ଅହଂ ମନୋଭାବ ଯାହା ଠାରେ ଥାଏ
ଅବୁଝା ମନ ତାହାର
ଅଳସୁଆ ଜିଦ ତା ପାଖେ ରୁହଇ
କର୍ତ୍ତବ୍ୟରେ ହରବର l୧l
ରାହା ଧରି କାନ୍ଦେ ଛୋଟିଆ ଶିଶୁଟି
ଚାହୁଁ ଥିବା ଦ୍ରବ୍ୟ ପାଇଁ
ଯେତେ ବୁଝାଇଲେ ତା ମନ ନ ବୁଝେ
ଅଯଥାରେ କାନ୍ଦୁଥାଇ l୨l
ଅମନ ଯୋଗୀ ତ ପାଠେ ହୋଇଥିଲେ
ପାଠ ମନେ ନ ରୁହଇ
ଗୁରୁଜୀ ତାହାକୁ ଯେତେ ବୁଝାଇଲେ
ସେତ ବୁଝି ନ ପାରଇ l୩l
ମୁରୁଖ ଅଜ୍ଞାନ ଅବୁଝା ମଣିଷ
ସହଜରେ ବୁଝେ ନାହିଁ
ତା ମୁଣ୍ଡରେ ଥରେ ଯାହା ପଶି ଯାଏ
ସେହି କଥା କହୁ ଥାଇ l୪l
ଯୌଥ ପରିବାରେ ଅବୁଝା ହୋଇଲେ
ବୀତସ୍ପୃହ ସୃଷ୍ଟି ହୁଏ
ଅଶାନ୍ତିର ଚକ୍ର ଲାଗି ରହି ଥାଏ
ସମ୍ପର୍କ ସ୍ୱଚ୍ଛତା ଯାଏ l୫l
ପତି ପତ୍ନୀ ମଧ୍ୟେ ଅବୁଝା କଳହ
ଦାମ୍ପତ୍ୟ ଜୀବନ ନଷ୍ଟ
ରାଜାଙ୍କର ମନ ଅବୁଝା ହୋଇଲେ
ପ୍ରଜା ପାଇଥାନ୍ତି କଷ୍ଟ l୬l
ଅବୁଝା ରାଜାଙ୍କୁ ପାଳ ବିନ୍ଧା ମନ୍ତ୍ରୀ
ଏକ ଆରେକ ନ ଊଣା
ଯାହା ବୁଝି ଥାନ୍ତି ସେଇୟା କରନ୍ତି
ହୋଇ ଥାନ୍ତି ବାଟ ବଣା l୭l
ଭସା ବଦଲଟା କିଶୋର ବୟସ
ପରିପକ୍ୱ ସେତ ନୁହେଁ
କିଶୋର କିଶୋରୀ ପ୍ରେମ କରୁଥିଲେ
ଅଵୁଝାର ସ୍ଥାନ ନିଏ l୮l
ଅଳସୁଆ ଅଜ୍ଞାନୀ ନିଶାକ୍ତ ବ୍ୟକ୍ତି
ଅଵୁଝାର ଗନ୍ତାଘର
ଧରମର ଜ୍ଞାନ ଯେତେ ବୁଝାଇଲେ
ମାନେ ନାହିଁ ମନ ତାର l୯l
ନବରଙ୍ଗପୁର




0 Comments