅଭୁଲା ଅତୀତ ରାତି।।

ଧୀରେଧୀରେ ଏହା ମନେ କେଉଁ କୋଣେ 
ହଜାଏ ତାହାର ସତ୍ତା,
ଶାଶୁଘରେ ଝିଅ ସଂସାର ଗଢ଼ଇ 
ଭୁଲି ବାପା ମାଆ କଥା।।

ଯେଉଁ ବାପା ମାଆ ଶିଖାଇଲେ ଦିନେ 
ସ୍ପଷ୍ଟ ଭାବେ କଥା କହି,
ତାଙ୍କ ସହ ପଦେ କଥା ହେବା ପାଇଁ 
ଝିଅର ସମୟ ନାହିଁ।।

ଥରକୁ ଦିଥର କଲ୍‌ କଲେ କାଳେ 
ଶାଶୁଘରେ ରାଗିଯିବେ,
ଅଧା କଥା ହୋଇ କଲ୍‌ କାଟିଦିଏ
ଧଡପଡ ହୋଇ ସେବେ।।

ସୁଖେ ଥିଲେ ଝିଅ ଭୁଲିଯାଏ ସବୁ
ଦୁଃଖେ ପଡେ ମାଆ ମନେ,
ସୁଖ ସବୁ ବାଣ୍ଟେ ସ୍ୱାମୀ ସହ ହେଲେ 
ଦୁଃଖ କଥା ମାଆ ଶୁଣେ।।

ଭୁଲିଯାଏ ଝିଅ ମାଆର ବୟସ
ରୋଗାଗ୍ରସ୍ତ ତା' ଶରୀର,
ନିଜ ଦୁଃଖ କଥା କହି ଶାନ୍ତ ହୁଏ
ମାଆର ମନ ଅସ୍ଥିର।।

ମାଆ ଗଢିଥିଲା ଯେଉଁ ହାତେ ତା'ର
ଝିଅକୁ ଯତନ କରି,
ଝିଅ କୁହେ ମାଆ ଧରନି ନାତିକୁ 
ହାତସଫା ତୁ ନକରି।। 

ଇନ୍‌ଫେକ୍ସନ୍‌ ଯେ ହେବ ତା' ଛୁଆକୁ 
ହାତ ଧୋଇ ନଛୁଇଁଲେ,
ଭୁଲିଗଲା ଝିଅ ସେଇ ମାଆ ହାତ
ମାଆ କି ସହଜେ ଭୁଲେ।।

ଜୀବନ ତମାମ ଅର୍ଜିଥିବା ଧନ 
ବାପା ବିକେ ଝିଅ ପାଇଁ,
ଶେଷ ସମୟରେ ବାପା ପାଇଁ ଏବେ 
ଟଙ୍କେବି ଝିଅର ନାହିଁ।।

ଛୋଟରୁ ବଡ ଯେ କରିବା ଭିତରେ 
କେତେ କ'ଣ ଦେଇଥିବେ,
ଝିଅ ଯଦି ଏବେ ସାର୍ଟ ଖଣ୍ଡେ ଦିଏ 
ହିସାବରେ ରଖୁଥିବେ।।

ବାପାଙ୍କୁ ଦେଇଛି ସାର୍ଟ ବୋଲି ସିଏ 
କଥା ଛଳେ କହୁଥାଏ,
ସତରେ କ'ଣ ଏ' ଟୋପାଏ ସିନ୍ଦୁର
ଝିଅକୁ ଭୁଲେଇ ଦିଏ।।"

ଯାଜପୁର

Post a Comment

0 Comments