ପଲ୍ଲୀସୁଷମାର ଅମ୍ଭୋଧି - ରୁଦ୍ର ନାରାୟଣ ଦାଶ


       ସ୍ରଷ୍ଟା ଙ୍କ ସୃଷ୍ଟି ଅତି କମନୀୟ। ପ୍ରାଣୀ ତଥା ଜଡ ଜଗତର ମନକୁ ଅପୂର୍ବ ଭାବନାରେ ଦ୍ରବିଭୂତ କରି ଏକ ନୂତନ ଉନ୍ମାଦନା ଖେଳାଏ। ଶସ୍ୟଶ୍ୟାମଳା ଧରଣୀ ସ୍ରଷ୍ଟାଙ୍କର ଏକ ଅଦ୍ଭୁତ ସୃଷ୍ଟି ଯାହା ଚିରସାସ୍ୱତ ତଥା ଚିରସୁନ୍ଦର। ଧରଣୀବକ୍ଷରେ ବାସ କରନ୍ତି ପ୍ରାଣୀ ରୁ ଜଡ ଶ୍ରେଣୀ ତଥା ପଞ୍ଚଭୂତ। ପ୍ରାଣୀଜଗତ ପିମ୍ପୁଡ଼ି ଠାରୁ ଆରମ୍ଭ କରି ବୃକ୍ଷଲତା ଓ ସମଗ୍ର ମାନବଜାତି ଅନ୍ତର୍ଭୁକ୍ତ। ମାନବଜାତି ଶ୍ରେଷ୍ଠ ପ୍ରାଣୀ ଭାବରେ ପରିଗଣିତ ହେବା ପୂର୍ବକ ସେହି ଜାତିର ଚାଲିଚଳନ, ନାନା ବେଶଭୂଷା ତଥା ବିଭିନ୍ନ ସମୟରେ ଜୀବନ୍ତ ପରିବେଶ ଓ ତତସହିତ ଜଡବସ୍ତୁ କୁ ନେଇ ପ୍ରଦର୍ଶିତ କରୁଥିବା ଭିନ୍ନ ଆଚରଣ ଗ୍ରାମ୍ୟ ଭୂମିରୁ ହିଁ ବେଶ ସୁନ୍ଦର ଭାବରେ ଅବଲୋକନ କରିହୁଏ।
             ଶସ୍ୟଶ୍ୟାମଳା ମୋର ଜନ୍ମମାଟି। ଜନ୍ମମାଟି କହିଲେ ଯେଉଁଠି ଆମେ ଜନ୍ମ ନେଇଥାଉ| ଓଡ଼ିଆ ସଂସ୍କୃତି ର ଅର୍ଥରେ ଜନ୍ମମାଟି ନିଜ ଗ୍ରାମ କୁ ବୁଝାଏ। ଗ୍ରାମ୍ୟ ଶସ୍ୟଶ୍ୟାମଳା, ଚିରସବୁଜ, ଚିରନ୍ତନ ପ୍ରକୃତି। ସେ ଆମର ଯେ ମା କହିଲେ ବୋଧହୁଏ ଭୂଲ ହେବନାହିଁ।ମାନବବାଦ ର ଶ୍ରେଷ୍ଠ ନିଦର୍ଶନ ଓ ତତସହିତ ଚିରାଚରିତ ଢଙ୍ଗର ଜୀବନଶୈଳୀ ର ପ୍ରକାର, ଓ ତଦ୍ଦ୍ବାରା ପଡୁଥିବା ପ୍ରଭାବ ଏବଂ ତତ ସମ୍ପର୍କିତ ମନ ରୁ ମନ କୁ ପ୍ରସାରିତ ହେଉଥିବା ବାର୍ତ୍ତା ର ଧ୍ଵନି କୁ ଯେ ବହନ କରେ ସେହି ଚିରସୁନ୍ଦର ଗାଆଁ ଯାହାର ସ୍ନେହଭରା ଡାକରେ ତା କୋଳରେ ଲୋଟିଯିବାକୁ ଈଛା ହୁଏ।ଜୀବନର ପ୍ରତିଟି କ୍ଷଣରେ, ଆଉ ସବୁ ଦୁଃଖସୁଖ ବାଣ୍ଟିଦେଇ ଆନନ୍ଦ ରେ ନାଚିଯିବାକୁ ମନେହୁଏ ପ୍ରତିମୁହୂର୍ତ୍ତରେ ଯାହାର ଦ୍ୱାରଦେଶରେ ସେହି ଯେ ମା'। ଛୁଆଟେ ଯେପରି ମା' ର କୋଳକୁ ସର୍ବଦା ଆଶ୍ରୟ କରି ରହିଥାଏ ସେହିଭଳି ଆବାଳବୃଦ୍ଧବନିତା ତା' କୋଳ ରେ ଲୋଟୁଥାନ୍ତି ଆମରଣ ପର୍ଯ୍ୟନ୍ତ ପ୍ରତିକ୍ଷଣ ରେ।
               ପଲ୍ଲୀ ଯେ ଲାସ୍ଯମୟୀ ରୂପସିକ୍ତା। ସେ ଦେବୀ। ପ୍ରତି ପ୍ରଭାତରୁ ସୂର୍ଯ୍ଯ କେଉଁ ଆଖି ପାଉନଥିବା ଦୂର ଦିଗନ୍ତପ୍ରଦେଶରୁ ଗ୍ରାମ ରୂପକ ଦେବୀଙ୍କ ଦର୍ଶନାଭିଳାଷେ ଆସି ବିଞ୍ଚିଦିଅନ୍ତି ଗୋଲାପି ଓ ନାଲି କିରଣମାନ ଶୁଭତ୍ବର ପ୍ରତୀକ ରୂପେ ନଭର ବକ୍ଷଦେଶରେ। ପକ୍ଷୀଙ୍କ କାକଳି ମାଧ୍ଯମରେ ମନ୍ତ୍ର ଧ୍ବନିକୁ ମୁଖରିତ କରି ପଲ୍ଲୀକୁ ପୂଜା କରନ୍ତି ସେ। ଏହା ହେଉଛି ଗ୍ରାମର ସୂର୍ଯ୍ଯୋଦୟ। ଏହି ପରମ୍ପରା ବୋଧହୁଏ ଆବାହମାନ କାଳରୁ ଚାଲିଆସିଛି; ଚାଲୁଥିବ ମଧ୍ଯ। ସୂର୍ଯ୍ଯୋଦୟ ପ୍ରଭାବରେ ଗ୍ରାମ ପୁଷ୍କରିଣୀରେ ଥିବା ପଦ୍ମମାନେ ତାଙ୍କ ସୁଦୂର ପ୍ରଦେଶରେ ଅବସ୍ଥାନ କରୁଥିବା ପ୍ରେମିକଙ୍କୁ ଦେଖିବା ପାଇଁ ଲଜ୍ଜ୍ଯାଶୀଳା ଢଙ୍ଗରେ ଢଳଢଳ ହେଉଥା'ନ୍ତି। ତତସହିତ ସୂର୍ଯ୍ଯଦେବ ଢାଳିଦେଉଥାନ୍ତି ଅସରନ୍ତି ତେଜଯୁକ୍ତ ପ୍ରୀତିରଶ୍ମୀ ଯାହାର ଫଳସ୍ବରୂପ ପଦ୍ମର ଶରୀରରେ ଅବେଳରେ ମଧ୍ଯ ଯୌବନର ଛୁଆଁ ଦେଖାଯାଏ। ଏହି ସମୟରେ ଅବଗୁଣ୍ଠନବତୀ ପଲ୍ଲୀବଧୂମାନେ ବାସି କାମ ସମାପନ କରୁବା ପୂର୍ବକ ଅର୍ଦ୍ଧ ନିଦ୍ରାଯୁକ୍ତା ହୋଇ ମନ୍ଦଗତିରେ ତଡାଗ ଅଭିମୁଖେ ଅଗ୍ରସର ହୁଅନ୍ତି। ଅଳସୀ ପ୍ରିୟାମାନେ ସୂର୍ଯ୍ଯରଶ୍ମୀକୁ ବେଶ ଉପଭୋଗ କରନ୍ତି। ଗାଁ'ର ଗାଧୁଆ ତୁଠ ପାଖରେ ବସି ପର ଆଲୋଚନା କରିବା ଢଙ୍ଗ ଆଜି ବି ସମାନ ପ୍ରକାରରେ ରହିଛି। ଉଦାହରଣ ସ୍ବରୂପେ, 
         ଜଣେ ସଖୀ କହୁଥିବ, "ଆଲୋ ସନା ଝିଅଟା ପରା ପାଖ ଗାଁ ଟୋକାଟାକୁ ଭଲପାଉଛି"।
     ଅନ୍ଯ ସଖୀଟି ଛିଗୁଲେଇ ହୋଇ ସେହି କଥାକୁ ବାରମ୍ବାର ପଚାରି ହୋଇ ସେହି ଝିଅର ଚରିତ୍ରକୁ ତାତ୍ସଲ୍ଯ ନକରିବା ପର୍ଯ୍ଯନ୍ତ ବିଷୟଟି ଥଣ୍ଡା ପଡେନି। ଏହା ତ ନିତିଦିନିଆ ଘଟଣା। ଗାଧୁଆତୁଠ ପାଖରେ ଥିବା କରଞ୍ଜ ଗଛରୁ କେତେ ଖଣ୍ଡ କାଠି ଭାଙ୍ଗି ଆଣି ଦାନ୍ତ ଘଷିବା ଓ ତତ୍ ସହିତ ପଡିଆରେ ନିତ୍ଯକର୍ମ ସାରି ପୋଖରୀ ଜଳକୁ ପ୍ରଦୂଷିତ କରିବାର ରୀତି ଆଜି ବି ଅକ୍ଷୁର୍ଣ୍ଣ ଅଛି। ବୋହୂମାନେ ଗାଧୋଇସାରିବା ବେଳକୁ ଗାଁ'ର ମରଦମାନେ ରୁଣ୍ଡ ହୋଇଯା'ନ୍ତି ଧିରେ ଧିରେ; ଓଦାଲୁଗାକୁ ଅଳସୀ ଦେହରେ ଯେନତେନ ଗୁଡାଇ ହୋଇ ପ୍ରଦୂଷିତ ଜଳକୁ ପାକଶାଳାର୍ଥେ ମାଟି କଳସୀରେ ଧରି ତ୍ବରା ଗମନ କରିବା ସମୟରେ ସୂର୍ଯ୍ଯ ଚୁମିଦିଅନ୍ତି କୋମଳ ଶରୀରରେ ଲାଗିଥିବା ପୋଖରୀର ଜଳବିନ୍ଦୁମାନଙ୍କୁ ତାଙ୍କ କଅଁଳ ରଶ୍ମି ଦ୍ବାରା; ଗ୍ରାମବଧୂମାନେ ଲାଜକୂଳୀ ଲତା ପରି ଭାରି ଫୁଲେଇ ହୋଇ ତାଙ୍କୁ ପ୍ରଣିପାତ ପୂର୍ବକ ମନ୍ଦହସ ଦେଇ ତାଙ୍କ ଅନନ୍ତ ପ୍ରେମକୁ ସେମାନଙ୍କ ଛୋଟ ମନରେ ସ୍ବୀକାର କରନ୍ତି।
               ଏପଟେ ଗୁହାଳରୁ ଛେଳି, ମେଣ୍ଢା, ଗାଈମାନଙ୍କୁ ଆଣି ପଦାରେ ବାନ୍ଧି ତାଙ୍କ ଆଗରେ ଦୁଇବିଡା ନଡା ପକାଇବା ଆଉ ଗୋବର ଗୋଟାଇବା ଭଳି ପବିତ୍ର କାର୍ଯ୍ଯରୁ ପୁରୁଷ ପୁଅର ଦିନ ଆରମ୍ଭ ହୁଏ। ଚ଼ଷାଟି ଦି ମୁଠା ଗତରାତିର ଭାତକୁ ପଖାଳି ସେଥିରେ ରସୁଣ ଭାଙ୍ଗି ତା' ସହ ବାଡ଼ି ଶାଗଭଜା ଖାଇ ବିଲକୁ ବଳଦ ସହ ତ୍ବରା ଗମନ କରେ। ଗତରାତିର ସ୍ବପ୍ନକୁ ଭାଳି ଭାଳି ବଳଦ ରହି ରହି ଯିବାବେଳେ ଚଷାଟି ପାଞ୍ଚଣଟା ପକାଏ ଦି ଥର ଆଉ ସଙ୍ଗେ ସଙ୍ଗେ ଭାଙ୍ଗିଯାଏ ମହୁଆ ସ୍ବପ୍ନଗୁଡା। ଇତି ମଧ୍ଯରେ ଚୁଲିରୁ ପାଉଁଶ କାଢି ଦାଣ୍ଡରେ ଗୋବର ପାଣି ଛିଞ୍ଚିସାରିଥାଏ ବୋହୂ ଆଉ ଶାଶୁ ଶ୍ବଶୂର ଶଯ୍ଯା ମଧ୍ଯ ତ୍ଯାଗ କରିସାରିଥା'ନ୍ତି।
                 ବ୍ଯତିବ୍ଯସ୍ତ ଜୀବନ ସେମାନଙ୍କର ସତେ! ସକାଳୁ ଉଠୁ ଉଠୁ ସୂର୍ଯ୍ଯଦେବଙ୍କୁ ସାଷ୍ଟାମ ପ୍ରଣିପାତ କରିବା ସହ ଗୁଡ଼ାଖୁ ଧରି ଘଷିବା ଆରମ୍ଭ କରିଦିଅନ୍ତି ଆଉ ବୁଢାବୟସରେ ବି ଦାନ୍ତ ଯେ ପୁରା ଚିକ୍ ଚିକ୍ କରେ ଏଥିରେ ତିଳେମାତ୍ର ସନ୍ଦେହ ନଥାଏ। ଘରେ ଥିବା କିଛି ମୁଢି ଆଣି ପକାଇ ଦିଅନ୍ତି ଘର ଅଗଣା ଆଉ ବାରିଦୁଆରେ। କେଉଁଠି ଯେ କେତେ ପକ୍ଷୀଦଳ ଥାଆନ୍ତି ଆସି ବେଢ଼ିଯାଆନ୍ତି ସେମାନଙ୍କ ଚ଼ାରିପାଖରେ; ଅପୂର୍ବ ସ୍ନେହରେ ଖାଆନ୍ତି ଖୁଣ୍ଟି ଖୁଣ୍ଟି। ଘର ଠଣାମାନଙ୍କରେ ପାରାମାନେ ବସା ବାନ୍ଧି ସକାଳୁ ସକାଳୁ ତାଙ୍କର ସେ ଘୁମୁରୁ ଘୁମୁରୁ ଶବ୍ଦ ସତରେ ଶୂନ୍ଯଯୁକ୍ତ ପରିବେଶକୁ ପୂର୍ଣ୍ଣଯୁକ୍ତ କରି ଉଲ୍ଲାସରେ ଭରିଦେଉଥିବାର ଅନୁଭୂତ ହୁଏ। 
              କୈଶୋରରେ ପାଦ ଥାପିଥିବା ଅନେକ ବାଳକମାନେ ନିଜ ଆଳସ୍ଯକୁ ପାଥେୟ କରି ସୂର୍ଯ୍ଯୋଦୟ ହେବାର ଦୁଇଘଡିକ ପରେ ଉଠନ୍ତି। ତାଙ୍କ ଦେହରେ ଯୌବନମୟୀ ଦେବୀ ଧିରେ ଧିରେ ପାଦ ରଖି ତାଙ୍କୁ ଉନ୍ମାଦନା ପୂର୍ଣ୍ଣ କରାଇବା ପୂର୍ବକ ପ୍ରୀତି ଭାବନାରେ ନିମଗ୍ନ କରାଇ କେଜାଣି କେଉଁ ସ୍ବପ୍ନ ରାଇଜରେ ବୁଲାଇବାକୁ ନିଅନ୍ତି ତା'ର ସନ୍ଧାନ କେହି କେବେ ଜାଣିପାରିବେ ନାହିଁ। ଆଉ ଏପଟେ କିଶୋରୀମାନେ ନିଜ ବୋଉଙ୍କୁ ସହାୟର୍ଥେ ଗୋବର ଘସି କିମ୍ବା କାଠ ଆଣି ରୋଷେଇ ରେ ସାହାଯ୍ଯ କରିବା ପାଇଁ ବ୍ଯଗ୍ର ହୋଇଉଠନ୍ତି; ପରେ ପରେ ବୋଉର ଚ଼ାରି ପାଞ୍ଚ ଡ଼ାକ ଓ ବାପାଙ୍କ ଗାଳି ପରେ ନିଦଟା ହଠାତ ଭାଙ୍ଗିଯାଏ।
            ସବୁ ନିତ୍ଯକର୍ମ ସାରି ସ୍କୁଲ ବା କଲେଜ ଯିବାକୁ ତତ୍ପର। ଦଳ ବାନ୍ଧି ସାଇକେଲରେ ସ୍କୁଲକୁ ସେହି ଗାଁ ରାସ୍ତାରେ ଯିବାବେଳେ ପଛ କେରିଅରରେ ବସାଇଥିବା ସାଙ୍ଗକୁ ଖାଲରେ ପକାଇଦେବା ଭଳି ମଜା କେତେ ନିଆରା ସତେ। କ୍ଲାସ ପିରିୟଡ ସମୟରେ ପରିସ୍ରା ବାହାନାରେ ଆସି ବରକୋଳି, ଆମ୍ବ ଚୋରାଇ ତୋଳିବା ଆଉ ଯଉବନର ପ୍ରଥମ ଛୁଆଁରେ ମନରେ ଜାଗା ନେଇଥିବା କ୍ଲାସର ସେହି ସୁନ୍ଦରୀ ଝିଅ ପାଇଁ ବାରିରେ ଫୁଟିଥିବା ଫୁଲ ଅବା କୃଷ୍ଣଚୂଡ଼ା ଆଣି ନିତିଦିନ ତା' ବେଣୀରେ ଖୋସିବା ଗୋଟେ ଚ଼ିରାଚ଼ରିତ ଢ଼ଙ୍ଗରେ ପରିଣତ ହୋଇଯାଏ। ମଧ୍ଯାହ୍ନ ଭୋଜନ ବେଳେ ସାଙ୍ଗ ସହ ଏକ ଥାଳିରେ ମିଶି ଖାଇବା ମଜା ନିଆରା। ଚ଼ଷାର ଘରଣୀ ଗରମ ଭାତ ସହ ନଅ ପ୍ରକାର ଛଅ ଭଜା କରି ବିଲକୁ ତ୍ବରା ଗମନ କରେ। ଶ୍ରମଝାଳକୁ ଓଦା ଗାମୁଛାରେ ପୋଛି ହିଲ ମଝି ଆମ୍ବତୋଟା ଛାଇରେ ଲକ୍ଷ୍ମୀର ହାତ ତିଆରି ଦି ମୁଠା ପାଟିରେ ଆନନ୍ଦରେ ପକାଇଦିଏ ସେ। ବୟସ୍କ ବ୍ଯକ୍ତି ଖରାକୁ ଖାତର ନକରି ତାସ୍ ଖେଳରେ ମାତିଯାଇ ନିର୍ଜନ ମଧ୍ଯାହ୍ନର ଶାନ୍ତମୟ ପରିବେଶକୁ ଭଙ୍ଗ କରନ୍ତି। ପ୍ରାୟତଃ ଏହିଭଳି ଭାବେ ରୌଦ୍ରତାପଯୁକ୍ତ ସୂର୍ଯ୍ଯଙ୍କ ପ୍ରଭାବକୁ ଖାତର ନକରି ପକ୍ଷୀମାନେ ତାଙ୍କ କାକଳିକୁ ବଳବତ୍ତର ରଖନ୍ତି। ଘରେ ବୋଉ କଡେଇ, ଡେକଚି, ଥାଳି ନେଇଯାଏ ପୋଖରୀ କୂଳକୁ ଆଉ ନଡିଆକତାରେ ପାଉଁଶ ସହ ମାଟିରେ ମିଶାଇ ଭଲରେ ଚିକ୍କଣ କରି ମାଜି ଚୁଲି ଉପରେ ବସିବା ଯୋଗୁଁ ଲାଗିଥିବା କଳାକୁ ଧୋଇଦିଏ। ପରିଶେଷରେ ଘଡିକ ପାଇଁ ଗଡପଡ ହେଇଯାଏ ସଉପ ପାରି ଟି.ଭି. ଲଗାଇ।
                ସୂର୍ଯ୍ଯ ବୁଡିବା ପ୍ରାୟ। ବୟସ୍କ ମାନଙ୍କ ତାସ ଖେଳର ପରିସମାପ୍ତି, ଚଷାଟିଏ ଗାଈଗୋଠ ଏବଂ ବଳଦକୁ ନେଇ ଘରକୁ ଫେରିବା, ପିଲାଏ ସ୍କୁଲରୁ ଫେରି ବସ୍ତାନି ଦୁଆରେ ଥୋଇ କ୍ରିକେଟ ଖେଳି ହସି ହସି ଫେରିବା ଏକ ପୂର୍ଣ୍ଣ କୋଳାହଳମୟ ପରିବେଶରେ ଭରିଯାଏ। ବୋଧହୁଏ କର୍ମକ୍ଷେତ୍ରରୁ ସେମାନେ ସୂର୍ଯ୍ଯଙ୍କ ସହ ଅବସର ନେଉଥିବାର ତତ୍ ସହିତ ଏକ ଯୁଗର ଯେ ଅବସାନ ସହ ସେଥିରେ ନିହିତ ଶିକ୍ଷଣୀୟ କର୍ମ, ଭାବନା ଉଦବେଳିତ ହୋଇ ଆକାଶର ବକ୍ଷରେ ଗୋଲାପି ବର୍ଣ୍ଣ ଧାରଣ କରେ।
                ଇତି ମଧ୍ଯରେ ଯାମିନୀ ତା'ର ପ୍ରଥମ ଚ଼ରଣରେ ର୍ରବେଶ କରି ସୂର୍ଯ୍ଯଙ୍କୁ ବିରହ ବିଦାୟ ପ୍ରଦାନ ପୂର୍ବକ ପଲ୍ଲୀର ଜନତାଙ୍କୁ ମଧୁମୟ ରାତିର ଉତ୍ସବ ପାଳନ କରିବା ପାଇଁ ଆନ୍ଦୋଳିତ କରେ। ପ୍ରଭାବରେ ଦିବସର କଷ୍ଟ ଶାରୀରିକ ଭାବେ ଅନୁଭୂତ ହୁଏ। ଭାଗବତ ଟୁଙ୍ଗୀରେ ଧର୍ମର ପ୍ରଚ଼ାର ତଥା ଆସର ଧର୍ମୀୟ ଭାବନା ଜାଗରଣ କରାଏ। ଜହ୍ନର ଶୀତଳ କିରଣ ଶରୀରର ଅଦେଖା କ୍ଷତକୁ ଧୌତ କରେ ତା' ଶୁଭ୍ର କିରଣରେ। କଇଁ ଢ଼ଳି ଢ଼ଳି କାମନାର ପର୍ବକୁ ପାଳନ କରନ୍ତି। ଅନ୍ଧକାର ମଧ୍ଯରେ କେଉଁ ରୂପସୀ ଯେ  ଭାବୁକ, ଲେଖକଙ୍କ ମନରେ ପ୍ରୀତିର ତରଙ୍ଗ ଖେଳାଇ ଦିଅନ୍ତି ତା' ସେମାନେ ମଧ୍ଯ ଜାଣିପାରନ୍ତି ନାହିଁ।             
               ଇତି ମଧ୍ଯରେ ଆଦ୍ଯ ବୈଶାଖରେ ରୁଦ୍ର ସନ୍ନ୍ଯାସୀ ଗ୍ରୀଷ୍ମ ସୂର୍ଯ୍ଯଙ୍କ ପ୍ରଚ଼ଣ୍ଡ ତାପ ସହ ଧରୀବତରଣ କରି ଅସହ୍ଯ ଦାବାନଳ ସୃଷ୍ଟି କରିବା ତଥା ବ୍ଯଥା, ବେଦନାଯୁକ୍ତ ଲୀଳାଖେଳା କରି ନିର୍ମମ ନିଷ୍ଠୁର ପ୍ରକୃତିର ପରିଚ଼ୟ ଦେଇ ଧରାଧାମରୁ ଅବତରିଯାଏ ସତ; ମାତ୍ର ରୂପସୀ ଲାସ୍ଯମୟୀ ବର୍ଷା ଧୂସର ପଲ୍ଲୀଭୂଇଁକୁ ସବୁଜିମାରେ ପରିଣତ କରି ଜୀବନ୍ଯାସ ଦିଏ। ମାଟିର ଅପୂର୍ବ ବାସ୍ନାକୁ ଆଘ୍ରାଣ କରିବା ପୂର୍ବକ ସାଧବ ବୋହୂ ଯେ ନର୍ତ୍ତକୀର ରୂପ ଧାରଣ କରି ରକ୍ତିମ ଆଭାରେ ବିମଣ୍ଡିତ ହୋଇ ମନ୍ଦଗତିରେ ସବୁଜଗାଲିଚ଼ା ଉପରେ ଚ଼ାଲିବାର ଦୃଶ୍ୟ ଅବର୍ଣ୍ଣନୀୟ।
                ରସମୟୀ ବର୍ଷା ଧରାଧାମରୁ ବିଦାୟ ନେବା ପରେ ଜ୍ଯୋସ୍ନାବିଧୌତ ଶରତ ଓ ହିମଶୀତଳ ହେମନ୍ତ ନିର୍ମଳକାନ୍ତି ଓ ଦୀପ୍ତିକୁ ବିକଶିତ କରେ।
                ହିମଶୀତଳ ହେମନ୍ତକୁ ବିଦାୟ ଦେଇ ସୁଶୀତଳ ଶୀତକାଳ ପ୍ରକୃତି ରାଜ୍ଯରେ ବିରାଟ ପରିବର୍ତ୍ତନର ଆଶା ନେଇ ପ୍ରବେଶ କରେ। ପରେ ପରେ ରୁଦ୍ର ସନ୍ନ୍ଯାସୀ ଗ୍ରୀଷ୍ମ, ହାସ୍ଯମୟୀ ବର୍ଷା, ନିର୍ମଳ ଶରତ, ବର୍ଣ୍ଣାଢ୍ଯ ହେମନ୍ତ, ଶୀତର ଶୀର୍ଣ୍ଣତା ଅନ୍ତର୍ହିତ ହେବା ପରେ ପ୍ରବେଶ କରେ ମଧୁଝରା ବସନ୍ତ। ମନ୍ଦଗତିରେ ଚ଼ାଲିଚ଼ାଲି କେତେବେଳେ ଯେ ସେ ପଲ୍ଲୀଭୂମିକୁ ନବକିଶଳୟରେ ବିମଣ୍ଡିତ କରାଇ ଅପୂର୍ବଶ୍ରୀ ପ୍ରଦାନ କରେ ତା' କେହି ଜାଣିପାରନ୍ତି ନାହିଁ। ବିଭିନ୍ନ ଋତୁ ଭିନ୍ନ ପର୍ବ ସହ ପଲ୍ଲୀବାସୀଙ୍କ ମନକୁ ପୁଲକିତ କରି ଉଦାସକୁ ହଜାଇଦିଅନ୍ତି।
           ସଂସ୍କୃତିର ମହନୀୟତା, ଐତିହ୍ଯ, ପବିତ୍ରତା, ଆତ୍ମିକତାର ବାସ୍ନା ଯେ ପଲ୍ଲୀଭୂମିରୁ ସ୍ପଷ୍ଟ ବାରି ହୁଏ। ଦିଗନ୍ତ ବ୍ଯାପି ଶସ୍ଯକ୍ଷେତ୍ର, ହରିତ କ୍ଷେତ, ଗ୍ରାମ୍ଯ କୈଶୋରୀଙ୍କ ନୂପୁର ଧ୍ବନି, ପକ୍ଷୀଙ୍କ କାକଳି, ଋତୁଚ଼କ୍ରର ପରିବର୍ତ୍ତନ ସହ ଭବ୍ଯ ସମାରୋହ ରେ ପାଳିତ ପର୍ବପର୍ବାଣି  ତଥା କାମିନୀ-ମାଧୁରୀ ରୂପେ ବିଭୂଷିତା ପ୍ରତ୍ଯୁଷ ତଥା ପ୍ରଦୋଷ ପଲ୍ଲୀକୁ ସହସ୍ର ଗୁଣରେ ବର୍ଦ୍ଧିତ କରେ।।
         
             ନାମ- ରୁଦ୍ର ନାରାୟଣ ଦାଶ
             ଠିକଣା- ଭୁବନେଶ୍ବର
             ମୋ- ୯୮୬୧୭୦୧୭୧୪

Post a Comment

0 Comments