ହେ ଦୁଃଖ ନାଶନ ପତିତପାବନ
ଏତିକି କରୁଣା ହେଉ
ଦୁଃଖିର ଦୁଃଖକୁ ହରଣ କରହେ
ଜଗତରୁ ଦୁଃଖ ଯାଉ।
ଦୁଃଖିକୁ କନ୍ଦାଇ କି ସୁଖ ପାଉଛ
କହ ଆହେ ଚକାଆଖି
ତୁମରି ସନ୍ତାନ ଦୁଃଖେ କାନ୍ଦି ମରେ
ପାରୁନକି ତୁମେ ଦେଖି।
କାହାକୁ ହସାଅ କାହାକୁ କନ୍ଦାଅ
ଇଏକି ତୁମରି ଖେଳା
ଦୁଃଖ ଦରିଆରେ ଭସାଇ ଦେଉଛ
ବୁଡାଉଛ କାହା ଭେଳା।
ବିପଦ ବେଳରେ ହୁଅ ହେ ସହାୟ
ଏତିକି କରୁଛି ଅଳି
ତୁମରି ନାମକୁ ତୁଣ୍ଡେ ଜପି ଜପି
ଦିନଯାଉ ହସିଖେଳି।
ରୋଗ ଶୋକ ବ୍ଯାଧି ହରଣ କରହେ
ଭରିଦିଅ ମୁଖେ ହସ
ତୁମରି ସନ୍ତାନ ଅଟନ୍ତି ସରବେ
ରକ୍ଷାକର ପୀତବାସ।
ଗୋରୁ ଧନଧାନ୍ୟ ଅଷ୍ଟ ଅଇଶର୍ଯ୍ଯ
ସରବେ ଦିଅହେ ଢାଳି
ସର୍ବ ଆନନ୍ଦରେ ହସୁ ଏ ସଂସାର
ଦୁଃଖରାଶି ଦିଅ ଜାଳି।
ଶେଷରେ ଏତିକି କରୁଛି ମିନତି
ଶ୍ରୀପୟରେ ଦିଅ ସ୍ଥାନ
ତୁମ ନାମ ଭଜି ଆନନ୍ଦରେ ମଜ୍ଜି
ଖୁସିରେ ଥାଉ ମୋ ମନ।
ଜୟ ଜଗନ୍ନାଥ
ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ଜିଲ୍ଲା, ନୟାଗଡ଼




0 Comments