କି ଉପମା ଦେଇ ଗଢ଼ିଛି ବିଧାତା
ଦେଇଛି ନାମ ବାଉଁଶ,
କେଉଁ ଜନମରେ କି ପୁଣ୍ଯ କରିଛୁ
ମହିମା ତୋ'ର ଅଶେଷ।।
ଦେବଲୋକ ଠାରୁ ମର୍ତ୍ତ୍ୟଲୋକ ଯାଏ
ବିଶେଷତ୍ତ୍ୱ ତୋ'ର କେତେ,
ପଶୁପକ୍ଷୀ ଠାରୁ ମାନବ ଜୀବନେ
କିଏ ସରି ତୋ'ର ସାଥେ।।
ଭିନ୍ନ ଭିନ୍ନ ରୂପେ ଅର୍ଜିତ ସୁକ୍ଷାତି
ଚାରି ଯୁଗେ ରଚିଅଛୁ,
ଜନ୍ମରୁ-ମରଣ ସବୁଠାରେ ଲୋଡା
ଧର୍ମ ବଳେ ପାଇଅଛୁ।।
ତ୍ରେତୟା ଯୁଗରେ ରଘୁବଂଶୀ ହସ୍ତେ
କୋଦଣ୍ଡ ସାଜିଲୁ ତୁହି,
କହ୍ନେଇ ଅଧରେ ସାଜି ତୁ ମୂରଲୀ
ସଭିଙ୍କୁ କରିଲୁ ବାଇ।।
କଣିରେ ତୋହର ଦାନ୍ତଘଷା କଲେ
ତନୁ ମନ ହୁଏ ସୁଧ,
ରଜ ପରବରେ ପଟା ଦୋଳି ଖେଳି
ପିଲା ହେଉଥା'ନ୍ତି ବୋଧ।।
ଶବର ଚଳାନ୍ତି ନିଜ ପରିବାର
ଜୀବଜନ୍ତୁ କରି ବଧ,
ଶିବ-ଧନୁ ସାଜି ପରଶୁ ବିରାଜି
କଲୁ ତିନି ପୁର ସ୍ତବ୍ଧ।।
କଳା ମାଣିକର ଓଠେ ବଂଶୀ ସାଜି
ରଚିଲୁ ମଧୁ ମୂର୍ଚ୍ଛନା,
ସେହି ବଂଶୀ ସ୍ୱନେ ରାଧା ରାଣୀ ବାଇ
ଉଚ୍ଛୁଳିଯାଏ ଯମୁନା।।
-ଗୋପ ଗୋପାଳୁଣି ଭୁଲି ପରିଚୟ
ଧାଆନ୍ତି କଦମ୍ବ ମୂଳେ,
ସାହି ପଡିଶାର ଟୁପୁରୁ ଟାପରେ
ଖାତର ନଥାଏ ତିଳେ।।
ଶିବ ଭକ୍ତ ଆଉ ଚଷା ଭାଇ କାନ୍ଧେ
ବାହୁଙ୍ଗୀ ସାଜିଛୁ ତୁହି,
ଖରା ଦିନେ ପୁଣି ଚଷା ଭାଇ ମୁଣ୍ଡେ
ଝାମ୍ପି ହୋଇ ରହିଥାଇ।।
ଯୁଦ୍ଧକ୍ଷେତ୍ରେ କେତେ ରାଜା ମହାରାଜା
ହାତରେ ଯୋଦ୍ଧାସ୍ତ୍ର ତୁହି,
ମୀନ ଧରା ଦ୍ରବ୍ୟ ତୋ' ଦେହେ ନିର୍ମିତ
-ସୂକ୍ଷ୍ମ ଚାରୂକଳା ସେହି।।
ଗୁରୁଜନ ହାତେ ଶାସନର ବାଡି
ଦେଖାଉ ଜୀବନ ପଥ,
ବୃଦ୍ଧକାଳେ ସାଜୁ ଆଶା ବାଡି ତୁହି
ଗାଆଁରେ ଗଢ଼ନ୍ତି ରଥ।।
ଘର-ବାର ପୁଣି ତିଆରି ଦିଅନ୍ତି
ଟୋକେଇ,ପାଛିଆ କେତେ,
ଜାଳେଣି ଭାବରେ ତତେ ଲୋଡିଥା'ନ୍ତି
ଜନ ସମାଜରେ କେତେ।।
ଅନ୍ତକ ଭିଡିଲେ ଛ'ଖଣ୍ଡ ବାଉଁଶ
ସାଜଇ ଶେଷ ବିଛଣା,
ପିଣ୍ଡ ଛାଡ଼ି ପ୍ରାଣ ଚାଲିଗଲା ବେଳେ
ମୂଲ୍ୟ ତୋ' ପଡଇ ଜଣା।"
ଜୟ ଶ୍ରୀ ଜଗନ୍ନାଥ
ସୁମିତ୍ରା ସାହୁ
ଯାଜପୁର




0 Comments