ଏପ୍ରିଲ ୧ - ବସନ୍ତ କୁମାର ପଧାନ



ଏପ୍ରିଲ ପହିଲା ଅଟେ ଆମ ପାଇଁ
ସ୍ମରଣୀୟ ଦିବସ ,
ସ୍ୱତନ୍ତ୍ର ପ୍ରଦେଶ ରୂପେ ସେହି ଦିନ
କରିଲା ଆତ୍ମପ୍ରକାଶ ।1।
ଗର୍ବ ଗୌରବର ମହାନ ଦିବସ
ପ୍ରତିଟି ଓଡ଼ିଆ ପାଇଁ ,
ଗୌରବୋଜ୍ଜ୍ୱଳ ଐତିହ୍ୟ ପରମ୍ପରା
ଦିଏ ସେ ମନେ ପକାଇ ।2।
ସମୃଦ୍ଧିଶାଳୀ ପ୍ରାଚୀନ ଉତ୍କଳ
ରହିଥିଲା ତା'ର ଟେକ ,
ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ
ହୋଇଥିଲା ପରିବ୍ୟାପ୍ତ ।3।
କଳା ସଂସ୍କୃତି ଐତିହ୍ୟ ଭାସ୍କର୍ଯ୍ୟ
ସାହିତ୍ୟ କ୍ଷେତ୍ରେ ସୁଖ୍ୟାତି ,
ବୀର ଦୁର୍ଦ୍ଧର୍ଷ ଏ ଓଡ଼ିଆ ଜାତି
ରଖିଥିଲା ଯଶଃକୀର୍ତ୍ତି ।4।
ଐର ଖାରବେଳ କପିଳେନ୍ଦ୍ର ଦେବ
ଲାଙ୍ଗୁଳା ନରସିଂହ ,
ଓଡ଼ିଶା ସାମ୍ରାଜ୍ୟ ବିସ୍ତାର ନିମନ୍ତେ
ଉଦ୍ୟମ ପ୍ରଶଂସନୀୟ ।5।
କାଳ ରଥଚକ୍ରେ ପେଷି ହୋଇଗଲା
ଗୌରବମୟ ଐତିହ୍ୟ ,
,ଊନବିଂଶ ଶତାବ୍ଦୀର ଶେଷ ଭାଗେ
କିଛି ମିଶେ ଅନ୍ୟସହ ।6।
ଉତ୍କଳ ଜନନୀ ହୋଇଲା ଶ୍ରୀହୀନା
ହେଲା ଶୀର୍ଣ୍ଣ କଳେବରା ,
ଉତ୍କଳବାସୀ ହୋଇଲେ ବ୍ୟଥିତ
ଢାଳିଲେ ଲୋତକ ଧାରା ।7।
କେତେ ଯୋଗଜନ୍ମା ମନୀଷୀଗଣଙ୍କ
ଆପ୍ରାଣ ଉଦ୍ୟମରେ ,
ସ୍ୱତନ୍ତ୍ର ପ୍ରଦେଶ ହୋଇଲା ଗଠନ
କେବଳ ଭାଷା ଭିତ୍ତିରେ ।8।
ମଧୁବାବୁଙ୍କର ବଳିଷ୍ଠ ଉଦ୍ୟମ
ସର୍ବାଗ୍ରେ ପ୍ରଶଂସନୀୟ ,
ଉତ୍କଳ ସମ୍ମିଳନୀ ଗଠନକୁ
କେ' ଭୁଲି ପାରିବି କୁହ ?9 ।
ଊନେଇଶ ଶହ ଛତିଶ ମସିହା
ଏପ୍ରିଲ ପହିଲାରେ ,
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ
ହୋଇଲା ବହୁ କଷ୍ଟରେ ।10 ।
ଏପ୍ରିଲ ପହିଲା ପ୍ରତ୍ୟେକଙ୍କ ପାଇଁ
ହେଉ ସଂକଳ୍ପ ଦିବସ ,
ତାହାରି ସେବାରେ ମନପ୍ରାଣ ଦେଇ
ରଖିଯିବା ଆମେ ଯଶ ।11 

Post a Comment

0 Comments